ରାସ୍ତା ମଝିରୁ ହଟିଲା ବିଦ୍ୟୁତ୍‌ ଖୁଣ୍ଟି

ଚନ୍ଦ୍ରଶେଖରପୁର: ପଟିଆ ରେଳ ଷ୍ଟେସନ ରାସ୍ତା ସମ୍ପ୍ରସାରଣରେ ବାଧକ ସାଜିଥିବା ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକ ହଟିଛି। ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି। ପଟିଆ ପେଟ୍ରୋଲ ପମ୍ପ ଛକରୁ ଷ୍ଟେସନ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାକୁ ସମ୍ପ୍ରସାରଣ କରାଯାଇ ଦୁଇ ଥାକିଆ କରାଯିବା ସହ ଜଳ ନିଷ୍କାସନ ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଡ୍ରେନ୍‌ ନିର୍ମାଣ କରାଯାଇଛି। ପଥଚାରୀମାନେ ଯେପରି ସୁରକ୍ଷିତ ଭାବେ ଚାଲିପାରିବେ ସେଥିପାଇଁ ଫୁଟପାଥ୍‌ ନିର୍ମାଣ ହୋଇଛି। ତେବେ ଏହି ବ୍ୟସ୍ତବହୁଳ ରାସ୍ତା ସମ୍ପ୍ରସାରଣ ହେବା କ୍ଷଣି ଉଠାଦୋକାନୀମାନେ ରାସ୍ତାପାର୍ଶ୍ବ ମାଡ଼ି ବସିଲେଣି। କିଏ ପରିବା ବ୍ୟବସାୟ କରୁଛନ୍ତି ତ ଆଉ କିଏ ଷ୍ଟଲ ପକାଇ ଖାଦ୍ୟ ସାମଗ୍ରୀ ବିଣୁଛନ୍ତି, ଯାହାକି ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ। ଟ୍ରାଫିକ୍‌ ଭିଡ଼ ସହ ଦୁର୍ଘଟଣା ବଢ଼ିବା ନେଇ ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ବେଳ ଥାଉ ଥାଉ ଏହି ରାସ୍ତାପାର୍ଶ୍ବରୁ ଜବରଦଖଲ ମୁକ୍ତ କରିବାକୁ ଦାବି ହୋଇଛି।

ଏହି ରାସ୍ତା ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୫ଟି ପଞ୍ଚାୟତକୁ ମୁଖ୍ୟ ରାସ୍ତା ଭାବେ ସଂଯୁକ୍ତ ହୋଇଛି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତିକି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହି ରାସ୍ତାଟି ପଟିଆ ଅଞ୍ଚଳକୁ ଜାତୀୟ ରାଜପଥ-୧୬ ସହ ମଧ୍ୟ ସଂଯୋଗ କରୁଛି। ଏଠାରେ ଥିବା ରେଳ ଲାଇନ୍‌ ଦେଇ ପ୍ରତିଦିନ ଶତାଧିକ ଟ୍ରେନ୍ ଯାତାୟାତ କରୁଥିବାରୁ ଯାତ୍ରୀମାନେ ମଧ୍ୟ ପଟିଆ ଷ୍ଟେସନକୁ ଉକ୍ତ ରାସ୍ତା ଦେଇ ଯାଇଥା’ନ୍ତି। ରାସ୍ତା ମରଣଯନ୍ତା ପାଲଟିଥିବାରୁ ଅଞ୍ଚଳର ପ୍ରାୟ ୪୦ ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଥିଲା। ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଆମ୍ବୁଲାନ୍ସ ସେବା ମଧ୍ୟ ବିଳମ୍ବିତ ହେଉଥିବା ନେଇ ଅଭିଯୋଗ ପରେ ଗତ ଡିସେମ୍ବର ୨୫ରେ ରାସ୍ତାର ଉନ୍ନତୀକରଣ ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ୍‌ ଖୁଣ୍ଟିଗୁଡ଼ିକ ରାସ୍ତା କାମ ତ୍ବରାନ୍ବିତ କରିବାରେ ବାଧା ସୃଷ୍ଟି କରିଥିଲା। ଏନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ ଗତ ମାସରେ ବିଡିଏ ଉପାଧ୍ୟକ୍ଷ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଖୁଣ୍ଟିଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ରାସ୍ତା ମଝିରୁ ଖୁଣ୍ଟିଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର