ସୁନାଚେନ୍‌ ନେଇଗଲା ନବବଧୂଙ୍କ ଜୀବନ: ଛିଣ୍ଡିଗଲା ଦୁଇ ମାସର ହାତଗଣ୍ଠି, ସ୍ବାମୀ ଅଟକ

ବାଲିପାଟଣା: ‘‌ଦାବି ମୁତାବକ ଯୌତୁକ ବାବଦ ୧ ଲକ୍ଷ ୨୦ ହଜାର ଟଙ୍କାରୁ ବହୁ କଷ୍ଟରେ ୭୦ ହଜାର ଯୋଗାଡ଼ କରି ଦେଇଥିଲି। ସୁବିଧା କରି ବାକି ୫୦ ହଜାର ଟଙ୍କା ଓ ଜ୍ବାଇଁଙ୍କୁ ସୁନାଚେନ୍‌ ଦେବି ବୋଲି କହିଥିଲି। ତେବେ ସମସ୍ୟା କାରଣରୁ ଦୁଇ ମାସ ଗଡ଼ିଗଲା। ଏହା ଭିତରେ ସେମାନେ ମୋ ଝିଅକୁ ଯାବତୀୟ ଅତ୍ୟାଚାର କଲେ। ମୁଁ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ବି ସେମାନେ ମୋ ଝିଅକୁ ଗାଳିମନ୍ଦ କରିବା ସହିତ ମାଡ଼ ମାରିଲେ। ଶେଷ‌ରେ ତା’ ତଣ୍ଟି ଚିପି ହତ୍ୟା କଲେ।’ ଆଜି ବାଲିପାଟଣା ଥାନା ଆଗରେ ଏମିତି କହି ମୁଣ୍ଡ ପିଟି କାନ୍ଦୁଥିଲେ ସ୍ଥାନୀୟ ଅଭୟମୁଖି ରୟତସାହିର ନବବଧୂ ମାମାଲି ସେଠୀ ଓରଫ୍ କଣ୍ଢେଇଙ୍କ ବାପା ପବିତ୍ର ସେଠୀ। ସ୍ବାମୀ ଚିତ୍ରସେନ ଓ ଶ୍ବଶୁର ଘର ଲୋକେ ମିଶି କଣ୍ଢେଇକୁ ମାରିଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଓରଫ୍ ଚିତନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। କଣ୍ଢେଇ ଆତ୍ମହତ୍ୟା କରିଛି ବୋଲି ଚିତନର ପରିବାର ପକ୍ଷରୁ କୁହାଯାଇଛି। ମାତ୍ର ୨ ମାସର ବୋହୂ ସ୍ବାମୀ ଥିବା ଅବସ୍ଥାରେ ଘରେ କେମିତି ଆତ୍ମହତ୍ୟା କଲା ଏବଂ ସ୍ବାମୀ ସେତେବେଳେ କେଉଁଠି ଥିଲେ ବୋଲି ବଡ଼ ପ୍ରଶ୍ନ ଉଠିଛି। ପୁଲିସ ବ୍ୟବଚ୍ଛେଦ କରାଇ ମୃତଦେହକୁ ଚିତନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ପରେ ଅଭୟମୁଖି ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଆଜି ସକାଳୁ ବାଲିପାଟଣା ଥାନା ପୁଲିସ ଅଭୟମୁଖି ରୟତସାହିର ବାଉରୀବନ୍ଧୁ ସେଠୀଙ୍କ ଘରୁ ନବବଧୂ କଣ୍ଢେଇଙ୍କ ମୃତଦେହ ଜବତ କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୃତଦେହକୁ ଚଟାଣରେ ଶୁଆଇ ଦିଆଯାଇଥିଲା। କିନ୍ତୁ ପରିବାରଲୋକ କହିଥିଲେ ଯେ କଣ୍ଢେଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛି। ପୁଲିସ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଖବର ପାଇ କଣ୍ଢେଇଙ୍କ ବାପା ପବିତ୍ର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ପରେ ବାଲିପାଟଣା ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ନିଆଳି ଥାନା କପାସି ବଡାରୋ ଗାଁ ପବିତ୍ର ସେଠୀଙ୍କ ଝିଅ ମାମାଲି ଓରଫ୍‌ କଣ୍ଢେଇ(୨୩) ଗତ ଫେବ୍ରୁଆରି ୨୨ ତାରିଖରେ ଚିତନକୁ ବିବାହ କରିଥିଲେ। ଯୌତୁକ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ସହିତ ଜ୍ୱାଇଁକୁ ସୁନାଚେନ୍‌ ଏବଂ ଅନ୍ୟାନ୍ୟ ଆସବାବପତ୍ର ଦେବା ପାଇଁ ଦାବି କରାଯାଇଥିଲା। ପବିତ୍ର ପ୍ରଥମ କିସ୍ତିରେ ୩୦ ହଜାର ଟଙ୍କା ଦେଇଥିଲେ ଏବଂ ବାକି ଟଙ୍କା ବେଦିରେ ଦେବା ପାଇଁ କହିଥିଲେ। ହେଲେ ବାହାଘର ପୂର୍ବଦିନ ଟଙ୍କା ନ ଦେଲେ ବାହାଘର ହେବ ନାହିଁ ବୋଲି ଚିତନଙ୍କ ଘରଲୋକେ ରୋକ୍‌ଠୋକ ଜଣାଇଥିଲେ। ତେଣୁ ମଙ୍ଗନ ଦିନ ପବିତ୍ର ଆଉ ୪୦ ହଜାର ଟଙ୍କା ଦେଲେ। ତେବେ ଜ୍ବାଇଁଙ୍କ ଚେନ୍‌ ଓ ବାକି ଟଙ୍କା ଦେଇପାରିନଥିଲେ। ତୁରନ୍ତ ଟଙ୍କା ଯୋଗାଡ଼ କରି ସବୁ ଦେଇଦେବେ ବୋଲି ପବିତ୍ର କହିଥିଲେ।

ମାତ୍ର ବାହାଘର ପରଠୁ ହିଁ ଶାଶୂଘରେ କଣ୍ଢେଇ ଉପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଗତ ମଙ୍ଗଳବାର ଦିନ ଚିତନ ପୁଣି ମାରଧର କରିବାରୁ ପବିତ୍ର ଓ ତାଙ୍କ ସମ୍ପର୍କୀୟମାନେ ଆସି ବୁଝାସୁଝା କରି ଯାଇଥିଲେ। ଖୁବ୍‌ଶୀଘ୍ର ସୁନାଚେନ୍‌ ଦେବେ ବୋଲି କହିଯାଇଥିଲେ। ଗତକାଲି ରାତିରେ କିନ୍ତୁ ଘଟିଗଲା ଅଘଟଣ। କ‌ଣ୍ଢେଇଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ଘରେ ସ୍ବାମୀ ଚିତନ ଓ ଅନ୍ୟମାନେ ଥିବା ବେଳେ କଣ୍ଢେଇ କିଭଳି ଆତ୍ମହତ୍ୟା କଲା ବୋଲି ପବିତ୍ର ପ୍ରଶ୍ନ କରିଛନ୍ତି। ପ୍ରକାଶ ଥାଉ କି ଗୁରୁବାର ଅଭୟମୁଖି ମହାପାତ୍ର ସାହିର ଦିଲ୍ଲୀପ ମହାପାତ୍ରଙ୍କ ପତ୍ନୀ ରୋଜାଲିନ ପଣ୍ଡା ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ୨୪ଘଣ୍ଟା ନ ପୂରୁଣୁ ଆଉ ଜଣେ ନବବଧୂଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର