ଶୋଚନୀୟ ଲୟଲା ସ୍କୁଲ-ସାଲିଆସାହି ରାସ୍ତା, ୪୦ ଲକ୍ଷର କାମ ୫ ବର୍ଷରେ ବିଗିଡ଼ିଗଲା

ଭୁବନେଶ୍ୱର: ୫ ବର୍ଷ ପୂର୍ବେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତାର ନବୀକରଣ କରାଯାଇଥିଲା। ମାତ୍ର ଏବେ ରାସ୍ତା ଅବସ୍ଥା ଶୋଚନୀୟ। କେଉଁଠି ରାସ୍ତାରୁ କଂକ୍ରିଟ୍ ଉଠିଗଲାଣି ତ କେଉଁଠି ପୂରା କଂକ୍ରିଟ୍‌ ଛାଡ଼ି ଯାଇଥିବାରୁ କଳଙ୍କିଲଗା ଲୁହା ଛଡ଼ ଦିଶିଲାଣି। କେଉଁଠାରେ ବଡ଼ବଡ଼ ଖାଲରେ ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କଲାଣି। ଏହା ହେଉଛି ଲୟଲା ସ୍କୁଲରୁ ସାଲିଆସାହିକୁ ଲମ୍ବିଥିବା ରାସ୍ତାର ଅବସ୍ଥା। ରାଜଧାନୀର ବସ୍ତିଗୁଡ଼ିକୁ ଏବେ ବିଏମ୍‌ସି ବିଜୁ ଆଦର୍ଶ କଲୋନିରେ ରୂପାନ୍ତରିତ କରୁଥିବା ବେଳେ ଏହି ରାସ୍ତାର କଦର୍ଯ୍ୟ ଅବସ୍ଥା ସରକାରୀ ଯୋଜନାର ବିକଳ ଚିତ୍ର ପ୍ରଦର୍ଶନ କରୁଛି।

ସୂଚନାଯୋଗ୍ୟ ଯେ ଏହି ରାସ୍ତା ଉପରେ ସାଲିଆସାହିର ୨୦, ୨୧, ୧୬ ଓ ୨୬ ନମ୍ୱର ଵାର୍ଡର ଲୋକମାନେ ଅଧିକ ନିର୍ଭରଶୀଳ। ରାସ୍ତାର କଦର୍ଯ୍ୟ ଅବସ୍ଥା ପାଇଁ ଲୋକେ ଯାତାୟାତ କରିବାରେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଖରାପ ରାସ୍ତା ଲାଗି ସେହି ଅଞ୍ଚଳର ପରିମଳ ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଗଲାଣି। ଆବର୍ଜନା ଗାଡ଼ି ଯିବାରେ ସମସ୍ୟା ହେଉଥିବାରୁ ବହୁ ସମୟରେ ସଫେଇ ଗାଡ଼ି ଆସୁନାହିଁ। ପ୍ରତିଦିନ ଝାଡ଼ୁ ମାରିବାରେ ବି ସଫେଇ କର୍ମଚାରୀମାନେ ଅସୁବିଧାରେ ପଡ଼ୁଛନ୍ତି। ଫଳରେ ରାସ୍ତାରେ ଆବର୍ଜନା ଗଦା ହୋଇ ରହୁଛି। ସେହିଭଳି ରୋଗୀଙ୍କୁ ନେବା ଆଣିବା ପାଇଁ ଏହି ଅଞ୍ଚଳକୁ ଆମ୍ବୁଲାନ୍‌ସ ଯା’ଆସ କରିବା ମଧ୍ୟ କାଠିକର ହୋଇପଡ଼ୁଛି। ପୂର୍ବତନ କର୍ପୋ‌ରେଟର୍‌ ବାସନ୍ତୀ ସିଂହଙ୍କ ମତରେ ପାଞ୍ଚ ବର୍ଷ ତଳେ ଅର୍ଥାତ୍ ୨୦୧୬-୧୭ ମସିହାରେ ପ୍ରାୟ ୪୦ ଲକ୍ଷ ଟଙ୍କା ବିନିମୟରେ ରାସ୍ତା କାମ ହୋଇଥିଲା କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ଆଜି ଏଭଳି ଅବସ୍ଥା। କର୍ପୋରେଟର୍‌ ପ୍ରହଲ୍ଲାଦ ଜେନାଙ୍କ ମତରେ ଲୟଲା ସ୍କୁଲ ନିକଟରେ ପାର୍କିଂ ସମସ୍ୟା ଯୋଗୁଁ ରାସ୍ତାକୁ ଦୁଇଧାଡ଼ିଆ କରାଯିବ। କାମ ପାଇଁ ଟେଣ୍ଡର୍‌ ହୋଇଛି ଏବଂ ଖୁବ୍‌ଶୀଘ୍ର ରାସ୍ତା କାମ ଆରମ୍ଭ ହୋଇଯିବ।

ସମ୍ବନ୍ଧିତ ଖବର