ମୋହର ମାରିଲେ ମୁଖ୍ୟମନ୍ତ୍ରୀ: ମେଣ୍ଢାଶାଳ ଫାଣ୍ଡିର ନୂଆ ନାଁ ଶିଳ୍ପାଞ୍ଚଳ ଥାନା

ମେଣ୍ଢାଶାଳ: ଚନ୍ଦକା ଥାନା ଅଧୀନରେ ଥିବା ମେଣ୍ଢାଶାଳ ଫାଣ୍ଡି ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନକୁ ଉନ୍ନୀତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତିରେ ମୋହର ମାରିଛନ୍ତି ଏବଂ ଏହି ନୂଆ ଥାନା ପାଇଁ ଆବଶ୍ୟକ ୩୪ ପଦବି ମଞ୍ଜୁର କରିଛନ୍ତି। ଚନ୍ଦକା, ମେଣ୍ଢାଶାଳ, ଛତାବର, ମଳିପଡ଼ା ଆଦି ଅଞ୍ଚଳରେ ଗଢ଼ି ଉଠୁଥିବା ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ ଓ ନୂଆ ନୂଆ ଜନବସତି ପାଇଁ ଏକ ସ୍ବତନ୍ତ୍ର ଥାନା ଆବଶ୍ୟକ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ଏହି ଥାନାର ନୂଆ କୋଠା ମେଣ୍ଢାଶାଳ ପଞ୍ଚାୟତ ଗିରିଙ୍ଗାପୁଟ ମୌଜା‌ରେ ନିର୍ମାଣ ଚାଲିଛି। ୩୪ ନୂତନ ପଦବି ମଧ୍ୟରେ ଜଣେ ଇନ୍‌ସ୍ପେକ୍ଟର, ୪ ଏସ୍‌ଆଇ, ୬ ଏଏସ୍‌ଆଇ, ୨ ହାବିଲଦାର୍‌ ଓ ୨୧ କନେଷ୍ଟବଳ ଅଛନ୍ତି। ପୂର୍ବରୁ ଫାଣ୍ଡିରେ ଜଣେ ଏସ୍‌ଆଇଙ୍କ ସହିତ ୪ ଜଣ ପୁଲିସ କର୍ମଚାରୀ ଥିଲେ। ନୂଆ କରି ୨ଟି ପଦବି ଏସ୍‌.ପି ପୁଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ ହେବେ। ଏମିତିରେ ମୋଟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ଏହି ନୂଆ ଥାନାରେ ନି‌ୟୋଜିତ ହେବେ।

ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଓ ଆଖପାଖ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ମୁଣ୍ଡ ଟେକିଛି। ମେଣ୍ଢାଶାଳ ଡେରାସ ଶିଳ୍ପାଞ୍ଚଳ, ଛତାବର ଶିଳ୍ପାଞ୍ଚଳ ସହିତ ମଳିପଡ଼ା ଅଞ୍ଚଳରେ ରହିଛି ଟ୍ରିପଲ୍‌ ଆଇଟି, ବିର୍ଲା ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ, ନାଲ୍‌କୋ ଆର୍‌ ଆଣ୍ଡ ଡି ସେଣ୍ଟର, ଜିଆଇଇଟି ପରି ଜାତୀୟସ୍ତରୀୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି। ଏଥିସହିତ ରାଜଧାନୀ ଉପକଣ୍ଠରେ ଥିବା ଏହି ଅଞ୍ଚଳରେ ବହୁ ନୂଆ ନୂଆ କଲୋନି, ଆପାର୍ଟମେଣ୍ଟ ଗଢ଼ିଉଠିଲାଣି। ତେଣୁ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ଏକ ଥାନା ଆବଶ୍ୟକ ଥିଲା ଏବଂ ବିଭିନ୍ନ ମହଲରୁ ଏଥିପାଇଁ ଦାବି ହେଉଥିଲା। ଆଜି ଏହି ଦାବି ପୂରଣ ହୋଇଛି। ଏହି ନୂତନ ପୁଲିସ ଷ୍ଟେସନ ୧୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଓ ଏକ ଲକ୍ଷ ଜନସଂଖ୍ୟାକୁ ନେଇ କାମ କରିବ। ଭୁବନେଶ୍ୱର ବ୍ଲକ୍‌ର ୨ ପଞ୍ଚାୟତ ମେଣ୍ଢାଶାଳ, ମଳିପଡ଼ା ଓ ଜଟଣୀ ବ୍ଲକ୍‌ର ୨ ପଞ୍ଚାୟତ ଛତାବର, ଅଙ୍ଗାରପଡ଼ା ସହିତ ଭୁବନେଶ୍ୱର ମହାନଗର ନିଗମର ୨୩ ନମ୍ବର ୱାର୍ଡ ପାଇକରାପୁର ଅଞ୍ଚଳ ଏହି ନୂଆ ଥାନାର ସୀମା‌ ଭିତରେ ରହିବ। ୪ ପଞ୍ଚାୟତର ୨୯ ଗାଁ ଓ ପାଖାପାଖି ୪୦ ଶିଳ୍ପାନୁଷ୍ଠାନ ଏହି ଥାନା ଅଧୀନରେ ରହିବ। ଏହି ନୂତନ ଥାନା କାର୍ଯ୍ୟକାରୀ ହେବା ପରେ ଚନ୍ଦକା ଥାନା ଉପରୁ ଚାପ ହ୍ରାସ ପାଇବ।

ସମ୍ବନ୍ଧିତ ଖବର