ରଶ୍ମି ମିଶ୍ରଙ୍କ ଗଳ୍ପ ସଂକଳନ ‘ଅହ୍ୟରାଣୀ’ ଉନ୍ମୋଚିତ

‘ସାହିତ୍ୟ ସମାଜର ଦର୍ପଣ ନୁହେଁ, ପ୍ରଦୀପ’

ଭୁବନେଶ୍ବର: ଆଜି ହୋଟେଲ ଏକ୍ସଲେନ୍ସିଠାରେ ଗାଳ୍ପିକା ରଶ୍ମି ମିଶ୍ରଙ୍କ ପ୍ରଥମ ଗଳ୍ପ ସଂକଳନ ‘ଅହ୍ୟରାଣୀ’ ଉନ୍ମୋଚିତ ହୋଇଯାଇଛି। ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗଦେଇ ଗାଳ୍ପିକା ଶ୍ରୀମତୀ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇ କହିଲେ, ଶବ୍ଦ ଏଭଳି ଏକ ଜିନିଷ ଯିଏ ବିନା ଅସ୍ତ୍ରରେ ମଣିଷକୁ ଲହୁଲୁହାଣ କରିଦିଏ। ସେଥିପାଇଁ ଶବ୍ଦର ସାମର୍ଥ୍ୟ ମଧ୍ୟ ଅଧିକ। ସେତେବେଳେ ଶବ୍ଦ ଅଧିକ ବ୍ୟବହାର କରନ୍ତୁ ଯେତେବେଳେ ନିରବତାଠାରୁ ଅଧିକ ମନେ ହେବ। ପାଦ ଥିଲେ ଚାଲି ହୁଏ କିନ୍ତୁ ହାତ ଥିଲେ ଲେଖି ହୁଏ ନାହିଁ। କିଏ ଲେଖକ ହେବ, ତାହା ପ୍ରକୃତି ସ୍ଥିର କରେ। ସାହିତ୍ୟ ସମାଜର ଦର୍ପଣ ନୁହେଁ, ସମାଜର ପ୍ରଦୀପ। ଗପ ପଢ଼ିଲା ବେଳେ ଯଦି ଗପ ପରିକା ଲାଗେ ସେତେବେଳେ ଗପ ମରିଗଲା। ଯେପର୍ଯ୍ୟନ୍ତ ଗପ ସତ ପରି ଲାଗୁଥିବ, ସେତେବେଳ ପର୍ଯ୍ୟନ୍ତ ଗପ ବଞ୍ଚିକି ରହିଛି। ଏହି ପୁସ୍ତକଟିରେ ଆମ ଚାରିପାଖର ବହୁ ସତ ଅନୁଭୂତି ଭରି ରହିଛି ବୋଲି ଶ୍ରୀ ଦାସ ମତ ଦେଇଥିଲେ।

ପେନ୍‌-ଇନ୍‌-ବୁକ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଥାଶିଳ୍ପୀ ବିଜୟ ନାୟକ ଯୋଗଦେଇ ‘ଅହ୍ୟରାଣୀ’ରେ ସମସ୍ତ ତେରଟି ଗଳ୍ପର ସମୀକ୍ଷା କରିଥିଲେ। ଏ ଗଳ୍ପ ସଂକଳନଟି ନାନାବିଧ ଫୁଲରେ ଗଢ଼ା ଏକ ଚମତ୍କାର ମାଳ, ଯେଉଁଥିରେ ଉଭୟ ମହକ ଓ ସୌନ୍ଦର୍ଯ୍ୟ ଅଛି। କାହାଣୀର ଗଢ଼ଣ ବଡ଼ଦାଣ୍ଡ ଭଳି ସରଳ ଓ ପ୍ରଶସ୍ତ ନହୋଇ ଅଙ୍କାବଙ୍କା ନଈ ପରି ହେବା ଉଚିତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ର ଯୋଗଦେଇ କହିଲେ, ନାରୀଟିଏ ଅହରହ କାହାଣୀ ଗଢ଼ୁଥାଏ। ଜୀବନ ଜଞ୍ଜାଳ ସମ୍ଭାଳିବା କୌଣସି ଗଳ୍ପ ଗଢ଼ିବାଠାରୁ କମ୍‌ ନୁହେଁ। ଲେଖିକା ସବୁ ଦାୟିତ୍ୱ ଭିତରେ ଏତେ ସୁନ୍ଦର କାହାଣୀ ଲେଖିଥିବାରୁ ସେ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଅଜୟ ମହାପାତ୍ର ଯୋଗଦେଇ ଲେଖିକାଙ୍କ କଥାଯାତ୍ରା ଉପରେ ବକ୍ତବ୍ୟ ରଖିଥିଲେ। ଲେଖିକା ଶ୍ରୀମତୀ ମିଶ୍ର ଲେଖକୀୟ ବକ୍ତବ୍ୟ ଦେଇଥିଲେ। ଗିରୀଶ ରଂଜନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଓକିଲ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର