ନାହିଁ ଗାଁ ଶ୍ମଶାନ, ନଦୀପଠାରେ ଶବଦାହ

ବାଲିଅନ୍ତା ବଜାର: ବାଲିଅନ୍ତା ବ୍ଲକ୍ ବେଣୁପୁର ଗ୍ରାମରେ ଶ୍ମଶାନ ନଥିବାରୁ ଶବଦାହ ପାଇଁ ଗ୍ରାମବାସୀମାନେ ବଡ଼ ସମସ୍ୟାରେ ପଡ଼ୁଛନ୍ତି। ବର୍ଷବର୍ଷ ଧରି କୁଶଭଦ୍ରା ନଦୀପଠାରେ ଶବଦାହ କରାଯାଉଛି। ବର୍ଷା ଦିନେ ନଦୀପଠାରେ ଶବଦାହ କଲାବେଳେ ଲୋକେ ବଡ଼ କଲବଲ ହେଉଛନ୍ତି। ତେଣୁ ଗାଁରେ ଏକ ସ୍ଥାୟୀ ଶ୍ମଶାନ ନିର୍ମାଣ କରିବାକୁ ବହୁ ବର୍ଷ ଧରି ଦାବି ହୋଇଆସୁଥି‌ଲେ ହେଁ ତାହା ହୋଇପାରିନାହିଁ। ନିର୍ବାଚନ ପରେ ନିର୍ବାଚନ ଯାଉଛି, ଏଥିପାଇଁ ପ୍ରତିଶ୍ରୁତି ଅଜାଡ଼ି ହୋଇପଡ଼ୁଛି, ମାତ୍ର ଗାଁ ମଶାଣି ନିର୍ମାଣ ସେମିତି ସ୍ବପ୍ନ ହୋଇରହିଯାଇଛି। ଏଥର ନିର୍ବାଚନ ବେଳେ ଗ୍ରାମବାସୀମାନେ ଏହାକୁ ଏକ ପ୍ରସଙ୍ଗ କରିବେ ବୋଲି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ଏବେ ଏହି ଗାଁରେ ପାଞ୍ଚ ହଜାରରୁ ଅଧିକ ଲୋକ ରହୁଛନ୍ତି। ବହୁ ବାହାର ଲୋକ ମଧ୍ୟ ଏଠାରେ ଘର କରି ରହିଲେଣି। ଶବ ସଂସ୍କାର ପାଇଁ ଆଜି ବି ଲୋକଙ୍କୁ କୁଶଭଦ୍ରା ନଦୀପଠାକୁ ଶବ ବୋହିବାକୁ ପଡ଼ୁଛି। ରାତିରେ ନଦୀପଠାକୁ ଶବ ନେଇ ଯିବା କଷ୍ଟସାଧ୍ୟ। ଭଲ ରାସ୍ତା ନଥିବାରୁ ରାତି ଅନ୍ଧାରରେ ବଣବୁଦା ଦେଇ ଖାଲଖମାପୂର୍ଣ୍ଣ ପାଦଚଲା ବାଟରେ ଶବ କାନ୍ଧେଇ ଲୋକେ ପଡ଼ିଉଠି ନଦୀପଠାକୁ ଯାଉଛନ୍ତି। ନଦୀରେ ବନ୍ୟା ଆସିଲେ କଷ୍ଟ ବଳେଇପଡ଼େ। ବୁଡ଼ି ଯାଇଥିବା ନଦୀପଠାରେ ଶବ ସଂସ୍କାର କରିବାକୁ ଜାଗା ମିଳେନି। ସେହିଭଳି ବର୍ଷା ହେଲେ ଅବସ୍ଥା ଆହୁରି ସଂଗିନ ହୋଇପଡ଼େ। ଖୋଲା ଆକାଶ ତଳେ ବର୍ଷାରେ ଭିଜିଭିଜି ଶବଦାହ କରିବାକୁ ପଡ଼େ। ଅଧିକ ବର୍ଷା ହେଲେ ଜୁଇ ଲିଭିଯାଏ ଏବଂ ଦରପୋଡ଼ା ଶବକୁ ପୂରା ପୋଡ଼ିବାକୁ ଲୋକେ ବର୍ଷା ଛାଡ଼ିବା ଯାଏଁ ଅପେକ୍ଷା କରିବାକୁ ବାଧ୍ୟ ହୋଇଥାଆନ୍ତି। ବେଳେବେଳେ ଜୁଇ ଏଭଳି ସମୟରେ ଲୋକେ ପୁରୀ ସ୍ବର୍ଗଦ୍ବାରକୁ ଯିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକେ ପୁରୀ ଯାଇପାରନ୍ତି ନାହିଁ। ସେମାନେ ଶବଦାହ କରିବାକୁ ନଦୀପଠାରେ ଜାଗା ଖୋଜିଖୋଜି ନୟାନ୍ତ ହୋଇପଡ଼ନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ସମସ୍ୟାର ସମାଧାନ କରିବାକୁ ବ୍ଲକ୍‌ ପ୍ରଶାସନକୁ ବହୁଥର ଲିଖିତ ଭାବେ ଅନୁରୋଧ କରାଯାଇଛି। କିନ୍ତୁ ପ୍ରତିଶ୍ରୁତି ହିଁ କେବଳ ମିଳିଛି। ବେଣୁପୁର ସରପଞ୍ଚ ହୃଷୀକେଶ ପାତ୍ରଙ୍କ କହିବା କଥା ଏଥିପାଇଁ ୩ଟି ଜାଗା ଚିହ୍ନଟ କରାଯାଇଛି। କିନ୍ତୁ ଚିହ୍ନଟ ଜମିର କିସମ ସମସ୍ୟା କରୁଛି। କିସମ ପରିବର୍ତ୍ତନ କରିବାକୁ ପ୍ରାଶାସନିକସ୍ତରରେ ଉଦ୍ୟମ ଚାଲିଛି ଏବଂ ଖୁବ୍‌ଶୀଘ୍ର ଗାଁ ମଶାଣି ନିର୍ମାଣ କାମ ହୋଇଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର