ବିଜୁଳି ଅନୁମତି ପାଇଁ ଅଟକିଛି ଡେମୋ: ଖୁବ୍‌ଶୀଘ୍ର ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’

ଖଣ୍ଡଗିରି: ଖୁବଶୀଘ୍ର ଉଦ୍‌ଘାଟିତ ହେବ ବହୁ ପ୍ରତୀକ୍ଷିତ ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’। ସୋ’ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଜ୍ଞାନକୌଶଳର ସରଞ୍ଜାମ ଲାଗି ସାରିଛି। ଏବେ କେବଳ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି ବୋଲି ବୋଲି ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ପକ୍ଷରୁ ସୂଚନା ମିଳିଛି। ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପାଇଁ ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା ସମ୍ମୁଖରେ ଥିବା କଣ୍ଟ୍ରୋଲ ପ୍ୟାନେଲ୍ ସମ୍ପୂର୍ଣ୍ଣ ତିଆରି ସରିଛି। ଏହା ଉପରେ ୨ଟି ସୌନ୍ଦର୍ଯ୍ୟୀକରଣ ଲାଇଟ୍ ଓ କ୍ୟାମେରା ଲଗାଯାଇଛି। ଯାହା ଛବିକୁ ପାହାଡ଼ରେ ଉତ୍ତୋଳନ କରିବ। ସୋ’ ସମୟରେ ଲାଇଟ, ସାଉଣ୍ଡ ଓ ଭିଜୁଆଲ ମଧ୍ୟରେ ସୁସାମଞ୍ଜସ୍ୟ ରହିବା ସହ ଏହାର କହିବା ଶୈଳୀ, ଉଚ୍ଚାରଣରେ ସ୍ପଷ୍ଟତା ପାଇଁ ୫ଟି ମାଇକ୍ ଓ ଲାଇଟ୍ ବ୍ୟବସ୍ଥା କରାଯାଇଛି। ସୋ’ରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ସିଷ୍ଟମ ଛୋଟ ଓ କମ୍ ଶବ୍ଦଯୁକ୍ତ ରଖାଯାଇଛି। ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସର୍ତ୍ତ ଅନୁସାରେ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ଯେମିତି କୌଣସି କ୍ଷତି ନ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସବୁ ତାର ସଂଯୋଗଗକୁ ପାହାଡ଼ ନଖୋଳି ଉପରେ କରାଯାଇଛି। ସୋ’ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବ୍ୟବହୃତ ହେବାକୁ ଥିବା ବେଞ୍ଚ ଓ ଚେୟାର ଖୁବଶୀଘ୍ର ଲାଗିବାକୁ ଯୋଜନା ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଆଇଟିଡିସି ପକ୍ଷରୁ ସମସ୍ତ କାମ ସରିଥିଲେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ପକ୍ଷରୁ ବିନା କୌଣସି ବାଧାରେ ସୋ’ ଚାଲିବା ପାଇଁ ଆବଶ୍ୟକ ବିଦ୍ୟୁତ୍ ବ୍ୟାକଅପ୍ ବ୍ୟବସ୍ଥା ବା ଡିଜି ଓ ୧୧କେଭିର ବିଜୁଳି ଖୁଣ୍ଟିର ବ୍ୟବସ୍ଥା କରାଯାଇ ନାହିଁ। ଯେଉଁଥିପାଇଁ ଏହାର ଡେମୋ ଦିଆଯାଇ ପାରୁନାହିଁ। ବିଦ୍ୟୁତ୍ ବ୍ୟବସ୍ଥା ହୋଇଗଲେ ଖଣ୍ଡଗିରି ମେଳା ସମୟରେ ମଧ୍ୟ ପର୍ଯ୍ୟଟକ ଏହି ସୋ’ ଦେଖିପାରିବେ। ସୋ’ ଆରମ୍ଭ ହେଲେ ଏହାର ଆରମ୍ଭ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଆଇଟିଡିସି ଏହାର ସ୍ଥାପନ, ରକ୍ଷଣାବେକ୍ଷଣ କାର୍ଯ୍ୟ ସହ ବିଦ୍ୟୁତ୍ ବିଲ୍ ଖର୍ଚ୍ଚ ବହନ କରିବ। ମିଳିବାକୁ ଥିବା ରାଜସ୍ବ ଆଇଟିଡିସି ଓ ଏଏସ୍ଆଇ ମଧ୍ୟରେ ୬୦ : ୪୦ ଅନୁପାତରେ ବଣ୍ଟା ହେବ। ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାକୁ ରୋକିବା ଲାଗି ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖାଯିବା ସହ ଚୋରିକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥା ଆଇଟିଡିସି କରିବ। ଏଏସ୍ଆଇ ବିଶେଷଜ୍ଞଙ୍କ ବିନା ଅନୁମତିରେ ସୋ’ର ପୂର୍ବ ନିର୍ଦ୍ଧାରିତ କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଆଇଟିଡିସିକୁ ପ୍ରତିଦିନ ଏହି ସୋ’ ଚଳାଇବାକୁ ହେବ। ଦେଶ କିମ୍ବା ରାଜ୍ୟର କୌଣସି ସ୍ବତନ୍ତ୍ର ଦିବସ ଥିଲେ ଏଏସ୍ଆଇ ପକ୍ଷରୁ ସ୍ବତନ୍ତ୍ର ସୋ’ ପରିବେଷଣ କରାଯାଇପାରେ।

ସମ୍ବନ୍ଧିତ ଖବର