କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କ ସମୀକ୍ଷା: ‘ରୋଗୀ ଭିଡ଼ ହିଁ ଏମ୍‌ସ ପ୍ରତି ଜନତାଙ୍କ ଆସ୍ଥାର ପ୍ରମାଣ’

ଭୁବନେଶ୍ବର: ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ପାଲଟିଛି ଏମ୍‌ସ ଭୁବନେଶ୍ୱର। ମେଡିକାଲ୍ ଶିକ୍ଷା ହେଉ ଅବା ଗବେଷଣା କିମ୍ବା ସ୍ୱଚ୍ଛତା, ସବୁ କ୍ଷେତ୍ରରେ ଏହାର ପ୍ରଦର୍ଶନ ପ୍ରଶଂସନୀୟ। ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ରୋଗୀଙ୍କ ଭିଡ଼ ହିଁ ଏମ୍‌ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ ପ୍ରମାଣିତ କରୁଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ। ଏମ୍‌ସକୁ ଦୁଇଦିନିଆ ଗସ୍ତରେ ଆସି ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ଏମ୍‌ସରେ ଯକୃତ(ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ।

ଏଥିସହିତ ଆଗାମୀ ଦିନରେ ଆହୁରି ନୂତନ ପ୍ରକଳ୍ପ ଆରମ୍ଭ ନେଇ ସୂଚନା ଦିଆଯାଇ ଥିଲା। ଯୁଗ୍ମ ସଚିବ ଅତ୍ୟାଧୁନିକ ବର୍ନ ସେଣ୍ଟର, ସିଏସ୍‌ଏସ୍‌ଡି, ଏମ୍‌ଆର୍‌ଡି, ପେଟ୍‌-ସିଟି, ରେଡିଏସନ୍ ଅଙ୍କୋଲୋଜି ସହିତ ଅନ୍ୟାନ୍ୟ ବିଭିନ୍ନ ସେବା ପରିଦର୍ଶନ କରିଥିଲେ। ସ୍ବଚ୍ଛତା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ। ସିସିଏଚ୍‌ବି, ନୂତନ ଟ୍ରମା ଏବଂ ଜରୁରୀକାଳୀନ କୋଠା, ପ୍ରାଶାସନିକ ଭବନ ଏବଂ ଧର୍ମଶାଳା ପରି ଏକାଧିକ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଥିଲେ। ଶ୍ରୀମତୀ ପଟ୍ଟନାୟକ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଶବ ପରିଚାଳନା ପାଇଁ ପ୍ରଶଂସା କରିଥିଲେ। ଏମ୍‌ସ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। କ୍ରମାଗତ ଭାବେ ସମ୍ମାନଜନକ ଏନ୍‌ଆଇଆର୍‌ଏଫ୍ ଏବଂ ଇଣ୍ଡିଆ ଟୁଡେ ତାଲିକାରେ ଉଚ୍ଚସ୍ଥାନ ଅଧିକାର କରୁଥିବାରୁ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଡିନ୍ ଡା. ପିଆର ମହାପାତ୍ର, ଡା. ସତ୍ୟଜିତ୍ ମିଶ୍ର, ଡା. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡା. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର