ଝାରପଡ଼ା ସ୍ବତନ୍ତ୍ର ଜେଲ୍: ୭୫୦ କଏଦୀ, ଆମ୍ବୁଲାନ୍ସ ଖଣ୍ଡେ ନାହିଁ

ଖୋଜା ପଡ଼ୁଛି ଭଡ଼ା ଗାଡ଼ି, ୧୦୮କୁ ଭରସା ପାଉନି

ଭୁବନେଶ୍ବର: ଝାରପଡ଼ା ସ୍ବତନ୍ତ୍ର ଜେଲ୍। ଖାଲି ସ୍ବତନ୍ତ୍ର ନୁହେଁ, ହାଇପ୍ରୋଫାଇଲ ମଧ୍ୟ। ଗ୍ୟାଙ୍ଗଷ୍ଟର୍‌ଙ୍କଠାରୁ ଆରମ୍ଭ କରି ମାଓ ନେତା, ରାଜନେତା, ବାବୁ, ବ୍ୟବସାୟୀ, ଶିଳ୍ପପତି ସବୁ ଏଇ ଜେଲ୍‌ରେ ରହୁଛନ୍ତି। ରାଜ୍ୟର ଅନ୍ୟ ଜେଲ୍ ଅପେକ୍ଷା ଝାରପଡ଼ା ବେଶ୍ ସମ୍ବେଦନଶୀଳ ମଧ୍ୟ। ଜେଲରେ ୭୫୦ରୁ ଅଧିକ କଏଦୀ ରହୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଓ ଦୁଃଖର କଥା ହେଲା, ଏତେ କଏଦୀ ରହୁଥିଲେ ହେଁ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ଖଣ୍ଡିଏ ନାହିଁ। ଅସୁସ୍ଥ ହେଲେ ଯଦି କାହାକୁ ବାହାର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼େ, ୧୦୮ ଆମ୍ବୁଲାନ୍ସ ହିଁ ଡକରା ପଡ଼େ। କିନ୍ତୁ ପାଖାପାଖି ୯୦ ପ୍ରତିଶତ ଘଟଣାରେ ଏହି ୧୦୮ ଆମ୍ବୁଲାନ୍ସ ଠିକଣା ସମୟରେ ପହଞ୍ଚିପାରେନାହିଁ। ତେଣୁ ଜେଲ୍‌ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଭଡ଼ା ଗାଡ଼ିରେ ରୋଗୀଙ୍କୁ ହସ୍ପିଟାଲ ନେଇଥା’ନ୍ତି। ଏହି ବିଳମ୍ବିତ ପ୍ରକ୍ରିୟା ପାଇଁ କଏଦୀ ପ୍ରାଣ ହରାଇବାର ଅନେକ ନଜିର ରହିଛି। ନିକଟ ଅତୀତରେ ହୋଟେଲ ସୋଲାନ୍‌-ଇନ୍‌ର ମାଲିକ କମଳାକାନ୍ତ ଦାସ ଏଇ କାରଣ ପାଇଁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ଦେଶର ଅନେକ ବଡ଼ବଡ଼ ଜେଲ୍‌ରେ ଆମ୍ବୁଲାନ୍ସ ସୁବିଧା ରହିଥିଲେ ମଧ୍ୟ ଝାରପଡ଼ା ଜେଲରେ କାହିଁକି ବ୍ୟବସ୍ଥା କରାଯାଉନାହିଁ, ଜେଲ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉ ନାହିଁ; ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଏକ ଠକେଇ ମାମଲାରେ ଗିରଫ ହୋଇ କମଳାକାନ୍ତ ଝାରପଡ଼ା ଜେଲ୍‌ରେ ଥିଲେ। ଗତ ୨୩ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। କିନ୍ତୁ ଠିକଣା ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଜେଲ୍‌ କର୍ତ୍ତୃପକ୍ଷ ଏକ ଅଟୋରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ କମଳାକାନ୍ତଙ୍କ ପରିବାରଲୋକ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କାହିଁକି ଆମ୍ବୁଲାନ୍ସ ବ୍ୟବସ୍ଥା କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରୋଗୀଙ୍କୁ ସ୍ଥାନାନ୍ତର ସମୟରେ ୧୦୮କୁ କଲ୍ କରାଯାଏ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୁଏ। ଫଳରେ ଭଡ଼ା ଗାଡ଼ି କରି ଅସୁସ୍ଥ କଏଦୀଙ୍କୁ ହସ୍ପିଟାଲ ନେବାକୁ ପଡ଼େ। ତେବେ କମଳାକାନ୍ତଙ୍କ ଘଟଣାରୁ ଜେଲ୍‌ ବିଭାଗ ପାଇଁ ଏକ ଶିକ୍ଷା ହେବ କି? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତରେ ଜେଲ୍ ଅଧୀକ୍ଷକ ଡି.ଏନ ବାରିକଙ୍କୁ ପଚରା ଯିବାରୁ ସେ କହିଛନ୍ତି, ଆଗକୁ ଆମ୍ବୁଲାନ୍ସ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନିଆଯାଉଛି।

ଜେଲରେ ହାଇପ୍ରୋଫାଇଲ୍‌
ଝାରପଡ଼ା ଜେଲ୍‌ରେ ବହୁ ହାଇ ପ୍ରୋଫାଇଲ କଏଦୀ ରହୁଛନ୍ତି। ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। ସେହିପରି ଆଇଏଫ୍ଏସ ଅଫିସର୍‌ ଅଭୟକାନ୍ତ ପାଠକ ଜେଲରେ ଥିବା ବେଳେ ପୂର୍ବରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଆଇଏଏଏସ୍ ଅଫିସର୍‌ ବିଜୟକେତନ ଉପାଧ୍ୟାୟ ଗିରଫ ହୋଇ ଜେଲ୍ ଯାଇଥିଲେ। ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ବିକ୍ରମ ମଲ୍ଲିକ ରହୁଥିବା ବେଳେ ପୂର୍ବରୁ ଡି ବ୍ରଦର୍ସ, ହାଇଦର ଭଳି ଅପରାଧୀମାନେ ମଧ୍ୟ ରହୁଥିଲେ। ସେହିପରି ମାଓନେତା ଆଜାଦ୍ ମଧ୍ୟ ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଛି। ଏହା ବାଦ୍ ଚିଟଫଣ୍ଡ ଠକ, ବ୍ୟବସାୟୀମାନେ ରହୁଛନ୍ତି।

ହୋଟେଲ ମାଲିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି
ହୋଟେଲ ସୋଲାନ୍ ଇନ୍ ମାଲିକ କମଳାକାନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁଅ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଣିଥିବା ନିର୍ଯାତନା ଅଭିଯୋଗର ଅନୁସନ୍ଧାନ ଚଳାଇଛି ପୁଲିସ୍‌। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ନେଇ ଅନୁସନ୍ଧାନ କରାଯାଉଛି। ଅନ୍ୟପକ୍ଷରେ କମଳାକାନ୍ତ ବିଚାର ବିଭାଗୀୟ ହାଜତରେ ଥିବାରୁ ତାଙ୍କର ମୃତ୍ୟୁ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ହୋଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର