ଟ୍ରେନ୍‌ରୁ ଜଣେ ନାବାଳିକା ସମେତ ୮ ଉଦ୍ଧାର

ଭୁବନେଶ୍ବର/ନିରାକାରପୁର: ଆଜି ସନ୍ଧ୍ୟାରେ କଟକ-ପଲାସା ଟ୍ରେନ୍‌ରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ବେଳେ ଅନ୍ୟ ୭ଜଣ ନାବାଳକ ଅଛନ୍ତି। ସେମାନେ ଭୁବନେଶ୍ବରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରହୁଥିବା ପ୍ରକାଶ କରିଛନ୍ତି। କେତେକ ଯାତ୍ରୀଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ପଚରା ଉଚରା କରି ଥିଲେ। ଅନୁଷ୍ଠାନ ଛାଡ଼ି ଚାଲି ଆସୁଥିବା ଜାଣିବା ପରେ ସେମାନଙ୍କୁ ଜିଆରପି ପୁଲିସ ଜିମା ଦେଇଛନ୍ତି। ନିରାକାରପୁର ଜିଆରପି ସୂଚନା ମୁତାବକ, କଟକ-ପଲାସା ଟ୍ରେନ୍‌ରେ ୮ରୁ ୧୦ ବର୍ଷର ୮ ଜଣ ନାବାଳକ/ନାବାଳିକା ସନ୍ଦେହଜନକ ଭାବରେ ଟ୍ରେନ୍‌ରେ ଯାଉଥିବା କିଛି ଯାତ୍ରୀ ଦେଖିଥିଲେ। ଖୋର୍ଧା ଜିଲ୍ଲା ଭୂଷଣ୍ଡପୁର ଠାରେ କିଛି ସ୍ଥାନୀୟ ଯାତ୍ରୀ ଏହି ପିଲାମାନଙ୍କୁ ପଚରା ଉଚରା କରି ଟ୍ରେନ୍‌ରୁ ସେମାନଙ୍କୁ ଓହ୍ଲାଇ ଭୂଷଣ୍ଡପୁର ଷ୍ଟେସନକୁ ନେଇଥିଲେ। ସେଠାରୁ ସେମାନଙ୍କୁ ନିରାକାରପୁର ଜିଆରପି ଫାଣ୍ଡିକୁ ଅଣାଯାଇଛି। ପିଲାମାନେ କାହିଁକି ଅନୁ‌ଷ୍ଠାନ ଛାଡ଼ି ପଳାଉଥିଲେ, ସେ ସମ୍ବନ୍ଧରେ କିଛି ନ କହି ଭୟାର୍ତ୍ତ ଅବସ୍ଥାରେ ଅଛନ୍ତି। ସେମାନେ ଭୁବନେଶ୍ବରରେ ରହୁଥିବା ଅନୁଷ୍ଠାନ ସହ ନିରାକାରପୁର ଜିଆରପି ଫାଣ୍ଡି ପକ୍ଷରୁ ଯୋଗାଯୋଗ କରାଯାଉଛି।

ସମ୍ବନ୍ଧିତ ଖବର