ଜୟପୁରର ମା’ ଦକ୍ଷିଣକାଳୀ: ଏବେ ବି ହେଉଛି ତନ୍ତ୍ରପଦ୍ଧତିରେ ପୂଜା, ପଡ଼ୁଛି ବଳି

ଜୟପୁର: ଜୟପୁର ସହରର ପ୍ରମୁଖ ଆରାଧ୍ୟ ଦେବୀ ମା’ଦକ୍ଷିଣକାଳୀ। ରାଜରାଜୁଡା ଅମଳରୁ ମା’ଙ୍କ ପୀଠ ଏହି ପୁରୁଣାଗଡ଼ ଅଂଚଳରେ ହିଁ ରହିଥିଲା। ରାଜାଙ୍କ ଗଡ଼ ଏହି ଅଂଚଳରେ ଥିବାରୁ ମା’ଙ୍କ ତନ୍ତ୍ର ପଦ୍ଧତିରେ ପୂଜା ହେଉଥିବା ମନ୍ଦିର ଏଠାରେ  ରହିଥିବା ଜନଶ୍ରୃତି। ବହୁ ବର୍ଷ ଧରି ମନ୍ଦିର ସେହି ପୁରୁଣାକାଳିଆ ଟିଣ ଘରେ ରହି ଆସିଥିବା ବେଳେ ବଦାନ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁ ଭକ୍ତ ଓ ରାଜ୍ୟସରକାରଙ୍କ ସହଯୋଗରେ ମନ୍ଦିରର ପୁନଃରୁଦ୍ଧାର ‌କରାଯିବା ସହ ସମ୍ମୁଖର ଗେଟ୍ ତିଆରି ହୋଇଛି। ମୂଳାଷ୍ଠମୀ ଠାରୁ ହିଁ ମାଙ୍କ ପୀଠରେ ଷୋଡଶଉପଚାରରେ ପୂଜା ଆରମ୍ଭ ହୋଇଛି।

ତେବେ ରାଜରାଜୁଡା ଅମଳରୁ ଚାଳି ଆସିଥିବା ତନ୍ତ୍ର ପଦ୍ଧତିର ପୂଜା ଆଜି ବି ଏଠାରେ ପାଳିତ ହୋଇ ଆସୁଛି ବୋଲି ପୂଜକ କାଳୀ ପ୍ରସାଦ ରଥ କହିଛନ୍ତି। ମାନସିକଧାରୀ ଶ୍ରଦ୍ଧାଳୁ ମାନେ କୁକୁଡା, ଛେଳି, ମେଣ୍ଡା, ମାଗୁର ମାଛ ଆଦି ବଳି ଦେବା ପ୍ରଥା ବି ପୂର୍ବ ଭଳି ଜାରୀ ରହିଛି। ଏପରିକି ଏଠାରେ ମା’ଙ୍କ ଅନ୍ନଭୋଗରେ ଆଜି ବି ଖୁକୁଲି ସୁଖୁଆର ତରକାରୀ ତିଆରି କରି ଅର୍ପଣ କରାଯିବା ବିଧି ରହିଛି। କିଛି ଶ୍ରଦ୍ଦାଳୁ ଓ ମାନସିକବ୍ରତ ଧାରୀ ମାନେ ୧୬ଦିନ ଓନବରାତ୍ର ଠାରୁ ୯ଦିନ ବ୍ରତ ପାଳନ କରି ଆସୁଛନ୍ତି। ୨୦ତାରିଖ ଦିନ ମା’ଙ୍କର ସୁନାବେଶ କରାଯିବାର କାର୍ଯ୍ୟକ୍ରମ ରହିଛି।

ମନ୍ଦିରରେ ଥିବା ଅଳଙ୍କାରରେ ମା’ଙ୍କୁ ନିୟମିତ ସଜ୍ଜିତ କରି ଆସୁଥିବା ବେଳେ ସୁନାବେଶ ସମୟରେ ଦେବୋତ୍ତର ବିଭାଗ ନିକଟରେ ଥିବା ମା’ଙ୍କ ଅଳଙ୍କାରକୁ ଆଣି ବେଶଭୁଷା କରାଯାଇଥାଏ। ମା’ଭଗବତୀ, ମା’କନକଦୁର୍ଗା, ମା’ବାସନ୍ତୟୀଙ୍କ ସହ ମା’ଦକ୍ଷିଣକାଳୀଙ୍କ ବିମାନ ବିଜୟଭ୍ରମଣୀ ଯାତ୍ରାରେ ସାମିଲ ହେବା ପରାଂପରା ଆଜି ବି ବଜାୟ ରହିଛି। ସେଭଳି ବିଜୟାଦଶମୀ ଶୋଭାଯାତ୍ରାରେ ବି ମା’ ସାମିଲ ହୋଇ ଅପରାଜିତା ପୂଜା ସରିବା ପର୍ଯ୍ୟନ୍ତ ଦଶହରା ପଡ଼ିଆରେ ରହି ଫରେ ପୁରୁଣାଗଡ଼ସ୍ଥ ପୀଠକୁ ଫେରି ଆସିଥାନ୍ତି।

ସମ୍ବନ୍ଧିତ ଖବର