ପରିବାର ସହିତ ତ୍ରିକୋଣୀୟ ପ୍ରେମ: ୨୫ଟି ହଲ୍‌ରେ ମୁକ୍ତିଲାଭ କଲା ‘କେମିତି ଏ ସମ୍ପର୍କ’

୨୫ଟି ହଲ୍‌ରେ ମୁକ୍ତିଲାଭ କଲା ‘କେମିତି ଏ ସମ୍ପର୍କ’

ଭୁବନେଶ୍ବର: ଏକ ପାରିବାରିକ କାହାଣୀକୁ ନେଇ ସାରା ଓଡିଶାର ୨୫ଟି ସିନେମା ହଲ୍‌ରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଫିଲ୍ମ ‘କେମିତି ଏ ସମ୍ପର୍କ’। ‘କଳିଙ୍ଗପୁତ୍ର’ ଆକାଶ ଦାସ ନାୟକ, ଏଲିନା ସାମନ୍ତରାୟ ଓ ଲିପ୍ସା ମିଶ୍ରଙ୍କୁ ନେଇ ଜେଜେଏନ୍‌ଜେ ବ୍ୟାନରରେ ନିର୍ମିତ ହୋଇଥିବା ଏ ଫିଲ୍ମର ପ୍ରିମିଅର ସୋ’ ଭୁବନେଶ୍ୱର ସ୍ଥିତ ସ୍ୱାତି ସିନେପ୍ଲେକ୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆକାଶ, ଏଲିନା ଓ ଲିପ୍ସାଙ୍କ ସମେତ ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଅସିତ ପତି, ଉଷସୀ ମିଶ୍ର, ମମତା ଦାଶ, ନମିତା, ଶିବ ପୂଜାପଣ୍ଡା, ଜ୍ଞାନ ବାରିକ, ଗୁଡ୍ଡୁ, ସନ୍ତୁ, ଲତାଶା ଖୁରାନା, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ପ୍ରଯୋଜକ ରୂପେଶ କୁମାର ନାୟକ ପ୍ରମୁଖ ଦର୍ଶକଙ୍କ ସହିତ ଏକାଠି ବସି ସିନେମାଟିକୁ ଦେଖିଥିଲେ। ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏକ ମୌଳିକ ପାରିବାରିକ କାହାଣୀ ରହିଛି। ତା’ଭିତରେ ଚମତ୍କାର ଭାବେ ଖଞ୍ଜା ଯାଇଛି ଏକ ତ୍ରିକୋଣୀୟ ପ୍ରେମ। ତେଣୁ କାହାଣୀରେ ଭରପୂର ରହିଛି ରହସ୍ୟ, ରୋମାଞ୍ଚ ଓ ସଂଘର୍ଷ। ଏହାକୁ ଯୁବପିଢ଼ି ଦର୍ଶକମାନେ ପସନ୍ଦ କରିଛନ୍ତି।

ଉଲ୍ଲେଖନୀୟ ଯେ ‘କେମିତି ଏ ସମ୍ପର୍କ’ର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଥିବା ରୂପେଶ କୁମାର ନାୟକଙ୍କର ଏହା ପ୍ରଥମ ଫିଲ୍ମ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତ ରଚନା ନିର୍ମଳ ନାୟକ କରିଥିବାବେଳେ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ। ସେହିପରି ସମ୍ପାଦନାରେ ରାଜେଶ ଦାସ, କଳାରେ ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫିରେ ଲୁବୁନ ଟୁବୁନ, ଭିଏଫ୍‌ଏକ୍ସରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ୍‌ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ। ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର