ଭୁବନେଶ୍ବର: ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ରଥଯାତ୍ରା ଯଥାବିଧି ଅନୁଷ୍ଠିତ ହେବ। ପଟିଆ-ଚନ୍ଦ୍ରଶେଖରପୁରରୁ ତମାଣ୍ଡୋ ଓ ବାଣୀବିହାରରୁ ପୁରୁଣା ଭୁବନେଶ୍ବର ପର୍ଯ୍ୟନ୍ତ ସବୁଠି ରଥମୟ ହୋଇଯିବ ରାଜଧାନୀର ରାଜରାସ୍ତା। ପାଖାପାଖି ୬୦ ରଥ ଗଡ଼ିବ। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇସ୍କନ, କୋଳଥିଆ, କିସ୍ ଶ୍ରୀବାଣୀ କ୍ଷେତ୍ର, ଶିରିପୁର-ଓୟୁଏଟି, ଜାଗମରା ଓ ଆର୍ସିଏମ୍ ଭଳି ରଥଯାତ୍ରାରେ ପ୍ରବଳ ଭିଡ଼ ହେବ। ଏସବୁ ଜାଗାକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରଥଯାତ୍ରା ପାଇଁ ସାରା ସହରରରେ ୧୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ଡିସିପିଙ୍କ ନେତୃତ୍ବରେ ୬ଜଣ ଏଡିସିପି ୧୨ଜଣ ଏସିପିଙ୍କ ସମେତ ୧୦୦ ଅଫିସର୍ ଦାୟିତ୍ବରେ ରହିବେ। ଆର୍ଓ ସ୍ବତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ସହ ବରମୁଣ୍ଡା ବସ୍ଷ୍ଟାଣ୍ଡ, ହାଇଟେକ୍ ଛକ, ସାଇମନ୍ଦିର ଛକ, ଲିଙ୍ଗରାଜ ଛକ, କଳ୍ପନା ଆଦି ଅଞ୍ଚଳରେ ୫ଟି କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ମଧ୍ୟ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିବେ। ସେହିପରି ଅଗ୍ନିଶମ ବିଭାଗକୁ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ସାମିଲ୍ କରାଯାଇଛି। ଭିଡ଼ ଭିତରେ ପୁଲିସ ସାଦାପୋଷାକରେ ରହିବେ ବୋଲି ମଧ୍ୟ ସୂଚନା ମିଳିଛି। ରଥରେ ଭିଡ଼ର ସୁଯୋଗ ନେଇ ଲୁଟେରା ଗ୍ୟାଙ୍ଗ୍ ଲୁଟ୍ପାଟ କରିବାର ଆଶଙ୍କା ରହିଛି। ଭିଡ଼ କାରଣରୁ ଟ୍ରାଫିକ୍ ବ୍ୟବସ୍ଥା ଜଟିଳ ହେବ ଏବଂ କୌଣସି ରଥ ନିକଟରେ ଦଳାଚକଟା ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଅପରାଧ ନିୟନ୍ତ୍ରଣ ସାଙ୍ଗକୁ ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ କମିସନରେଟ୍ ପୁଲିସ ପ୍ରସ୍ତୁତି କରିଛି। ସହରର ବିଭିନ୍ନ ଛକ, ଗଳି ଓ ମୁଖ୍ୟ ରାସ୍ତାରେ ଚେକିଂ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ଖଟିଗୁଡ଼ିକ ଉପରେ ନଜର ରଖାଯିବା ସହ ବିଭିନ୍ନ ସମୟରେ ଚଢ଼ଉ କରାଯାଉଛି। ସେହିଭଳି ହୋଟେଲ୍ଗୁଡ଼ିକରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ହୋଟେଲ୍କୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ତଥ୍ୟ ସରାଇ ଆପ୍ରେ ଅପ୍ଡେଟ୍ ଦେବାକୁ ସମସ୍ତ ହୋଟେଲ୍କୁ ନୋଟିସ୍ କରାଯାଇଛି। ସେହିଭଳି ହୋଟେଲ ଯାଞ୍ଚ କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
ଜଗିବେ ୧୭ ପ୍ଲାଟୁନ୍ ଫୋର୍ସ
ନେତୃତ୍ବ ନେବେ ୧୦୦ ଅଫିସର୍
ରଥ ରାସ୍ତାରେ ଟ୍ରାଫିକ୍ କଟକଣା
ସେହିଭଳି ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ୨୭ ତାରିଖ ରଥଯାତ୍ରା ଓ ୫ ବାହୁଡ଼ାଯାତ୍ରା ବେଳେ ଅପରାହ୍ଣ ୩ଟାରୁ ରଥଗୁଡ଼ିକ ସିଆର୍ପି ଛକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ ଖଣ୍ଡଗିରି ପଟୁ ଫାୟାରଷ୍ଟେସନ ସର୍ଭିସ୍ ରୋଡ୍ ଦେଇ କୌଣସି ପ୍ରକାର ଭାରୀଯାନ ସିଆର୍ପି ଛକ ଆଡ଼କୁ ଅସିପାରିବେ ନାହିଁ। ସେହିପରି ଡିଏଭି ୟୁନିଟ୍-୮ରୁ ମାଉସୀମା ମନ୍ଦିର ଓ ସିଆର୍ପି ଛକ, ସିଆର୍ପି ଛକରୁ ଇସ୍କନ ମନ୍ଦିର ଆଡ଼କୁ ଅସୁଥିବା ଗାଡ଼ିଗୁଡ଼ିକ ଉପରେ ସମାନ କଟକଣା ଲଗାଯାଇଛି। ୬ ତାରିଖ ସନ୍ଧ୍ୟା ୫ଟାରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସିଆର୍ପି ଛକରୁ ଇସ୍କନ ମନ୍ଦିର ମଧ୍ୟରେ କୌଣସି ଯାନବାହାନ ଯାତାୟତ କରିପାରିବେ ନାହିଁ।
କୁନି ରଥରେ ବିଶ୍ବନିୟନ୍ତା
ପୁରୁଣା ଭୁବନେଶ୍ୱର: କୁନିକୁନି ୧୬ଟି ଚକ। କୁନିକୁନି ସଖି, ପାର୍ଶ୍ବ ଦେବଦେବୀ ଆଉ ବିଶ୍ବନିୟନ୍ତାଙ୍କ କୁନି ରୂପ। ପୁରୁଣା ଭୁବନେଶ୍ବରର ଶିଳ୍ପୀ କେଦାରନାଥ ମହାରଣାଙ୍କ ଯାଦୁଗରୀ ସ୍ପର୍ଶରେ ରୂପ ପାଇଛି ଏ ସୁନ୍ଦର ସୃଷ୍ଟି। ରଥର ଉଚ୍ଚତା ମାତ୍ର ୨ ଫୁଟ୍ ୨ ଇଞ୍ଚ ଏବଂ ଓସାର ୨ଫୁଟ୍ ୧ ଇଞ୍ଚ। ରଥରେ ରହିଛି ସାରଥିଙ୍କଠାରୁ ଆରମ୍ଭ କରି ୪ଟି ଘୋଡ଼ା, ସିଂହାସନରେ ଠାକୁରଙ୍କ ଆସନ, ଜୟାବିଜୟ ସହ ଦଣ୍ଡା, ଚକ୍ର, କଳସ, ଓଲଟା ଶୁଆ, ମକର ଦଣ୍ଡା, ପତାକା, ଦଧିନଉତି, ପାରାଭାଡ଼ି, କୁମ୍ଭପଟି, ଷୋଳନାହାକା, ସାରଥି, ହଂସପଟା ଆଦି ତିଆରି ହୋଇଛି। ରଥ କୁରୁମ, ଶାଗୁଆନ ଓ ଶାଳ କାଠରେ ତିଆରି ହୋଇଛି।
ଏହାପରେ ଅତି ସୂକ୍ଷ୍ମରେ ଚିତ୍ର ମଧ୍ୟ କରାଯାଇଛି। ରେକର୍ଡ଼ ନିଶାରେ ନୁହେଁ, ବରଂ ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏଭଳି ରଥ ତିଆରି କରିଛନ୍ତି କେଦାରନାଥ। ତାଙ୍କ ପରିବାର ସଦସ୍ୟ ପୁରୀରେ ତିନିରଥରେ ପ୍ରତିବର୍ଷ ଚିତ୍ର କରି ଆସୁଛନ୍ତି। ଚଳିତ ବର୍ଷ କେଦାରନାଥଙ୍କ ପୁଅ ରଥର ଚିତ୍ର କରିବାକୁ ଯାଇଥିବା ବେଳେ ସେ ଏପରି ସୂକ୍ଷ୍ମ ରଥ ତିଆରି କରିବାରେ ବ୍ୟସ୍ତ।