ସଫେଇ କର୍ମଚାରୀଙ୍କ ଆନ୍ଦୋଳନ: ୨୦ ୱାର୍ଡରୁ ଉଠିଲାନି ଅଳିଆ

ଭୁବନେଶ୍ୱର: ସଫେଇ କର୍ମଚାରୀ ଓ ଠିକା ସଂସ୍ଥା ମଧ୍ୟରେ ଚାଲିଥିବା ବିବାଦ ପାଇଁ ଭୋଗୁଛନ୍ତି ରାଜଧାନୀବାସୀ। କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଆଜି ଭୁବନେଶ୍ବରର ୨୦ ୱାର୍ଡରୁ ଆବର୍ଜନା ଉଠିପାରି ନାହିଁ। ବାରମ୍ବାର ଏଭଳି ହେଉଥିବାରୁ ବିଏମ୍‌ସି ବି ବଦନାମ ହେଉଛି। ବିଏମ୍‌ସି ପାଣ୍ଠିରୁ କୋଟି କୋଟି ଟଙ୍କା ଆବର୍ଜନା ପରିଚାଳନା ବାବଦକୁ ଖର୍ଚ୍ଚ ହେଉଥିଲେ ମଧ୍ୟ ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନାହିଁ। ଏଣେ ବିନା ନୋଟିସ୍‌‌ରେ କର୍ମଚାରୀ ହଠାତ୍‌ କାମ ବନ୍ଦ କରି ଦେଉଥିବାରୁ ଠିକା ସଂସ୍ଥା ବି ଅକଳରେ ପଡ଼ି ଯାଉଛି। ହଠାତ୍‌ ଏତେ କର୍ମଚାରୀ ଯୋଗାଡ଼ କରି ଏତେଗୁଡ଼ାଏ ୱାର୍ଡରୁ ଅଳିଆ ଉଠାଇବା ସମ୍ଭବ ହେଉନାହିଁ। ଏଭଳି ଏକ ବିଚିତ୍ର ପରିସ୍ଥିତି ଆଜି ସୃଷ୍ଟି ହୋଇଥିଲା। ବିଭିନ୍ନ ଦାବି ନେଇ ଠିକା ସଂସ୍ଥା ଆୱାରଲ୍ୟାଣ୍ଡ ବିରୋଧରେ ସଫେଇ କର୍ମଚାରୀମାନେ ସ୍ବର ଉଠାଇଥିଲେ। କାମ ବନ୍ଦ କରି ଶହ ଶହ କର୍ମଚାରୀ ରାଜମହଲ ଛକରେ ଧାରଣା ଦେଇଥିଲେ। ଘଟଣାସ୍ଥଳରେ ଆୱାରଲ୍ୟାଣ୍ଡର ଅଧିକାରୀ ପହଞ୍ଚି ବୁଝାସୁଝା‌ କରିଥିଲେ ମଧ୍ୟ ସେମାନେ ବୁଝିନଥିଲେ। ଶେଷରେ କର୍ମଚାରୀଙ୍କୁ ଡାକି ମେୟର ବିଏମ୍‌ସି ଅଫିସରେ ଆଲୋଚନା କରିଥିଲେ। ବୋନସ୍‌ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ମେୟରଙ୍କ ଉପସ୍ଥିତିରେ ସମ୍ପୃକ୍ତ ସଂସ୍ଥା କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। କିନ୍ତୁ ଦୁଇଟି ପ୍ୟାକେଜ୍‌ର ସେହି ୨୦ ୱାର୍ଡରୁ ଆଜି ଆବର୍ଜନା ଉଠି ପାରିନଥିଲା।

ଆନ୍ଦୋଳନର ନେତୃତ୍ବ ନେଉଥିବା ସହଦେବ ନାୟକଙ୍କ ଅଭିଯୋଗ ହେଉଛି, ଆୱାରଲ୍ୟାଣ୍ଡ ସଫେଇ କର୍ମଚାରୀମାନଙ୍କୁ ଆରମ୍ଭରୁ ହଇରାଣ କରିଆସୁଛି। ଦୁର୍ଗାପୂଜାରେ ବୋନସ୍‌ ଦେବାକୁ ମନା କରିଦେବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଯଦିଓ ଆନ୍ଦୋଳନ ପରେ ବୋନସ ଦେବାକୁ ସଂସ୍ଥା ରାଜି ହୋଇଛି। ଏହା ବାଦ୍‌ ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ଜୋତା, ଗ୍ଲୋବ୍ସ, ମାସ୍କ, ଡ୍ରେସ୍ ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରୁନାହିଁ। ସେହିଭଳି ମାତ୍ର ୨୦ ପ୍ରତିଶତ କର୍ମଚାରୀଙ୍କର ଇପିଏଫ୍‌/ଇଏଏସ୍‌ଆଇ ସୁବିଧା କରାଯାଇଛି। କର୍ମଚାରୀଙ୍କୁ ପରିଚୟପତ୍ର ଓ ପେ-ସ୍ଲିପ୍‌ ମଧ୍ୟ ଦେଉ ନାହିଁ। ବଡ଼କଥା ହେଉଛି କର୍ମଚାରୀମାନେ ସ୍ବଳ୍ପ ଦରମା ପାଉଛନ୍ତି। ଆାମେ ୧୫ ହଜାର ଟଙ୍କା ଦାବି କରିଛୁ। ଏହି ଦାବି ସବୁ ନେଇ ଗତ ୪ ତାରିଖରେ ଆମେ ଆନ୍ଦୋଳନ କରିଥିଲୁ। ଆୱାରଲ୍ୟାଣ୍ଡ ସବୁ ସୁବିଧା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ ଆମେ ଆଜି କାମ ବନ୍ଦ କରିବାକୁ ବାଧ୍ୟ ହୋଇଥିଲୁ। ତାଙ୍କ ସହିତ ଆନ୍ଦୋଳନର ନେତୃତ୍ବ ନେଉଥିବା ସନ୍ତୋଷ ନାୟକ, ସଞ୍ଜୟ ନାୟକ, ସୁଶାନ୍ତ ଦଳେଇ, ତରୁଣ ଦଳେଇ ଓ କୈଳାସ ନାହାକ ପ୍ରମୁଖ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି।

ଅନ୍ୟପଟେ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଏକାଧିକ ଅଭିଯୋଗ ରହିଛି। ୮ ଘଣ୍ଟା କାମ କରିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କେହି ଜଣେ ହେଲେ ୮ ଘଣ୍ଟା କାମ କରୁନାହାନ୍ତି। କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା କର୍ମଚାରୀ ଏ ନେଇ ତାଗିଦ୍‌ କଲେ ଆଟ୍ରୋସିଟି ମାମଲା ଚେତାବନୀ ମିଳୁଛି। କର୍ମଚାରୀମାନେ କେବଳ ଝାଡ଼ୁ ମାରୁଛନ୍ତି। କୁକୁର ମଳ ଉଠାଉ ନାହାନ୍ତି। ୱାଲ୍‌ ଟୁ ୱାଲ୍‌ ଝାଡ଼ୁ ମାରୁନାହାନ୍ତି। ବୋନସ୍‌ ଦେବା ଚୁକ୍ତିନାମାରେ ନାହିଁ। କେବଳ ଅଗ୍ରୀମ ଦରମା ବ୍ୟବସ୍ଥା ରହିଛି। ସବୁଠାରୁ ବଡ଼ ଅଭିଯୋଗ ହେଉଛି କି ବିନା ନୋଟିସ୍‌ରେ ହଠାତ୍‌ କାମ ବନ୍ଦ କରି ଦେଉଥିବାରୁ ବିକଳ୍ପ ବ୍ୟବସ୍ଥା କରିହେଉ ନାହିଁ। ପ୍ରତ୍ୟେକ ଦିନ ୧୫ରୁ ୨୦ ପ୍ରତିଶତ କର୍ମଚାରୀ ଅନୁପସ୍ଥିତ ରହୁଛନ୍ତି। ଏଭଳି ଅନେକ ସମସ୍ୟା ନେଇ ଠିକା ସଂସ୍ଥା ବି ଫସି ରହିଛି।

ଆୱାରଲ୍ୟାଣ୍ଡକୁ ୧୪ ଲକ୍ଷ ଜରିମାନା
ଆୱାରଲ୍ୟାଣ୍ଡ ଦୁଇଟି ପ୍ୟାକେଜ୍‌ରେ ଥିବା ୨୦ଟି ୱାର୍ଡ ସଫେଇ ଦାୟିତ୍ବ ନେଇଛି। ସେଥିରେ ୧୮୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ ଅଛନ୍ତି। ଏହି ସଂସ୍ଥା ବିରୋଧରେ ସବୁଠାରୁ ଅଧିକ ଅଭି‌ଯୋଗ ରହିଛି। କର୍ମଚାରୀ ଅସନ୍ତୋଷ ଯୋଗୁଁ ଆନ୍ଦୋଳନ ହେଉ ବା ଉଚିତ୍‌ ଢଙ୍ଗରେ ସଫେଇ ନ ହେଉ, ବାରମ୍ବାର ଅଭିଯୋଗ ଆସିବା ପରେ ସମ୍ପୃକ୍ତ ସଂସ୍ଥାକୁ ଏ ଯାବତ୍‌ ୧୪ ଲକ୍ଷ ଟଙ୍କା ଜରିମାନା ହୋଇ ସାରିଲାଣି। ସମସ୍ୟା ଯାହା ବି ହେଉ ସଫେଇ କାର୍ଯ୍ୟ ହେଉନଥିବାରୁ ବିଏମ୍‌ସି ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ଏହି ପ୍ୟାକେଜ୍‌ ଟେଣ୍ଡରରେ ତ୍ରୁଟି ଥିବାରୁ ଏହାକୁ ବାତିଲ କରିବାକୁ ବିଏମ୍‌ସି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦେଇଛି। କିନ୍ତୁ ତାହା ସେଠାରେ ପଡ଼ି ରହିଛି। ଏଥିରେ ବିଭାଗର କ’ଣ ସ୍ବାର୍ଥ ରହିଛି ତାହା ବୁଝାପଡ଼ୁ ନାହିଁ।

ସମ୍ବନ୍ଧିତ ଖବର