ଆଜିଠୁ ଅନ୍ତର୍ଜାତୀୟ ଭାରତ ରଙ୍ଗ ମହୋତ୍ସବ: ପ୍ରଥମ ଦିନରେ ‘ତାଜ୍‌ମହଲ କା ଟେଣ୍ଡର’

ଧାରା ବଦଳିବା ଆବଶ୍ୟକ

ଭୁବନେଶ୍ବର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି) ପକ୍ଷରୁ ୨୧ ଦିନିଆ ଅନ୍ତର୍ଜାତୀୟ ନାଟକ ମହୋତ୍ସବ ‘ଭାରତ ରଙ୍ଗ ମହୋତ୍ସବ’ ଆରମ୍ଭ ହୋଇଛି। ଫେବ୍ରୁଆରି ୧ରୁ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଦେଶର ୧୫ଟି ସହରରେ ମଞ୍ଚସ୍ଥ ହେଉଛି। ଏହିକ୍ରମରେ ଓଡ଼ିଶାରେ ଏନ୍‌ଏସ୍‌ଡି ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମିଳିତ ସହଯୋଗରେ ଆସନ୍ତାକାଲି (ଗୁରୁବାର)ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ସାଢ଼େ ୬ଟାରେ ରବୀନ୍ଦ୍ର ମଣ୍ଡପରେ ନାଟକ ମଞ୍ଚସ୍ଥ ହେବ। ଆଜି ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନ୍‌ଏସ୍‌ଡିର ନିର୍ଦ୍ଦେଶକ ଚିତ୍ତରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି, ବିଶ୍ବର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ନାଟକ ମହୋତ୍ସବ ଏନ୍‌ଏସ୍‌ଡି ଆୟୋଜନ କରୁଛି। ଏହି ମହୋତ୍ସବ ଏକ ମାର୍ଗଦର୍ଶକ ଭାବରେ ବିଶ୍ୱ ଥିଏଟର ପରମ୍ପରାର ସମୃଦ୍ଧିକୁ ପ୍ରତିଫଳିତ କରୁଛି। ଦେଶ ଓ ବିଦେଶରୁ ବିଭିନ୍ନ ଭାଷାର ୮୨୨ଟି ନାଟକ ମହୋତ୍ସବ ପାଇଁ ଆବେଦନ କରିଥି‌ଲେ। ବିଭିନ୍ନ ବର୍ଗରୁ ୭୮ ଜଣ ବିଚାରକ ୬୧ଟି ନାଟକକୁ ଚୟନ କରିଥିଲେ।

ଦେଶର ୧୫ଟି ସହରରେ ୬୦ଟି ଚୟନ ହୋଇଥିବା ନାଟକକୁ ମିଶାଇ ୧୫୦ଟି ନାଟକ ମଞ୍ଚସ୍ଥ ହେଉଛି। ଏଥିମଧ୍ୟରୁ ଭୁବନେଶ୍ବରରେ ପ୍ରଥମ ଦିନ ହିନ୍ଦୀ ନାଟକ ‘ତାଜ୍‌ମହଲ କା ଟେଣ୍ଡର’, ଦ୍ବିତୀୟ ଦିନ ହିନ୍ଦୀ ନାଟକ ‘ଅଗ୍ନି ଅୟୁର ବର୍ଖା’ ତୃତୀୟ ଦିନ ବଙ୍ଗଳା ନାଟକ ‘ଚିତ୍ରାଙ୍ଗଦା’, ଚତୁର୍ଥ ଦିନ ଅହମିୟା ନାଟକ ‘ତଦନ୍ତ’, ପଞ୍ଚମ ଦିନ ହିନ୍ଦୀ ନାଟକ ‘ନାଗମଣ୍ଡଳ’ ଓ ଶେଷ ଦିନ ଅର୍ଥାତ ୧୩ ତାରିଖରେ ବଙ୍ଗଳା ନାଟକ ‘ଆଶ୍ଚର୍ଯ୍ୟ ପ୍ରଥମ ଦିବସେ’ ପରିବେଷିତ ହେବ। ଏହି ଅବସରରେ ଏନ୍‌ଏସ୍‌ଡିର ରେଜିଷ୍ଟ୍ରାର ପ୍ରଦୀପ କୁମାର ମହାନ୍ତି ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ଅଭିନେତା ସମରେଶ ରାଉତରାୟ ଉପସ୍ଥିତ ଥିଲେ। ଭାରତ ରଙ୍ଗ ମହୋତ୍ସବରେ ଓଡ଼ିଶାର ୩ଟି ନାଟକ ଏନ୍‌ଏସ୍‌ଡି ଦ୍ବାରା ଆୟୋଜିତ ‘ଭାରତ ରଙ୍ଗ ମହୋତ୍ସବ’ରେ ଓଡ଼ିଶାର ୩ଟି ନାଟକ ମଞ୍ଚସ୍ଥ ହେବ। ଏଥିରେ ୨ଟି ନାଟକ ପ୍ରବୋଧ ରଥଙ୍କ ନିର୍ଦ୍ଦେଶିତ ‘ଅପେକ୍ଷାରେ ରାମଚନ୍ଦ୍ର’ ଓ ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ ‘ଆଷାଢ଼ରେ ଦିନେ’ ଚୟନ ହୋଇଛି। ‘ଆଷାଢ଼ରେ ଦିନେ’ ନାଟକ ଆସନ୍ତା ୧୦ ତାରିଖରେ ଆସାମରେ ଓ ‘ଅପେକ୍ଷାରେ ରାମଚନ୍ଦ୍ର’ ଆସନ୍ତା ୧୮ ତାରିଖରେ ଦିଲ୍ଲୀରେ ମଞ୍ଚସ୍ଥ ହେବ। ସେହିପରି ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୂର୍ଯ୍ୟ ମହାନ୍ତିଙ୍କ ‘ପୂର୍ଣ୍ଣ ପୁରୁଷ’ ଦିଲ୍ଲୀରେ ଆସନ୍ତା ୧୪ ତାରିଖରେ ମଞ୍ଚସ୍ଥ ହେବ।

ନାଟକ ମହୋତ୍ସବ ପାଇଁ ଭୁବନେଶ୍ବର ଆସିଛନ୍ତି ଦିଲ୍ଲୀରେ ଥିବା ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି)ର ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ତଥା ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଚିତ୍ତରଂଜନ ତ୍ରିପାଠୀ। ତାଙ୍କ ସହିତ ଏକ ଆଳାପର ସଂକ୍ଷିପ୍ତ ରୂପ-

ପ୍ରଶ୍ନ: ଏନ୍‌ଏସ୍‌ଡି ନିର୍ଦ୍ଦେଶକ ହିସାବରେ ପ୍ରଥମ ଥର ‘ଜାତୀୟ ରଙ୍ଗ ମହୋତ୍ସବ’ ଆୟୋଜନ କରିବାର ଅନୁଭୂତି କ’ଣ?
ଉତ୍ତର: ‘ଭାରତ ରଙ୍ଗ ମହୋତ୍ସବ’ ପୃଥିବୀର ସବୁଠୁ ବଡ଼ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ। ଏହାକୁ ନାଟକର ମହାକୁମ୍ଭ କହିଲେ ଭୁଲ୍‌ ହେବନାହିଁ। ୨୫ ବର୍ଷ ହେଲା ଏନ୍‌ଏସ୍‌ଡି ଯେଉଁ ଐତିହ୍ୟ ସୃଷ୍ଟି କରିଛି, ତାକୁ ଆଗକୁ ନେଇ ଯିବାର ଦାୟିତ୍ବ ମୋ’ କାନ୍ଧ ଉପରେ। ନାଟକକୁ ସବୁ ବର୍ଗଙ୍କ ପାଖରେ ପହଞ୍ଚାଇବାକୁ ମୁଁ ଆନ୍ତରିକତାର ସହ କାର୍ଯ୍ୟ ଜାରି ରଖିଛି।
ପ୍ରଶ୍ନ: ଏଥର ନାଟକ ମହାକୁମ୍ଭରେ କ’ଣ ନୂଆ କରିବାକୁ ଚେଷ୍ଟା କରିଛନ୍ତି?
ଉତ୍ତର: ଏଥିରେ ଚୟନ ପ୍ରକ୍ରିୟା ବହୁତ ବଡ଼ ଗୁରୁତ୍ବ ରଖିଥାଏ। ପୂର୍ବରୁ ବିଚାରକମାନଙ୍କୁ ଦିଲ୍ଲୀରେ ଏକାଠି କରି ନାଟକ ଦେଖାଯାଉଥିଲା। ସେଥିରୁ ସେମାନେ ଭଲ ନାଟକ ଚୟନ କରୁଥିଲେ। ଏହି ପ୍ରକ୍ରିୟାକୁ ନେଇ ଅନେକ ସମୟରେ ଅଭିଯୋଗ ଆସୁଥିଲା। ଚୟନ ପ୍ରକ୍ରିୟାରେ ବିଚାରକମାନେ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ଥିଲା। ଏଥର ଅନ୍‌ଲାଇନ୍‌ରେ ଚୟନ କରାଯାଇଛି।
ପ୍ରଶ୍ନ: ନାଟକ ଚୟନରେ ଆଉ କେଉଁ ଦିଗକୁ ଗୁରୁତ୍ବ ଦେଇଛନ୍ତି?
ଉତ୍ତର: ଏଥର ବିଭିନ୍ନ ଭାଷାଭାଷୀର ୭୮ ଜଣ ବିଚାରକ ଚୟନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ନାଟକ କରୁଥିବା ଲୋକଙ୍କ ସହିତ କବି, ଲେଖକ, ସାମ୍ବାଦିକ, ସମାଲୋଚକ ପ୍ରମୁଖ ନାଟକ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନେଇ ଚୟନ କରାଯାଇଛି।
ପ୍ରଶ୍ନ: ନାଟକ ମହୋତ୍ସବରେ ‘ରଙ୍ଗଦୂତ’ର ପରିକଳ୍ପନା କାହିଁକି?
ଉତ୍ତର: ଦୂତର କାମ ହେଲା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ବାର୍ତ୍ତାକୁ ପହଞ୍ଚାଇବା। ତେଣୁ ନାଟକକୁ ବିଶ୍ବବ୍ୟାପୀ ପ୍ରଚାର ପ୍ରସାର କରିବାର ପରିକଳ୍ପନାରୁ ଜନ୍ମ ନେଇଛି ‘ରଙ୍ଗଦୂତ’। ସୁପ୍ରସିଦ୍ଧ ଅଭିନେତା ପଙ୍କଜ ତ୍ରିପାଠୀ ‘ରଙ୍ଗଦୂତ’ ସାଜି ନାଟକର ପ୍ରଚାର ପ୍ରସାର କରୁଛନ୍ତି। ଭାରତ ରଙ୍ଗ ମହୋତ୍ସବ ବମ୍ବେ ଓ ପୁନାରେ ଚାଲିଥିବା ବେଳେ ଥିଏଟର ଫୁଲ୍‌ ହୋଇ ପ୍ରତିଦିନ ନାଟକ ଦେଖିବାକୁ ଶତାଧିକ ଲୋକ ବାହାରେ ଛିଡ଼ା ହୋଇ ରହୁଥିଲେ।
ପ୍ରଶ୍ନ: ମହୋତ୍ସବରେ ହିନ୍ଦୀ ଭାଷାର ପ୍ରାୟ ୨୫ ଓ ବେଙ୍ଗଲି ଭାଷାର ୧୬ଟି ନାଟକର ଚୟନ ହୋଇଛି। ଓଡ଼ିଆ ନାଟକ ମାତ୍ର ୨ଟି…
ଉତ୍ତର: ଓଡ଼ିଶାରୁ ୨୪ଟି ନାଟକ ଆଦେବନ କରିଥିଲେ। ସେଥିରୁ ‘ଅପେକ୍ଷାରେ ରାମ ଚନ୍ଦ୍ର’ ଓ ‘ଆଷାଢ଼ରେ ଦିନେ’ ନାଟକକୁ ଚୟନ କରା ଯାଇଛି। ଅନ୍ୟଏକ ଓଡ଼ିଆ ନାଟକ ‘ପୂର୍ଣ୍ଣ ପରୁଷ’ ମଧ୍ୟ ମନୋନୀତ ହୋଇଛି। ଆମ ନାଟ୍ୟକାର ଓ ନିର୍ଦ୍ଦେଶକମାନେ ରାଜ୍ୟ ବାହାରେ ନାଟକ ଉପରେ ନଜର ରଖନ୍ତୁ। ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ଏକ୍ସପୋଜର୍‌ର ରହିଛି।
ପ୍ରଶ୍ନ: ଭାରତ ରଙ୍ଗ ମହୋତ୍ସ ଦେଖିବାକୁ ଟିକେଟ୍‌ ହେଉଛି ନା ଦେୟମୁକ୍ତ ପ୍ରବେଶ ?
ଉତ୍ତର: ମହୋତ୍ସବ ୧୫ଟି ସହରରେ ହେଉଛି। କେବଳ ଦିଲ୍ଲୀକୁ ଛାଡ଼ିଦେଲେ ଅନ୍ୟ କେଉଁଠି ଟିକେଟ୍‌ ବ୍ୟବସ୍ଥା ରଖିନାହୁଁ। ଆସନ୍ତାବର୍ଷ ୧୦ଟଙ୍କା, ୨୦ ଟଙ୍କା କିମ୍ବା ୨୫ଟଙ୍କାର ଏକ ପ୍ରବେଶ ଦେୟ ରଖିବାର ବ୍ୟବସ୍ଥା କରିବୁ। ଦର୍ଶକ ସିନେମା ହଲ୍‌ ଓ ଓଟିଟିରେ ହଜାର ହଜାର ଟଙ୍କା ଦେଉଛନ୍ତି, କିନ୍ତୁ ଥିଏଟର ବେଳକୁ ମାନସିକତା ବଦଳିଯାଉଛି। ଟିକେଟ୍‌ କିଣି ନାଟକ ଦେଖିବା ମାନସିକତାକୁ ଲୋକଙ୍କ ଭିତରେ ଆଣିବା ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ବାନ।
ପ୍ରଶ୍ନ: ଏହା କଳାକାରଙ୍କ ପାଇଁ ସମ୍ମାନର ପ୍ରଶ୍ନ।
ଉତ୍ତର: ବହୁତ ଭଲ କଥା କହିଲେ। ପଛେ ୫ଟି ଲୋକ ଆସନ୍ତୁ ଟିକେଟ୍‌ କିଣି ନାଟକ ଦେଖନ୍ତୁ। ଜଣେ କଳାକାର କାହିଁକି ବିନା ପାରିଶ୍ରମିକରେ ମୁହଁରେ ରଙ୍ଗବୋଳି ଅନ୍ୟକୁ ହସାଇ ନିଜେ କାନ୍ଦିବ! ଜଣେ ଟଙ୍କା ଖର୍ଚ୍ଚ କରି ନାଟକ କରିବ, ମାଗଣାରେ ପାସ୍‌ ଦେବ, ପୁଣି ୪ ଥର ଫୋନ୍‌ କରି ନାଟକ ଦେଖିବାକୁ ଡାକିବ କାହିଁକି? ଏହି ଧାରା ବଦଳିବା ଦରକାର।
– ସୋମନାଥ ପରିଡ଼ା

ସମ୍ବନ୍ଧିତ ଖବର