ବଡିବିଲ୍‌ଡିଂ ପ୍ରତିଭାଙ୍କୁ ପ୍ରୋତ୍ସାହନ ଏମିତି…

ବାହାଘର ଚେନ୍‌ ବନ୍ଧା ପକାଇଲେ, ତଥାପି ଅଣ୍ଟୁନି

ଭୁବନେଶ୍ବର: ଭାବିଥିଲେ ବଡିବିଲ୍‌ଡିଂକୁ ପେସା କରିବେ। ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ। ପ୍ରତିଭା ପ୍ରଦର୍ଶନ କରି ରଶ୍ମିରଂଜନ ସାହୁ ନିଜର ଏହି ସ୍ବପ୍ନ ସାକାର କଲେ। ମାତ୍ର ଆଜି ଯେବେ ଏସିଆନ୍‌ ବଡି ବିଲ୍‌ଡିଂ ଚାମ୍ପିୟନ୍‌ସିପ୍‌ରେ ଅଂଶଗ୍ରହଣ ପାଇଁ ସୁଯୋଗ ଆସିଛି, ସେଥିରେ ସେ ଖୁସି ହୋଇପାରୁନାହାନ୍ତି। ସୁଯୋଗ ଥିଲେ ହେଁ ଅର୍ଥାଭାବ ତାଙ୍କୁ ପଛରୁ ଟାଣୁଛି।
ଚାଇନାର ମଙ୍ଗୋଲିଆ‌ରେ ସେପ୍ଟେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଏସିଆନ୍‌ ବଡିବିଲ୍‌ଡିଂ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ୫୩ ଦେଶରୁ ପ୍ରତିଯୋଗୀ ଏଥିରେ ଭାଗ ନେଉଥିବା ବେଳେ ଭାରତରୁ ବିଭିନ୍ନ ବର୍ଗରେ ୬୫ ଜଣ ଭାଗ ନେଉଛନ୍ତି। ତୃତୀୟଥର ପାଇଁ ଏଭଳି ଏକ ବୃହତ୍‌ ପ୍ରତିଯୋଗିତାରେ ରଶ୍ମିଙ୍କୁ ଓଡ଼ିଶାରୁ ସୁଯୋଗ ମିଳିଛି। ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ ହେବାକୁ ଥିବା ବେଳେ ଇଣ୍ଡିଆନ୍‌ ବଡି ବିଲ୍‌ଡିଂ ଆସୋସିଏସନ୍‌କୁ ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ପଇଠ କରିବାକୁ କୁହାଯାଇଛି। ଏଥିପାଇଁ ରଶ୍ମି ବାହାଘରରେ ଶ୍ବଶୂର ଘରୁ ପାଇଥିବା ଚେନ୍‌ଟିକୁ ବନ୍ଧା ପକାଇ ୭୦ ହଜାର ଟଙ୍କା ପଇଠ କରିଛନ୍ତି। ମାତ୍ର ପୂରା ଟଙ୍କା ପଇଠ କରିବାକୁ ସେ ସକ୍ଷମ ହୋଇନାହାନ୍ତି। ଏତେ କର୍ପୋରେଟ୍‌ ସଂସ୍ଥା ଓ ଶିଳ୍ପପତିମାନେ ଥିଲେ ହେଁ ରଶ୍ମିଙ୍କ ଭଳି ପ୍ରତିଭାଙ୍କୁ ପ୍ରୋତ୍ସାହନ ପାଇଁ କେହି ଆଗେଇ ଆସିନାହାନ୍ତି। ଏହା ହିଁ ଓଡ଼ିଶା ଭଳି ରାଜ୍ୟରେ ଜଣେ ପ୍ରତିଭାଙ୍କର ସବୁଠୁ ବଡ଼ ଦୁଃଖ। ବଡି ବିଲ୍‌ଡିଂ ପ୍ରତିଯୋଗିତାରେ ଜାତୀୟସ୍ତରରେ ୨ଥର, ରାଜ୍ୟସ୍ତରରେ ୬ଥର ସ୍ବର୍ଣ୍ଣ ପଦକ ସହ ବହୁ ସଫଳତା ଅର୍ଜନ କରିଥିବାରୁ ଓଡ଼ିଶା ପୁଲିସ୍‌ରେ କ୍ରୀଡ଼ା କୋଟାରେ ସେ ଚାକିରି ପାଇଛନ୍ତି। ମାତ୍ର ଚୁକ୍ତିଭିତ୍ତିକ ରୋଜଗାର ଯୋଗୁଁ ମାସକୁ ୮ହଜାର ଟଙ୍କା ପାଉଛନ୍ତି।
ରଶ୍ମିଙ୍କ କହିବା ମୁତାବକ, ଏଭଳି ମହାଦେଶୀୟ ପ୍ରତିଯୋଗିତାକୁ ଓହ୍ଲାଇବା ପାଇଁ ହେଲେ ଶରୀରକୁ ପ୍ରସ୍ତୁତ କରିବା ପାଇଁ ଦେଢ଼ ମାସରେ ଅନ୍ୟୁନ ୭୦ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ିବ। ସେ‌ପଟେ ଇଣ୍ଡିଆନ୍‌ ବଡିବିଲ୍‌ଡିଂ ଆସୋସିଏସନ୍‌ରେ ସମ୍ପୂର୍ଣ୍ଣ ଟଙ୍କା ପଇଠ କରିପାରୁନାହିଁ। ତେଣୁ ଚିନ୍ତାରେ ପଡ଼ିଛି। ଏହି ଯୁବ ପ୍ରତିଭାଙ୍କୁ ସହଯୋଗ ପାଇଁ ଆପଣମାନେ ତାଙ୍କ SBIN0012026-ifcs code (AC no-32070153537)ରେ ଆର୍ଥିକ ସହାୟତା ପଠାଇ ପାରିବେ କିମ୍ବା ତାଙ୍କ ମୋବାଇଲ୍‌ ନମ୍ବର ୯୧୩୨୩୬୩୫୩୩‌ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର