ପଞ୍ଚତୀର୍ଥ କଥା ଭୁଲିଗଲେ: କାର୍ଯ୍ୟକ୍ଷମ ହୋଇନାହିଁ ବସ୍‌ଷ୍ଟାଣ୍ଡ

ଖଣ୍ଡଗିରି ମାଘମେଳାକୁ ରାଜ୍ୟ ସରକାର ମାନ୍ୟତା ଦେବା ସହିତ ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରନ୍ତୁ। ଖଣ୍ଡଗିରି ପାଦଦେଶରେ, ପାହାଚର ବାମ ପାର୍ଶ୍ୱରେ ଏକ ପିଣ୍ଡି ବା ସନାତନ ବୈଦିକ ଧର୍ମ ସାଂସ୍କୃତିକ ମଣ୍ଡପ କରାଯାଉ। ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ଅତିଥିଶାଳା କରାଯାଉ। ପ୍ରତିବର୍ଷ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ସାଧୁସନ୍ଥଙ୍କୁ ପ୍ରୋତ୍ସାହନ ଓ ଅନୁଦାନ ପ୍ରଦାନ ସହିତ ଆସିବାର ଏବଂ ରହିବାର ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଉ। ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦକୁ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ସଂସ୍କୃତି ବିଭାଗରେ ଅନ୍ତର୍ଭୁକ୍ତ ପୂର୍ବକ ମାନ୍ୟତା ପ୍ରଦାନ କରାଯାଉ। ଓଡ଼ିଶାର ସମସ୍ତ ସାଧୁସନ୍ଥଙ୍କୁ ମାସିକ ପ୍ରୋତ୍ସାହନ ୫,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥରାଶି ପ୍ରଦାନ କରାଯାଉ ବୋଲି ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଏକ ଦାବିପତ୍ର ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ବାବା ପଞ୍ଚଦେବ ଅନୁରୋଧ କରିଛନ୍ତି, ଚଳିତ ବିଧ‌ାନସଭା ଅଧିବେଶନରେ ଉପରୋକ୍ତ ବିଷୟରେ ଆଲୋଚନା କରି ଏହାକୁ ଗୃହିତ କରାଯାଉ।

ଖଣ୍ଡଗିରି: ଆସୁଛି ଖଣ୍ଡଗିରି ମେଳା। ବହୁ ସଂଖ୍ୟାରେ ସାଧୁସନ୍ଥ ଓ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ମେଳା ସମୟରେ କେବଳ ଲୋକଙ୍କ ସୁବିଧା ନୁହେଁ, ସେଠାକାର ପ୍ରାଚୀନ ଐତିହ୍ୟର ସୁରକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ବ୍ୟାରିକେଡ୍ ଲଗାଯାଇ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏବେ ରାସ୍ତାର ଉଭୟ ପାର୍ଶ୍ବରେ ପର୍ଯ୍ୟଟକଙ୍କ ବସିବା ପାଇଁ ସୁବିଧା ହୋଇଛି। ମେଳା ପୂର୍ବରୁ ଖଣ୍ଡଗିରି ନିକଟରେ ଥିବା ଉଠାଦୋକାନୀଙ୍କୁ ହଟାଯାଇ ଯାତ୍ରା ଓ ମେଳା ଦୋକାନ ଆଦି ପଡ଼ିବାକୁ ଥିବା ସ୍ଥାନକୁ ଜବରଦଖଲ ମୁକ୍ତ କରାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମେଳା ପାଇଁ ଏତେ ସବୁ ପ୍ରସ୍ତୁତି ହେଉଥିଲେ ହେଁ ମେଳାର କେନ୍ଦ୍ରରେ ଥିବା ଖଣ୍ତଗିରି-ଉଦୟଗିରି ପାହାଡ଼ରେ ଥିବା ପଞ୍ଚତୀର୍ଥ, ଯଥା ଗୁପ୍ତଗଙ୍ଗା, ଆକାଶଗଙ୍ଗା, ଶ୍ୟାମକୁଣ୍ଡ, ରାଧାକୁଣ୍ଡ ଓ ଲଳିତାକୁଣ୍ଡକୁ ଏପର୍ଯ୍ୟନ୍ତ ସଫା କରାଯାଇ ନାହିଁ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ମେଳା‌ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ସଫା କରିବାକୁ କୁହାଯାଇଥିଲେ ମଧ୍ୟ ସଫା ହୋଇନାହିଁ। ବହୁଦିନ ଧରି ଏହି ସ୍ଥାନଗୁଡ଼ିକର ଯତ୍ନ ନିଆଯାଉ ନଥିବାରୁ ଏବେ ତାହା ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। କୁଣ୍ଡରେ ଥିବା ପାଣିରେ ଲତା ଭରି ରହୁଥିବାରୁ ତାହା ନୀଳ ରଙ୍ଗ ପାଲଟି ଗଲାଣି। ଏମିତିକି ଗୁପ୍ତଗଙ୍ଗାରେ ଆଉ ପୂର୍ବଭଳି ପାଣି ରହୁନାହିଁ। ଏହାର ପୁନରୁଦ୍ଧ‌ାର ହେବ ବୋଲି ଏଏସ୍ଆଇ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦିଆ ଯାଇଥିଲେ ହେଁ କିଛି ହୋଇନି। କୁହାଯାଏ, ପୂର୍ବରୁ ଖଣ୍ଡଗିରି ଓ ଉଦୟଗିରେ ତପସ୍ୟା କରୁଥିବା ବା ରହୁଥିବା ମୁନିଋଷିମାନେ ଏହି କୁଣ୍ଡଗୁଡ଼ିକରେ ସ୍ନାନ କରୁଥିଲେ। ପୂଜା ପାଇଁ ଏହାର ଜଳକୁ ବ୍ୟବହାର କରୁଥିଲେ। ପ୍ରତିବର୍ଷ ଲଳିତାକୁଣ୍ଡରେ ପ୍ରଭୁ ଅନନ୍ତକେଶରୀ ଚାପ ଖେଳନ୍ତି। କୁମ୍ଭମେଳା ଅବସରରେ ରାଧାକୁଣ୍ଡରେ ସାଧୁସନ୍ଥ ସ୍ନାନ କରନ୍ତି। ପଞ୍ଚତୀର୍ଥ ଭାବେ ପରିଚିତ ଏହି କୁଣ୍ଡଗୁଡ଼ିକରେ ମେଳାକୁ ଆସୁଥିବା ବହୁ ସାଧୁସନ୍ଥ ଅତି ଆଗ୍ରହର ସହିତ ସ୍ନାନ କରିବାର ଦେଖାଯାଏ। ତେଣୁ ପୂର୍ବରୁ ବା ବର୍ଷ ସାରା ନହେଲେ ବି ଅନ୍ତତଃ ଖଣ୍ଡଗିରି ମେଳା ପୂର୍ବରୁ ଏଗୁଡ଼ିକୁ ସଫା କରାଯିବା ଉଚିତ।

ତାହା ନହେଲେ ସାଧୁସନ୍ଥ ସମସ୍ୟାରେ ପଡ଼ିବା ସହିତ ସେମାନଙ୍କ ପାଇଁ ମେଳାର ଆକର୍ଷଣ ଫିକା ପଡ଼ିବା ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଖଣ୍ଡଗିରି-ଉଦୟଗିରିକୁ ଆସୁଥିବା ପର୍ଯ୍ୟଟକଙ୍କ ବସ୍‌ ଓ କାର ରଖିବା ପାଇଁ ଖଣ୍ଡଗିରି ପାଦଦେଶରେ ଥିବା ପାର୍କିଂସ୍ଥଳ ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ। ଏହି କାମ ପାଖାପାଖି ଗୋଟିଏ ବର୍ଷହେଲା ଚାଲିଥିଲେ ମଧ୍ୟ ଏବେ ସେଠାକାର ଗେ୍‌ଟରେ ‌ତାଲା ପଡ଼ିଛି। ସେ ସ୍ଥାନଟିକୁ ପାଚେରି ବୁଲାଯିବା ସହ ସୁରକ୍ଷା କର୍ମୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ବସ୍‌ଗୁଡ଼ିକ ଏଯାଏ ରାସ୍ତା ଉପରେ ରହୁଛି। ଅନ୍ୟ ରାଜ୍ୟରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ବସ୍‌ଗୁଡ଼ିକ ଗାନ୍ଧୀ ଶାନ୍ତିକେନ୍ଦ୍ର ସମ୍ମୁଖରେ ଗହଳି କରୁଛନ୍ତି।

ଉଠାଦୋକାନୀଙ୍କୁ ଉଚ୍ଛେଦର ପ୍ରତିବାଦ

ଗତ କିଛିଦିନ ଧରି ଖଣ୍ଡଗିରି ଛକଠାରେ ଉଠାଦୋକାନ ଉଚ୍ଛେଦକୁ ନେଇ ଉତ୍ତେଜନା ଲାଗି ରହିଛି। ବୁଧବାର ଦିନ ପୁନର୍ବାର ବିଏମ୍‌ସି ତରଫରୁ ଉଚ୍ଛେଦ କରିବା ପାଇଁ ମାଇକ୍‌ରେ ପ୍ରଚାର ସମୟରେ ଖଣ୍ଡଗିରିରେ ଥିବା ୨୦୦ରୁ ଅଧିକ ଉଠାଦୋକାନୀ ଏହାକୁ ବିରୋଧ କରିଥିଲେ। ହାତରେ ପ୍ଲାକାର୍ଡ଼ ଧରି ଉଠାଦୋକାନୀ ଓ ମହିଳାମାନେ ସ୍ଲୋଗାନ ଦେବା ସହ ଉଚ୍ଛେଦର ଦୃଢ଼ ପ୍ରତିବାଦ କରିଥିଲେ। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘର ଅଭିଯୋଗ ଅନୁସାରେ, ଗତ କିଛିଦିନ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନମାନି ବିଏମ୍‌ସି ଉଠାଦୋକାନ ଉଚ୍ଛେଦ କରିବାକୁ ଆସିଥିବା ବେଳେ ଦୋକାନୀମାନେ ତାହାର ପ୍ରତିବାଦ କରିବାରୁ ଉଚ୍ଛେଦକାରୀ ଦଳ ଫେରି ଯାଇଥିଲେ। ପୁନର୍ବାର ଆଜି ଜୋର୍‌ ଜବରଦସ୍ତ ଉଚ୍ଛେଦ କରିବାକୁ ଯୋଜନା କରୁଥିବା ବେଳେ ଖଣ୍ଡଗିରିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ବିଏମ୍‌ସି, ବିଡ଼ିଏ, ଜିଏ ଏବଂ ପୁଲିସ ଅଧିକାରୀ ଖଣ୍ଡଗିରି ମେଳା ନାଁରେ ଆଇନକୁ ବେଖାତିର କରନ୍ତି, ତେବେ ସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାସହ ଭୁବନେଶ୍ୱରର ୩୫ ହଜାରରୁ ଅଧିକ ଉଠାଦୋକାନୀ ନବୀନ ନିବାସ ଓ ବିଏମ୍‌ସି ଅଫିସ୍ ଘେରାଉ କରିବେ। ଆଜି ବିକ୍ଷୋଭ ସ୍ଥାନରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ , ଭାରତୀ ସେଠୀ, ପୂର୍ବତନ କର୍ପୋରେଟର ରଘୁନାଥ ମହା‌ନ୍ତି ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପରିଜା, ରଶ୍ମି ପାତ୍ର, ସ୍ୱର୍ଣ୍ଣମୟୀ ରାଉତ, ନରେନ୍ଦ୍ର ମହାନ୍ତି, ଶୁଭମ ଜେନା, ଜିତେନ୍ଦ୍ର ଜେନା, ଟୁକୁନା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର