ପାଗଳ କଲା ବନ୍ଧୁପତ୍ନୀଙ୍କ ପ୍ରେମ: ବନ୍ଧୁଙ୍କୁ ଛୁରାମାଡ଼ କରି ଗିରଫ

ଚନ୍ଦ୍ରଶେଖରପୁର,: ବନ୍ଧୁପତ୍ନୀଙ୍କ ପ୍ରେମରେ ପାଗଳ ହୋଇ ବନ୍ଧୁଙ୍କୁ ଛୁରାମାଡ଼ କରିବା ଅଭିଯୋଗରେ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ଚିରଗୋଲାଟୋଲା ବସ୍ତିର କୁନା ବାରିକ(୨୭)କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ କୁନାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନାନୁସାରେ ଗତ କିଛି ଦିନ ପୂର୍ବେ କୁନାର ଜଣେ ସାଙ୍ଗ ବିବାହ କରିଥିଲେ। କୁନା ନିୟମିତ ବନ୍ଧୁଙ୍କ ଘରକୁ ଯିବାଆସିବା କରୁଥିଲା। ଏମିତିରେ ସେ ବନ୍ଧୁପତ୍ନୀଙ୍କୁ ପ୍ରେମ କରିବସିଥିଲା। ସେମାନେ ମୋବାଇଲରେ ଗପିବା ସହ ଅନେକ ସମୟରେ ବାହାରେ ମିଳାମିଶା କରୁଥିଲେ। ତେବେ କୁନା ଓ ବନ୍ଧୁପତ୍ନୀଙ୍କ ଗୋପନ ପ୍ରେମ ବେଶି ଦିନ ଅଛପା ରହିଲା ନାହିଁ। ବନ୍ଧୁଜଣଙ୍କ ଏହା ଜାଣିବା ପରେ ପତ୍ନୀକୁ ବାରଣ କରିବା ସହ କୁନା ସହ ସମ୍ପର୍କ ତୁଟାଇ ଦେଇଥିଲେ। ‌ତଥାପି ବନ୍ଧୁଙ୍କ ଅନୁପସ୍ଥିତିରେ ପତ୍ନୀ ବାହାରକୁ ଯାଇ କୁନା ସହ ମିଳାମିଶା କରୁଥିଲେ।

ଗତକାଲି ସଂଧ୍ୟା ବେଳେ କୁନା ଓ ବନ୍ଧୁପତ୍ନୀ ଶିଖରଚଣ୍ଡୀ ଛକରେ ଏକ ନିଛାଟିଆ ସ୍ଥାନରେ ଏକାଠି ହୋଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ୍ଧୁ ସେଠାରେ ପହଞ୍ଚି ଯାଇଥିଲେ। ଦୁଇ ସାଙ୍ଗଙ୍କ ଭିତରେ ଝଗଡ଼ା ଆରମ୍ଭ ହେବା ଭିତରେ ପତ୍ନୀ ସେଠାରୁ ଖସି ପଳାଇଥିଲେ। ଏଣେ ଝଗଡ଼ା ବଢ଼ିଯାଇଥିଲା ଏବଂ କୁନା ଏକ ଛୁରିରେ ବନ୍ଧୁଙ୍କୁ ଭୁସି ଦେଇଥିଲା। ବନ୍ଧୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିବାରୁ କୁନା ସେଠାରୁ ପଳାଇଥିଲା। ପୁଲିସ ବନ୍ଧୁଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ କୁନାକୁ ତା’ ଘରୁ ଉଠାଇଥିଲା।

ସମ୍ବନ୍ଧିତ ଖବର