ବାୟୋ-ମେଡିକାଲସ୍‌ ଗବେଷଣା ଓ ବିକାଶ ପାଇଁ ଜାପାନ ସହଯୋଗ ଲୋଡ଼ିଲା ଓଡ଼ିଶା

ଭୁବନେଶ୍ବର, ୨/୬ (ଇମିସ): ଜାପାନର ସହଭାଗିତାରେ ଓଡ଼ିଶାରେ ବାୟୋ-ମେଡିକାଲସ୍‌ ଗବେଷଣା ଓ ବିକାଶ ପାଇଁ ପ୍ରସ୍ତାବ ଦିଆଯାଇଛି। ଜାପାନ ଗସ୍ତରେ ଥିବା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ ‘କୋବେ ବାୟୋ-ମେଡିକାଲ ଇନୋଭେସନ୍‌ କ୍ଲଷ୍ଟର’ ପରିଦର୍ଶନ କରିବା ପରେ ଓଡ଼ିଶାରେ ଜାପାନର ସହଭାଗିତା ପାଇଁ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଭୁବନେଶ୍ୱର ସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନ ଓ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିରେ ଏହି ଇନୋଭେସନ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ‘ଭୁବନେଶ୍ୱର ସିଟି ନଲେଜ୍‌ ଇନୋଭେସନ୍‌ ସେଣ୍ଟର’ (ବିକେଆଇସି) ଏହି ପ୍ରକଳ୍ପର ସଂଯୋଜକ ଭାବରେ କାର୍ଯ୍ୟ କରିବେ। ଜାପାନ-ଓଡ଼ିଶା ସହଭାଗିତା ବଳରେ ରାଜ୍ୟରେ ବାୟୋ-ମେଡିକାଲ କ୍ଷେତ୍ରରେ ନୂତନ ଗବେଷଣା, ବ୍ୟାବସାୟିକ ବିନିମୟ ଓ ମାନବସମ୍ବଳ ଅଭିବୃଦ୍ଧି ହୋଇପାରିବ। ବିଶେଷ କରି ସ୍ନାୟୁ, ଚକ୍ଷୁ, ବୌଦ୍ଧିକ ଦୁର୍ବଳତା ଓ ସ୍ମୃତିହୀନତା ପରି ସମସ୍ୟାଗୁଡ଼ିକର ଚିକିତ୍ସା କ୍ଷେତ୍ରରେ ଅଭିନବ ଉପାୟ ବିକଶିତ ହୋଇପାରିବ। ବାୟୋ-ମେଡିକାଲ ଇନୋଭେସନ୍‌ ପାଇଁ ଜାପାନସ୍ଥିତ ଭାରତୀୟ ଦୂତାବାସ ବହିଃ ବ୍ୟାପାର ମନ୍ତ୍ରାଳୟ ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି।
ଜାପାନର କୋବେ ବାୟୋ-ମେଡିକାଲ ଇନୋଭେସନ୍‌ କ୍ଲଷ୍ଟର ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ଶାସନ ସଚିବ ପୂଜା ମିଶ୍ରଙ୍କ ସମେତ କ୍ଲଷ୍ଟରର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ବିକେଆଇସି ସହିତ ଗବେଷଣା ଓ ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

ସମ୍ବନ୍ଧିତ ଖବର