ରାଜ୍ୟ ସ୍କାଉଟ୍‌ସ୍ ଓ ଗାଇଡ୍‌ସ ଶିବିର ‘ରେନ୍‌ବୋ’ ଉଦ୍‌ଯାପିତ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ ସଂସ୍ଥା ଆନୁକୂଲ୍ୟରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ୨୮ ଜିଲ୍ଲାରୁ ଆସିଥିବା ୮୦୦ ସ୍କାଉଟ୍ ଗାଇଡ୍‌ମାନଙ୍କୁ ନେଇ ଅନୁଷ୍ଠିତ ଶିବିର ‘ରେନ୍‌‌ବୋ’ ଉଦ୍‌ଯାପିତ ହୋଇଯାଇଛି। ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିସନର୍‌ ଡ. କାଳୀପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା କମିସନ୍‌ର ଅଧ୍ୟକ୍ଷା ମିନତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସ୍ୱଚ୍ଛ ଭାରତ ଏବଂ ସବୁଜ ଭାରତ’ କାର୍ଯ୍ୟକ୍ରମରେ ସ୍କାଉଟ୍ ଗାଇଡ୍‌ ପରିସରକୁ ସଫାସୁତୁରା କରିଥିଲେ। ପିଲାମାନଙ୍କୁ ସ୍କାଉଟ୍ ଗାଇଡ୍‌ ସଂପର୍କରେ ବିଭିନ୍ନ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯାଇ ସେମାନଙ୍କର ଶିକ୍ଷାର ବିକାଶ କରାଯାଇଥିଲା।

ପରେ ପରେ ଦକ୍ଷତା ବିକାଶ କ୍ଷେତ୍ରରେ ସ୍କାଉଟ୍ ଗାଇଡ୍‌ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇଥିଲା। ଛାତ୍ରଛାତ୍ରୀମାନେ ରଙ୍ଗିନ୍‌ କାଗଜରେ ବିଭିନ୍ନ ପ୍ରକାରର ଫୁଲ ଏବଂ ସୌଖୀନ ପଦାର୍ଥମାନ ତିଆରି କରି ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ଏହାପରେ ଅନ୍ୟ ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଥିଲା ‘ପୃଥିବୀ ସୁରକ୍ଷା’। କାର୍ଯ୍ୟକ୍ରମରେ ସ୍କାଉଟ୍ ଗାଇଡ୍‌ମାନେ ପୃଥିବୀ ସୁରକ୍ଷା ଉପରେ ସୁନ୍ଦର ଅଭିନୟ କରି ସମସ୍ତଙ୍କୁ ମୁଗ୍ଧ କରିବା ସହ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ସାନ୍ଧ୍ୟକାଳୀନ ଅଧିବେଶନରେ ‘ଡ୍ୟାନ୍ସ ବୋନାଞ୍ଜା’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବାଦ୍ୟ ସଂଗୀତର ତାଳେତାଳେ ସ୍କାଉଟ୍ ଗାଇଡ୍‌ମାନଙ୍କ ନୃତ୍ୟ ଅତିଥିମାନଙ୍କୁ ଆମୋଦିତ କରିଥିଲା। ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରତିଯୋଗିମାନଙ୍କୁ ସାର୍ଟିଫିକେଟ୍ ଏବଂ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ରାଜ୍ୟ ସଂପାଦକ ଶରତ ଚନ୍ଦ୍ର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ସଫଳତାର ସହ ଶେଷ ହୋଇଛି।

ସମ୍ବନ୍ଧିତ ଖବର