ରାଜଧାନୀରେ ରୋଜ୍‌ ଡେ’: ଫୁଲୋଁ କେ ରଙ୍ଗ୍‌ ସେ, ଦିଲ୍‌ କି କଲମ୍‌ ସେ…

ଖଣ୍ଡଗିରି: ଯୁଗ ବଦଳିଛି। ସମୟ ସହ ତାଳ ଦେଇ ଲୋକଙ୍କ ଚଳଣି ଓ ଅଭ୍ୟାସ ମଧ୍ୟ ବଦଳୁଛି। ହେଲେ ପ୍ରେମକୁ ନେଇ ମଣିଷର ଆଗ୍ରହ, ବା ଅତିଆଗ୍ରହ, ରହିଛି ଅପରିବର୍ତ୍ତିତ। ତେବେ ସମୟାନୁକ୍ରମେ ପ୍ରେମ ନିବେଦନର ଶୈଳୀରେ ନୂତନତ୍ବ ଆସିଛି। ସଂଯୋଗକୁ ବସନ୍ତର ଆଗମନରେ ପ୍ରେମମୟ ହୋଇଉଠିଛି ରାଜଧାନୀର ପରିବେଶ। ଆରମ୍ଭ ହୋଇଛି ଭାଲେଣ୍ଟାଇନ୍‌ ସପ୍ତାହ। ପ୍ରେମ ସପ୍ତାହର ପ୍ରଥମ ଦିନକୁ ଆଜି ଗୋଲାପ ଦିବସ ଭାବେ ପାଳନ କରିଛନ୍ତି ପ୍ରେମୀଯୁଗଳ। ପରସ୍ପରକୁ ଗୋଲାପ ଫୁଲ ଦେଇ ପ୍ରେମ ପ୍ରକାଶ କରିଛନ୍ତି। ସେମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ମନ ଦିଆନିଆର ପ୍ରଥମ ଉତ୍ସବ ପାଳିଛନ୍ତି।

ଆଜି ଭାଲେଣ୍ଟାଇନ୍‌ ସପ୍ତାହର ପ୍ରଥମ ଦିନରେ ରାଜଧାନୀର ପରିବେଶ ଥିଲା ବେଶ୍ ରୋମାଣ୍ଟିକ। ପାର୍କ, ରେସ୍ତୋରାଁ, ହୋଟେଲ ସବୁଠି ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପାର୍କରେ ସେମାନେ ସମୟ ଅତିବାହିତ କରିଥିବା ବେଳେ ହୋଟେଲ, ରେସ୍ତୋରାଁରେ ‌ମଧ୍ୟ କମ୍‌ ଭିଡ଼ ନଥିଲା। ଆଇଜି ପାର୍କଠାରୁ ଆରମ୍ଭ କରି ଫରେଷ୍ଟ ପାର୍କ, ଗାନ୍ଧୀ ପାର୍କ, ମଧୁସୂଦନ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ମୁଖାର୍ଜୀ ପାର୍କ ସବୁଠି ପ୍ରେମୀଯୁଗଳଙ୍କୁ ଦେଖିବାକୁ ମିଳିଥିଲା। ଏକାମ୍ର କାନନ ଓ ଜୟଦେବ ବାଟିକାର ନିରୋଳା ପରିବେଶରେ ପ୍ରେମୀଯୁଗଳ ନିଜକୁ ହଜେଇ ଦେଇଥିଲେ। ସେହିଭଳି ଶିଖରଚଣ୍ଡୀ ପାହାଡ଼, ଧଉଳିଗିରି ଓ ନନ୍ଦନକାନନ ବଟାନିକାଲ୍‌ ଗାର୍ଡେନ୍‌ ଭଳି ସ୍ଥାନରେ ପ୍ରେମୀଯୁଗଳଙ୍କ ମଉଜ ମସ୍ତି କିଛି କମ୍‌ ନଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳ‌ରେ ଦୁଇଶହ ଫୁଟିଆ ରାସ୍ତା ତ ଆଜି ଅପରାହ୍‌ଣରେ ପାଲଟିଯାଇଥିଲା ପ୍ରେମ ବଜାର! ସେହିଭଳି ପୁରୁଣା ଭୁବନେଶ୍ବରର ବିଭିନ୍ନ ମନ୍ଦିର ପରିସର ବି ପ୍ରେମୀଯୁଗଳଙ୍କ ଗହଳି ଜମିଥିଲା। ଦେବଦର୍ଶନ ଦ୍ବାରା ପ୍ରେମର ସଫଳତା ମିଳିବା ବିଶ୍ବାସରେ ପ୍ରେମୀଯୁଗଳ ବିଭିନ୍ନ ମନ୍ଦିର ବୁଲି ଦିଅଁ ଦର୍ଶନ କରିଥିଲେ। ‌ ସେହିପରି ଆଜି ସୋସିଆଲ୍‌ ମିଡିଆରେ ମଧ୍ୟ ରୋଜ୍‌ ଡେ’ ବାର୍ତ୍ତା ଛାଇ ଯାଇଥିଲା। ଭେଟାଭେଟିର ସୁଯୋଗ ପାଇ ନଥିବା ପ୍ରେମିକ ପ୍ରେମିକାମାନେ ଗୋଲାପ ଫୁଲର ଫଟୋ ସହ କବିତା ପୋଷ୍ଟ୍‌ କରିଥିଲେ। ଅନେକ ଦମ୍ପତି ଗୋଲାପ ଦିଆନିଆର ଫଟୋ ପୋଷ୍ଟ କରି ଲାଇକ୍‌, କମେଣ୍ଟ ସାଉଁଟିଥିଲେ। ତେବେ ଏସବୁ ଭିତରେ କିଛି ଯୁବକ ଆଜିର ଦିନକୁ ନିଜ ବାପା-ମା’ଙ୍କ ଉଦ୍ଦେଶ୍ୟରେ ସମର୍ପି ଦେଇଥିବା ଦେଖିବାକୁ ମିଳିଥିଲା।

ଜମିଲା ଫୁଲ ବେପ‌ା‌ର
ଆଜି ଫୁଲ ଦୋକାନୀମାନେ ଭଲ ବେପାର କରିଥିଲେ। ନାଲି, ହଳଦିଆ, ଗୋଲାପି, ଧଳା ଓ ନୀଳ ରଙ୍ଗର ଭଳିକି ଭଳି ଗୋଲାପର ପସରା ସହରର ଗଳିକନ୍ଦିରେ ଖୋଲିଯାଇଥିଲ। କପିଳେଶ୍ବର ପୁଷ୍ପାଳୟର ମାଲିକ ନିରଜ କୁମାର ଜେନାଙ୍କ କହିବା ଅନୁଯାୟୀ, ବେଙ୍ଗାଲୁରୁ ଡଜ୍ ଗୋଲାପ ଗୋଟା ୨୫ରୁ ୩୦ ଟଙ୍କା ରହିଥିବା ବେଳେ କୋଲକାତା ଛୋଟ ଗୋଲାପର ମୂଲ୍ୟ ୧୫ରୁ ୨୦ ଟଙ୍କା ରହିଛି। ନାସିକ୍, ରାୟପୁରର ଡଜ୍ ଗୋଲାପ ମଧ୍ୟ ବଜାରକୁ ଆସିଛି। ଦୈନିକ ୧୦୦ ବିଡ଼ା ଗୋଲାପ ସେ ଆଣୁଥିବା ବେଳେ ଗୋଲାପ ଦିବସ ଓ ବାହାଘର ଋତୁ ପାଇଁ ଆଜି ସେ ୧୫୦ ବିଡ଼ା ଗୋଲାପ ବରାଦ ଦେଇ ଆଣିଥିଲେ। କଲେଜ ଖୋଲା ଥିବାରୁ ଆଜି ସବୁ ଫୁଲ ବିକ୍ରି ହୋଇଯାଇଥିଲା। ଆଗାମୀ ୭ଦିନ ଭଲ ବେପାର ହେବାର ଆଶା ଥିବା ସେ କହିଛନ୍ତି।

ହୋଟେଲ୍‌ ଓ ରେସ୍ତୋରାଁରେ ସ୍ବତନ୍ତ୍ର ପ୍ରସ୍ତୁତି
ବଡ଼ବଡ଼ ହୋଟେଲଠାରୁ ଆରମ୍ଭ କରି ସମସ୍ତ ନାମକରା ରେସ୍ତୋରାଁ ଓ ମଲ୍‌ରେ ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ସେଠାରେ ପ୍ରେମୀଯୁଗଳଙ୍କ ପାଇଁ ଡେକୋରେଟିଭ୍‌ ଡାଇନିଂ ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ହୋଟେଲ୍‌ ପୁଷ୍ପକର ସେଲ୍‌ସ ଓ ମାର୍କେଟିଂ ମୁଖ୍ୟ ଅବିନାଶ ଗନ୍ତାୟତ କହିଲେ, ଚଳିତ ବର୍ଷ ଫାଇନ୍ ଡାଇନିଂ ଗୋଲ୍ଡେନ ବାର୍ଡ ପକ୍ଷରୁ ଭାଲେଣ୍ଟାଇନ ଡେ’ ବା ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ କ୍ୟା‌ଣ୍ଡେଲ୍‌ ଲାଇଟ୍‌ ଡିନର୍‌ ବ୍ୟବସ୍ଥା ହୋଇଛି। କଲ୍‌ କରି ଟେବୁଲ୍‌ ବୁକ୍‌କଲେ ଦମ୍ପତିମାନଙ୍କ ପାଇଁ ସ୍ବତନ୍ତ୍ର ମେନୁ ‌ସହିତ କମ୍ପ୍ଲିମେଣ୍ଟାରି ମକ୍‌ଟେଲ୍‌ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର