ନାଚୁଛନ୍ତି ୨୧ରୁ କମ୍‌ ବୟସର ଯୁବତୀ: ୫ ବାର୍‌କୁ ଅବକାରୀ ବିଭାଗ ନୋଟିସ୍‌

ଭୁବନେଶ୍ବର: ବାର୍‌ର ରଙ୍ଗିନ ଆଲୋକରେ ଉଚ୍ଚା ସଙ୍ଗୀତର ତାଳେ ତାଳେ ମିଳିଥିବା ଅନୁମତିଠାରୁ ଅଧିକ ସମୟ ଯାଏ ଝୁମୁଛନ୍ତି ଗ୍ରାହକ। ନିଶା ଚଢ଼ିବା ପରେ ନାଚୁଥିବା ବାର୍‌ ଗାର୍ଲଙ୍କ ଉପରେ ନକଲି ଟଙ୍କା ଉଡ଼ାଉଛନ୍ତି। ବାର୍‌ରେ ନାଚୁଥିବା ଏହି ଝିଅଙ୍କ ଭିତରୁ ଅନେକଙ୍କ ବୟସ ୨୧ ବର୍ଷରୁ ବି କମ୍‌। ମଙ୍ଗଳବାର, ଅର୍ଥାତ୍‌ ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀର ବାର୍‌ଗୁଡ଼ିକ ଉପରେ ଚଢ଼ଉ ବେଳେ ଏଭଳି ଘଟଣା ପଦାକୁ ଆସିଛି। ଚଢ଼ଉରୁ ସ୍ପଷ୍ଟ ହୋଇ ଯାଇଛି ଯେ ବାର୍‌ ବନ୍ଦ କରିବା ସମୟ ଠାରୁ ଆରମ୍ଭ କରି ବାର୍‌ ଗାର୍ଲ ନିଯୁକ୍ତି ଓ ଗ୍ରାହକଙ୍କ ସୁରକ୍ଷା ନେଇ ଅବକାରୀ ବିଭାଗ ପକ୍ଷରୁ ନିୟମକୁ ଯେତେ କଡ଼ାକଡ଼ି କଲେ ବି ବାର୍‌ ମାଲିକମାନେ ତା’କୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛନ୍ତି। ବାର୍‌ରେ ନକଲି ଟଙ୍କା ପଶିପାରିବ ନାହିଁ କି ୨୧ ବର୍ଷରୁ କମ୍‌ ଯୁବତୀ ନୃତ୍ୟ କରିପାରିବେ ନାହିଁ ବୋଲି ନିୟମ ରହିଥିଲେ ହେଁ କ୍ବଚିତ୍‌ ମାଲିକ ଏହାକୁ ମାନୁଛନ୍ତି। ଏହାଛଡ଼ା ପାର୍ବଣ ଋତୁ ଥିବାରୁ ଅବକାରୀ ବିଭାଗ ପକ୍ଷରୁ ବାର୍‌ଗୁଡ଼ିକରେ ଚଢ଼ଉ କରାଯିବ ବୋଲି ଦୁଇଦିନ ତଳେ ବିଧିବଦ୍ଧ ଭାବେ ସତର୍କ କରାଯିବାପରେ ମଧ୍ୟ ତାହାକୁ କେହି ଗମ୍ଭୀରତାର ସହିତ ନେଇ ନଥି‌ବା ପ୍ରମାଣ ହୋଇ ଯାଇଛି। ତେଣୁ ସାଧାରଣରେ ପ୍ରଶ୍ନ ଉଠୁଛି, ଏହି ବାର୍‌ଗୁଡ଼ିକ କାହା ଛତ୍ରଛାୟା ତଳେ ରହିଛନ୍ତି ଯେ ସବୁ ନିୟମକୁ ମଡ଼ିମକଚି ଅବକାରୀ ବିଭାଗ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି?

ତଥ୍ୟ ମୁତାବକ, ରାଜଧାନୀରେ ୧୮ଟି ଡ୍ୟାନ୍ସ ବାର ସମେତ ୧୨୨ଟି ବାର୍‌କୁ ଅନୁମତି ମିଳିଥିବା ବେଳେ ୧୫ଟି ଡ୍ୟାନ୍ସ ବାର ଚାଲିଛି, ୩ଟି ବନ୍ଦ ରହିଛି। ନିକଟ ଅତୀତରେ ଡାନ୍ସ ବାର୍‌କୁ ନେଇ ଘଟିଥିବା ଏକାଧିକ ଘଟଣା ଓ ଗଣମାଧ୍ୟମରେ ବହୁ ସମାଲୋଚନା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଅବକାରୀ ବିଭାଗ, ଫ୍ଲାଇଂଗ ସ୍କ୍ବାର୍ଡ ଏବଂ ଗୁଇନ୍ଦାର ୮ଟି ଟିମ୍‌ ରାଜଧାନୀର ବାର୍‌ଗୁଡ଼ିକ ଉପରେ ଅଚାନକ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବାର୍‌ଗୁଡ଼ିକ ସ୍ଥିତି ଦେଖି ଅବକାରୀ ବିଭାଗର ଅଧିକାରୀମାନେ ହତମ୍ବର ହୋଇ ଯାଇଥିଲେ। ସେମାନେ ଦେଖିଥିଲେ, କେଉଁ ବାରରେ ଟଙ୍କା ଉଡୁଛି ତ କେଉଁଠି କମ୍‌ ବୟସର ଯୁବତୀଙ୍କୁ ନଚାଯାଉଛି। ପେଣ୍ଟାଗନ, ଦିପାଳୀ, ଦି ୱାଇଣ୍ଡ, ମହାନ୍ତି ଆଦି ବାର୍‌ରେ ଗ୍ରାହକମାନେ ବାର ଗାର୍ଲଙ୍କ ଉପରେ ନକଲି ଟଙ୍କାର ବର୍ଷା କରୁଥିଲେ, ସେହିପରି ଏକାମ୍ର ବାର୍‌ରେ ଜଣେ ୨୧ବର୍ଷରୁ କମ୍‌ ଯବୁତୀଙ୍କୁ ନୃତ୍ୟରେ ନିୟୋଜିତ କରା ଯାଇଥିବା ଜଣା ପଡ଼ିଥିଲା। ନିୟମ ଉଲ୍ଲଂଘନ ଦେଖି ଅବକାରୀ ବିଭାଗ ଉକ୍ତ ବାର୍‌ଗୁଡ଼ିକୁ ତୁରନ୍ତ ବନ୍ଦ କରାଇଥିଲା। ସେହିପରି ୫ଟି ବାର୍‌କୁ ନୋଟିସ୍‌ କରାଯାଇଥିଲା। କେଉଁ ପରିସ୍ଥିତିରେ ଏବଂ କାହିଁକି ନିୟମ ଉଲ୍ଲଂଘନ କଲେ, ଏନେଇ ୭ଦିନ ମଧ୍ୟରେ ଏକ ରିପୋର୍ଟ ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ରିପୋର୍ଟ ଦେବା ପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ବୋଲି ଅବକାରୀ ଏସ୍‌ପି ପ୍ରଦୀପ ପଟ୍ଟନାୟକ କହିଛନ୍ତି। ଆଗକୁ ଏହି ଚଢ଼ଉକୁ ଆହୁରି ଜୋରଦାର କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର