ଖଣ୍ଡଗିରି : ୨୦୧୪ ମସିହାରେ ସାମାନ୍ୟ ଘରୋଇ କଳିକୁ କେନ୍ଦ୍ର କରି ନିଜ ବଡ଼ଭାଇର ଝିଅକୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ଦାଦାକୁ ମାନ୍ୟବର ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ବର୍ଷେ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆସାମୀ ଦାଦା ହେଉଛନ୍ତି ସ୍ଥାନୀୟ ଶିରିପୁରର ପ୍ରଭାତ କୁମାର ସେଠୀ(୫୩)। ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ଦ୍ୱାରା ଲଗାଯାଇଥିବା ୩୦୭ ଧାରାକୁ ମାନ୍ୟବର ଅଦାଲତ ଖାରଜ କରି ୩୨୩ ଧାରାରେ ପ୍ରଭାତକୁ ଦଣ୍ଡବିଧାନ କରିଛନ୍ତି। ତେଣୁ ଧାରା ଅନୁସାରେ ଦଣ୍ଡକୋହଳ ହୋଇଥିଲେ ବି ବିଚରା ପ୍ରଭାତ ଅଧିକ ୩ ବର୍ଷ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି। କାରଣ ସେ ଘଟଣା ପରଠାରୁ ଜେଲ୍ରେ ରହି ଯାଇଥିଲେ। ଉପଯୁକ୍ତ ତଦନ୍ତ ନ କରି ପୁଲିସ ପ୍ରଭାତ ବିରୋଧରେ କଠୋର ଧାରା ଲଗାଇଥିବାରୁ ସେ ଅଧିକ ଦଣ୍ଡ ଭୋଗିଲେ ବୋଲି ଚର୍ଚା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ୨୦୧୪ ଜୁନ୍ ୫ ତାରିଖ ସକାଳେ ଘରୋଇ ବିବାଦ କାରଣରୁ ଶିରିପୁର ପ୍ଲଟ୍ ନମ୍ବର ୨୪୧ରେ ରହୁଥିବା ପ୍ରଭାତ ସେଠୀ ତାଙ୍କ ବଡ଼ ଭାଇଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କୁ ଛୁରା ମାଡ଼ କରି ଆହତ କରିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ମୁହଁର ବିଭିନ୍ନ ସ୍ଥାନରେ ଏକାଧିକ କ୍ଷତ ସୃଷ୍ଟି ହୋଇଥିଲା। ଏମିତିକି ଏହି ଗଣ୍ଡଗୋଳରେ ଲକ୍ଷ୍ମୀପ୍ରିୟାଙ୍କ ଶିଶୁକନ୍ୟା ମଧ୍ୟ ଆହତ ହୋଇଥିଲେ। ଏ ନେଇ ଖଣ୍ଡଗିରି ଥାନାରେ କେସ୍ ନମ୍ବର ୨୮୧/୧୪ ବଳରେ ଏକ ମାମଲା ରୁଜୁ ହୋଇଥିିଲା ଓ ପରେ ଖଣ୍ଡଗିରି ଥାନା ପୁଲିସ ୩୦୭ ଦଫାରେ କେସ୍ କରି ପ୍ରଭାତକୁ ଗିରଫ କରିଥିଲା। ଲକ୍ଷ୍ମୀପ୍ରିୟାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଓ ଏଥିରେ ଜଣେ ଶିଶୁ ଆହତ ହୋଇଥିବା କାରଣରୁ ପୁଲିସ ଏଭଳି ସଂଗିନ୍ ଦଫାରେ ମାମଲା ରୁଜୁ କରିଥିିଲା। ତେଣୁ ପ୍ରଭାତଙ୍କୁ ଜାମିନ୍ ମିଳି ନଥିଲା ଓ ସେହି ଦିନଠାରୁ ପ୍ରଭାତ ଜେଲ୍ରେ ରହି ଯାଇଥିିଲେ।
କେସ୍ ପରିଚାଳନା ଭିତରେ ପ୍ରଭାତ ଜଣେ ଦିବ୍ୟାଙ୍ଗ( କଥା କହିପାରୁ ନଥିବା) ବୋଲି ଜଣାପଡ଼ିଥିଲା। ତେଣୁ କଟକ ଏସ୍ସିବି ମେଡିକାଲ କଲେଜରେ ପ୍ରଭାତଙ୍କୁ ଯାଞ୍ଚ କରାଯାଇଥିଲା। ତେବେ ସେ ଦିବ୍ୟାଙ୍ଗ ବୋଲି ପ୍ରମାଣ ମିଳିଥିଲେ ମଧ୍ୟ ସେ ଲେଖି ପଢ଼ି ପାରୁଥିବା ଜଣାପଡ଼ିଥିିଲା। ତେଣୁ ଦଣ୍ଡଛାଡ଼ ପାଇଁ କରାଯାଇଥିବା ଆବେଦନକୁ ମାନ୍ୟବର ଅଦାଲତ ଅଗ୍ରାହ୍ୟ କରି ଦେଇଥିଲେ। ଏହି ମାମଲାରେ ୬ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସେହିଭଳି ପୁଲିସର ଚାର୍ଜସିଟ୍ ଓ ସାକ୍ଷୀମାନଙ୍କ ବୟାନ୍କୁ ଅନୁଧ୍ୟାନ କରିବା ପରେ ମାନ୍ୟବର ଅଦାଲତ ପୁଲିସ ଦ୍ୱାରା ଲାଗୁ ହୋଇଥିବା ଦଫା ୩୦୭କୁ ଖାରଜ କରିଥିଲେ ଓ ୩୨୩ ଧାରାରେ ପ୍ରଭାତଙ୍କୁ ଦୋଷୀ ସାବ୍ୟସ୍ତ କରି ବିନା ଜରିମାନାରେ ବର୍ଷେ ଜେଲ୍ ଦଣ୍ଡ ଶୁଣାଇଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜଷ୍ଟିସ୍ ଦାମୋଦର ରଥଙ୍କ କୋର୍ଟରେ ବିଚାରାଧୀନ ଥିବା ଏହି ମାମଲାକୁ ସରକାରୀ ଓକିଲ(ଅତିରିକ୍ତ ପିପି) ଡ. ସୁରେଶ କୁମାର ବାରିକ ପରିଚାଳନା କରୁଥିଲେ। ମାନ୍ୟବର ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ଆଜି ପ୍ରଭାତଙ୍କୁ ଜେଲ୍ରୁ ମୁକ୍ତି ମିଳିଯାଇଛି।