୨୯ରେ ଆସୁଛି ନାକ୍‌ ଟିମ୍‌, ସଜେଇ ହେଉଛି ଉତ୍କଳ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ଆସୁଛି ନାକ୍‌ ଟିମ୍‌। ପାଖାପାଖି ୭ ବର୍ଷ ପରେ ଆସନ୍ତା ୨୯ ତାରିଖରେ ତିନିଜଣିଆ ଟିମ୍‌ ଆସିବାକୁ ଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ୨୦୧୬ରେ ନାକ୍‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ମିଳିଥିବାରୁ ଏଥର ତାହାକୁ ବଜାୟ ରଖିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରଥମ ତଥା ଏକମାତ୍ର ବିଶ୍ବବିଦ୍ୟାଳୟ ହିସାବରେ ‘ଏ+’ ଗ୍ରେଡ୍‌ ପାଇଥିବା ଉତ୍କଳରେ ପାଠପଢ଼ା ସାଙ୍ଗକୁ ଗବେଷଣା, ଭିତ୍ତିଭୂମି, ଅନ୍ୟ ଶିକ୍ଷାନୁଷ୍ଠାନ ସହ ସହଭାଗିତା ଇତିମଧ୍ୟ‌ରେ ବହୁ ପରିମାଣରେ ବୃଦ୍ଧି ପାଇଛି। କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ନେତୃତ୍ବରେ ଗଠିତ ୭ଟି କମିଟି ୧୦ ମାସ ହେଲା ଏ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି। ମାର୍ଚ୍ଚ ୨୯ରୁ ୩୧ ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ନାକ୍‌ ଟିମ୍‌ ଆସିବା ପୂର୍ବରୁ ବିଶ୍ବବିଦ୍ୟାଳୟ ଭିତ୍ତିଭୂମିରେ ଯେପରି ଉନ୍ନତି ଆସିଥିବ ସେନେଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

କୁଳପତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଛି ୭ କମିଟି
ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ର ହେଉଛି ନବକଳେବର
‘ଏ+’ ଗ୍ରେଡ୍‌ ବଜ‌ାୟ ରଖିବାକୁ କର୍ତ୍ତୃପକ୍ଷଙ୍କ ଲକ୍ଷ୍ୟ

ବିଶ୍ବବିଦ୍ୟାଳୟର ଶିକ୍ଷା କାର୍ଯ୍ୟକଳାପ ପ୍ରସ୍ତୁତି ଲାଗି ଗଠିତ କମିଟି ଇତିମଧ୍ୟରେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି। ଉକ୍ତ କମିଟିରେ ପିଜି କାଉନ‌ସିଲ୍‌ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ସାମିଲ ହୋଇଛନ୍ତି। ସେହିପରି ଟିଚିଂ ଲର୍ଣ୍ଣିଂ ଓ ଇଭାଲ୍ୟୁଏସନ, ଗବେଷଣା, ପରାମର୍ଶ ଓ ସମ୍ପ୍ରସାରଣ, ଭିତ୍ତିଭୂମି, ଷ୍ଟୁଡେଣ୍ଟ ସପୋର୍ଟ ଓ ପ୍ରୋଗ୍ରେସନ୍‌, ଗଭର୍ଣ୍ଣାସ୍‌, ଲିଡରସିପ୍‌ ଓ ମ୍ୟାନେଜ୍‌ମେଣ୍ଟ, ଇନୋଭେସନ୍‌ ଲାଗି ଅଲଗା ଅଲଗା କମିଟି ଗଠନ କରାଯାଇ ପ୍ରଫେସରମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି। ଇତି ମଧ୍ୟରେ ଉକ୍ତ କମିଟିଗୁଡ଼ିକ ତାଙ୍କ ରିପୋର୍ଟ ଦାଖଲ କରିସାରିଥିବା ଜଣାପଡ଼ିଛି।

୨୦୧୬ରୁ ୨୦୨୨ ମଧ୍ୟରେ ବିଶ୍ବବିଦ୍ୟାଳୟରେ କେତେ ଗବେଷଣା ହୋଇଛି, କେଉଁ ବିଭାଗ କେତେ ସଫଳ ହୋଇଛନ୍ତି, ତାହାକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏବେ ସୁଦ୍ଧା ସମସ୍ତ ବିଭାଗ ନିଜ ନିଜର ଗବେଷଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ଡକ୍ୟୁମେଣ୍ଟେସନ କରି ସାରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିଶ୍ବବିଦ୍ୟାଳୟ ପ୍ରେସ୍‌ର ପୁନରୁଦ୍ଧାର ଚାଲିଛି। ଛାତ୍ରାବାସ ଓ ଛାତ୍ରୀନିବାସଗୁଡ଼ିକର ମରାମତି କରାଯାଇଛି। ସୁରକ୍ଷା ବୃଦ୍ଧି ଲାଗି ଛାତ୍ରାବାସ ଚାରିପାଖରେ ପାଚେରି, ପରିତ୍ୟକ୍ତ ଅବସ୍ଥାରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ର ନବକଳେବର ହୋଇଛି। ସମ୍ପୂର୍ଣ୍ଣ ନୂତନ ଢାଞ୍ଚାରେ କ୍ୟାଣ୍ଟିନ୍‌କୁ ବିଶ୍ବସ୍ତରୀୟ କରାଯାଉଛି।

ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଭାବ ବଡ଼ ସମସ୍ୟା ସୃଷ୍ଟି କରିପାରେ। କାରଣ ଏବେ ବି ଶତାଧିକ ପ୍ରଫେସର ପଦବି ଖାଲି ପଡ଼ିଛି। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ବଳରେ ଓପିଏସ୍‌ସି ଓ ଓଏସ୍‌ଏସ୍‌ବି ଦ୍ବାରା ବିଶ୍ବବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ହେବେ। ଏବେ ନିଯୁକ୍ତି ପ୍ରକ୍ରିୟା‌ରେ ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାଇଥିବାରୁ ଅତିଥି ଅଧ୍ୟାପକମାନଙ୍କୁ ନିଯୁକ୍ତି କରାଯାଇ ପାଠପଢ଼ା ଚାଲିଛି। ବହୁ ଦିନ ଧରି କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଥିବା ଇ-ଲାଇବ୍ରେରି କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦିଆଯାଇଛି। କ୍ୟାମ୍ପସ ପ୍ରବେଶ ପଥକୁ ସବୁଜିମାମୟ କରାଯାଉଛି। ଦୁଇ ପାର୍ଶ୍ବରେ ମାଟି, ଗୋବର ପକାଯାଇ ସେଥିରେ ଘାସ ଗାଲିଚା ବିଛାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଶାସନିକ ବିଲ୍‌ଡିଂ ସମ୍ମୁଖରେ ଏକ ଜଳଫୁଆରା ନିର୍ମାଣ ଚାଲିଛି। କ୍ୟାମ୍ପସର ସମସ୍ତ ପାର୍କ ସଫେଇ କରାଯିବା ସହ ଅନାବନା ଜଙ୍ଗଲ ସଫା କରାଯାଇଛି। ବିଭାଗଗୁଡ଼ିକର ସମ୍ମୁଖ ଭାଗ ଚକାଚକ୍‌ କରାଯାଇ ନାମଫଳକ ଲଗାଯାଉଛି। ବିଶ୍ବବିଦ୍ୟାଳୟ ୱେବସାଇଟ୍‌କୁ ଇତିମଧ୍ୟରେ ପରିବର୍ତ୍ତନ କରାଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନାଁ କରିଥିବା ପୁରାତନ ଛାତ୍ରଛାତ୍ରୀ ୱେବସାଇଟ୍‌ରେ ସ୍ଥାନ ପାଇଛନ୍ତି। ଗତ କିଛି ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଏଥିରେ ଫଟୋ ସହ ଉଲ୍ଲେଖ ହୋଇଛି।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଯେ ନାକ୍‌ ଟିମ୍‌ ଆସିବା ପୂର୍ବରୁ ପ୍ରସ୍ତୁତି ଜାରି ରହିଛି। ଏଠାକାର ଶିକ୍ଷା, ଗବେଷଣା, ସମ୍ପ୍ରସାରଣ ବେଶ୍‌ ଉଚ୍ଚକୋଟୀର। ଏହାକୁ ଆଧାର କରି ଏଥର ଭଲ ଗ୍ରେଡ୍‌ ପାଇବୁ ବୋଲି ଆଶା ରଖିଛୁ।

ସମ୍ବନ୍ଧିତ ଖବର