୧ ନମ୍ବର ହାଟରୁ ୨ ଟ୍ରକ୍‌ ନିଷିଦ୍ଧ ପଲିଥିନ୍‌ ଜବତ

ଭୁବନେଶ୍ୱର: ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ବ୍ୟବହାରକୁ ନେଇ ବିଏମ୍‌ସିର ଚଢ଼ଉ ଜାରି ରହିଛି। ଆଜି ସକାଳୁ ଖୋଦ୍‌ କମିସନର ବିଜୟ ଅମୃତା କୁଲାଙ୍ଗେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ୧ ନମ୍ବର ହାଟରେ ଚଢ଼ଉ କରିଥିଲେ। ତାରିଣୀ ଟ୍ରେଡର୍ସ ସହ ତିନିଟି ହୋଲସେଲ୍‌ର ଦୋକାନରୁ ଦୁଇ ଟ୍ରକ୍‌ ନିଷିଦ୍ଧ ପଲିଥିନ୍‌ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି। ଏଥିରେ କ୍ୟାରି ବ୍ୟାଗ୍‌, ପ୍ଲେଟ୍‌, ଦନା, ଚାମଚ, ଖଲି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଏଗୁଡ଼ିକୁ ସିଲ୍‌ କରାଯାଇଛି। ଆସନ୍ତାକାଲି ମାଲିକଙ୍କ ଉପରେ ମୋଟା ଅଙ୍କର ଜରିମାନା କରାଯିବ।

କେଉଁଠୁ ଏ ସାମଗ୍ରୀ ଆଣୁଛନ୍ତି, ସେମାନଙ୍କୁ ପଚରାଉଚରା କରାଯାଇଛି। ଏହି ନିଷିଦ୍ଧ ସାମଗ୍ରୀ ଯୋଗାଉଥିବା ବ୍ୟବସାୟୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଯୋଜନା ହୋଇଛି। ଜରିମାନା ଦାଖଲ କରିବା ପରେ ଦୋକାନ ‌ଖୋଲିବାକୁ ଅନୁମତି ଦିଆଯିବ। ଏହି ଅପରାଧର ପୁନରାବୃତ୍ତି ହେଲେ ଦୋକାନକୁ ସବୁ ଦିନ ପାଇଁ ସିଲ୍‌ କରାଯିବା ସହ ଟ୍ରେଡ୍‌ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।

ସେହିଭଳି ମାଷ୍ଟରକ୍ୟାଣ୍ଟିନ୍‌ରେ ମଧ୍ୟ ଚଢ଼ଉ ହୋଇଛି। ଏଠାରେ ତିନିଟି ଜଳଖିଆ ଦୋକାନକୁ ସିଲ୍‌ କରାଯିବା ସହ ପଲିଥିନ୍‌ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। ଶ୍ରୀ ବିନିଥ୍‌ ସୁଇଟ୍ସ ନାମକ ଏକ ମିଠା ଦୋକାନରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଦୁଇ ଦିନ ତଳେ ବିଏମ୍‌ସି ୟୁନିଟ୍‌-୧ ମାର୍କେଟ୍‌, ବିଦ୍ୟୁତ୍‌ ମାର୍ଗ ଅଞ୍ଚଳ, ଜନପଥ, ବିଏମ୍‌ସି ଅଫିସ୍‌ ପାଖ, ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରଭୃତି ଅଞ୍ଚଳରେ ଏହି ଚଢ଼ଉ କରି ୬ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଥିଲା।

ସମ୍ବନ୍ଧିତ ଖବର