ପୌର ନିଗମର ସୌନ୍ଦର୍ଯ୍ୟୀକରଣ ଯୋଜନା, ତାଳଦଣ୍ଡା କେନାଲ୍‌ପାର୍ଶ୍ବରେ ଖର୍ଚ୍ଚ ହେବ ୪୨ କୋଟି

କଟକ: ପୌର ନିଗମ ପକ୍ଷରୁ ୪୨ କୋଟି ଟଙ୍କାରେ ତାଳଦଣ୍ଡା କେନାଲର ଉଭୟପାର୍ଶ୍ବ ଅଞ୍ଚଳର ବିକାଶ କରାଯିବ। ତାଳଦଣ୍ଡା କେନାଲ ସଂପ୍ରସାରଣ କାମ ଚାଲୁଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ସ୍ଥାନର ସୌନ୍ଦର୍ଯ୍ୟକରଣ କାମ ନିଗମ ପକ୍ଷରୁ କରାଯିବ। ଏଥିରେ କେନାଲ୍‌ ଉଭୟପାର୍ଶ୍ବ ରାସ୍ତାକଡ଼ରେ ଥିବା ଖୋଲା ଅଞ୍ଚଳକୁ ନୂଆ ରୂପ ଦିଆଯିବ। ଖୋଲା ସ୍ଥାନରେ ଜିମ୍‌, ଛୋଟ ଛୋଟ ପାର୍କ, ଶୌଚାଳୟ, ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ବିଭିନ୍ନ ଡିଜାଇନ୍‌ର ଆଲୋକ ପରି ବିଭିନ୍ନ ବ୍ୟବସ୍ଥା କରାଯିବ। ଅନ୍ୟପଟେ ଯୋବ୍ରା ଅଞ୍ଚଳର ତାଳଦଣ୍ଡା କେନାଲ୍‌ପାର୍ଶ୍ବରେ ଆମ୍ୟୁଜ୍‌ମେଣ୍ଟ ପାର୍କ, ଫୁଡ୍ କୋର୍ଟ, ଜିମ୍‌ ଇତ୍ୟାଦିର ନିର୍ମାଣ କାମ ଶେଷ ହୋଇଛି। ଏହା ଏବେ ଉଦ୍‌ଘାଟନ ଅପେକ୍ଷାରେ ରହିଛି। କଟକ ସହରରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ଚାଲିଛି। ସେଥି ମଧ୍ୟରେ ଯୋବ୍ରା ବ୍ୟାରେଜ୍‌ରୁ ବିରିବାଟୀ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ୍‌ ସୌନ୍ଦର୍ଯ୍ୟକରଣ ଅନ୍ୟତମ।

ଯୋବ୍ରା ବ୍ୟାରେଜ୍‌ରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉନ୍ନତୀକରଣ ସହ ଏହାର ଉଭୟପାର୍ଶ୍ବ ରାସ୍ତାକୁ ସଂପ୍ରସାରଣ କରାଯାଇଛି। ଅନ୍ୟପଟେ ରାଣୀହାଟରୁ ମାତୃଭବନ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ୍‌ ଓ ଏହାର ଉଭୟପାର୍ଶ୍ବ ରାସ୍ତା କାମ ଚାଲିଛି। ସେପଟେ କେନାଲପାର୍ଶ୍ବରେ ଥିବା ଖୋଲା ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ପୌର ନିଗମ ପକ୍ଷରୁ ୪୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ଖୋଲାସ୍ଥାନରେ ସାଧାରଣ ଲୋକଙ୍କ ବସିବା ପାଇଁ ବିଭିନ୍ନ ଡିଜାଇନ୍‌ର ବେଞ୍ଚ କରାଯିବା ସହ ଜିମ୍‌, ଶୌଚାଳୟ, ଫୁଡ୍‌ କୋର୍ଟ ଓ ଆଲୋକର ବ୍ୟବସ୍ଥା କରାଯିବ। ବିଶେଷ କରି ଯୋବ୍ରା ବ୍ୟାରେଜ୍‌ରୁ ନୂଆବଜାର ପର୍ଯ୍ୟନ୍ତ କେନାଲର ଉଭୟପାର୍ଶ୍ବର ଏକାଧିକ ସ୍ଥାନରେ ନିଗମ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ। ସେପଟେ ଯୋବ୍ରା ଅଞ୍ଚଳରେ ତାଳଦଣ୍ଡା କେନାଲ୍‌ର ‘ଆଇ ଲଭ୍‌ କଟକ’ ନିକଟରେ ୩ କୋଟି ଟଙ୍କାରେ ଆମ୍ୟୁଜ୍‌ମେଣ୍ଟ ପାର୍କର ନିର୍ମାଣ କାମ ଶେଷ ‌ପର୍ଯ୍ୟାୟରେ ପହଞ୍ଚିଛି। ଏଠାରେ ଫୁଡ୍‌କୋର୍ଟ, ଜିମ୍‌ ସହିତ ବୋଟିଂ ପାଇଁ ଜେଟିର ବ୍ୟବସ୍ଥା ହୋଇଥିବା ବେଳେ ଏହା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ତାଳଦଣ୍ଡା କେନାଲ୍‌ପାର୍ଶ୍ବରେ ଥିବା ବିଭିନ୍ନ ଖୋଲା ଅଞ୍ଚଳର ବିକାଶ କରାଯିବ। ଏଥିପାଇଁ ପୌର ନିଗମ ପକ୍ଷରୁ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମେୟର୍‌ ସୁବାସ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର