ଆଇଜି ପାର୍କ: ଉପର ସୁନ୍ଦର, ଭିତର ପୋଡ଼ାଅଙ୍ଗାର

ଭୁବନେଶ୍ୱର: ସମ୍ପ୍ରତି ରାଜଧାନୀବାସୀଙ୍କ ପାଇଁ ପାର୍କ ଏକ ନିହାତି ଆବଶ୍ୟକ ହୋଇପଡ଼ିଛି। ରାଜଧାନୀରେ କଂକ୍ରିଟ୍‌ ଜଙ୍ଗଲ ଏମିତି ଦ୍ରୁତବେଗରେ ମାଡ଼ିଚାଲିଛି ଯେ ବୟସ୍କମାନେ ସକାଳେ ସଂଜେ ଟିକିଏ ଚଲାବୁଲା କରିବା ପାଇଁ ଓ ଛୋଟ ପିଲାଙ୍କ ଖେଳିବା ପାଇଁ ଆଉ ଖୋଲା ସ୍ଥାନ ନାହିଁ। ତେଣୁ ଏବେ ପାର୍କ ଜରୁରୀ ହୋଇପଡ଼ିଛି। ସେଥିପାଇଁ ବିଏମ୍‌ସିର ପ୍ରତି ୱାର୍ଡରେ ପାର୍କ ନିର୍ମାଣ କରାଯାଉଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ପୁରୁଣା ଓ ବଡ଼ବଡ଼ ପାର୍କମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି। ମହାକାଳ ଫଳ ଭଳି ବାହାରୁ ବେଶ୍‌ ସୁନ୍ଦର ଦେଖାଯାଉଥିବା ପାର୍କଗୁଡ଼ିକର ଭିତର ପୋଡ଼ାଅଙ୍ଗାର ସଦୃଶ। ରାଜଧାନୀର କେନ୍ଦ୍ରସ୍ଥଳରେ ଲୋକସେବା ଭବନ ସମ୍ମୁଖରେ ଥିବା ସବୁଠୁ ପୁରୁଣା ଇନ୍ଦିରା ଗାନ୍ଧୀ ପାର୍କର ଅବସ୍ଥା ଏହାର ନଗ୍ନ ଉଦାହରଣ।

ଇନ୍ଦିରା ଗାନ୍ଧୀ ପାର୍କ ହେଉଛି ରାଜଧାନୀର ଏକ ପ୍ରମୁଖ ଆକର୍ଷଣ। ସଂଜ ନଇଁଲେ, ଏଠାରେ ବହୁ ଲୋକଙ୍କ ଭିଡ଼ ଜମେ। ମାତ୍ର କିଛି ଦିନ ହେଲା ରାଜଧାନୀବାସୀ ଏହି ପାର୍କକୁ ଆଡ଼ ନଜରରେ ଚାହୁଁନଥିବା କୁହାଯାଉଛି। ଦୁଃଖର କଥା, ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚାରିପଟେ ଲାଗିଥିବା ବ୍ୟାରିକେଡ୍‌ ଭାଙ୍ଗିଗଲାଣି। ପିଣ୍ଡିରୁ ମାର୍ବଲ ଖସି ଗଲାଣି। ପ୍ରତିମୂର୍ତ୍ତି ତଳେ ଥିବା ଅକ୍ଷରଗୁଡ଼ିକ ମଧ୍ୟ ଲିଭି ଗଲାଣି। ଉପରକୁ ବେଶ୍ ଚିକ୍କଣ ଦେଖାଯାଉଥିବା ଏହି ପାର୍କ ଭିତରେ ଲୋକଙ୍କ ପାଇଁ ମୌଳିକ ସୁବିଧା କିଛି ନାହିଁ। ପାର୍କକୁ ନିୟମିତ ଭାବେ ପରିଷ୍କାର କରାଯାଉନାହିଁ।

ବଡ଼ କଥା ହେଉଛି, ଶୌଚାଳୟଗୁଡ଼ିକୁ ସଫେଇକର୍ମୀମାନେ ସଫା କରୁନାହାନ୍ତି। ତେଣୁ ମହିଳାମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି। ପାର୍କରେ ଲାଗିଥିବା ଇ-ଟଏଲେଟ୍‌ଗୁଡ଼ିକର ଅବସ୍ଥା ବି ତଦ୍ରୂପ। ପାଖାପାଖି ଦେଢ଼ବର୍ଷରୁ ଅଧିକ ଦିନ ହେବ ଏସବୁ ଖରାପ ହୋଇପଡ଼ିଛି। କେବଳ ସେତିକି ନୁହେଁ, ପାର୍କ ଚାରିପଟେ ବର୍ଷା ଜଳ ସଂରକ୍ଷଣ ପାଇଁ ତିଆରି ହୋଇଥିବା କୁଣ୍ଡରେ ଆବର୍ଜନା ଗଦା ହୋଇରହିଛି। ଫଳରେ ସେସବୁ ପଚିସଢ଼ି ଯାଇଥିବାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ପୁଣି ସଂଧ୍ୟା ସମୟରେ ସେଠାରୁ ପ୍ରବଳ ମଶା ବାହରୁଛନ୍ତି ଏବଂ ମଶାଙ୍କ ପ୍ରାର୍ଦୁଭାବରେ ଲୋକେ ବେଶି ସମୟ ବୁଲିପାରୁନାହାନ୍ତି। ସେହିଭଳି ୩ଟି ୱାଟର୍‌ ଫାଉଣ୍ଟେନ୍‌ ମଧ୍ୟରୁ ଗୋଟିଏ ଅଚଳ ହୋଇ ପଡ଼ିଛି। ପାର୍କର ଅଧିକାଂଶ ସ୍ଥାନରେ ଘାସ ବଢ଼ିବଢ଼ି ବଣବୁଦା ହୋଇଗଲାଣି। ଏନେଇ ବିଡିଏର ଜଣେ ଅଧିକାରୀଙ୍କ କହିବା କଥା ଇ-ଟଏଲେଟ୍‌ଗୁଡ଼ିକ ବିଏମ୍‌ସି ଅଧୀନରେ ରହିଛି। କିନ୍ତୁ ପାର୍କର ଅନ୍ୟାନ୍ୟ ବିକାଶ ପାଇଁ ଟେଣ୍ଡର ହୋଇଯାଇଛି ଏବଂ ଖୁବ ଶୀଘ୍ର କାମ ଆରମ୍ଭ ହୋଇଯିବ।

ସମ୍ବନ୍ଧିତ ଖବର