ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜେପିର ବାଜିମାତ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲକ୍ଷ୍ନୌ: ଗୋଟିଏ ସପ୍ତାହ ପରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ତା’ ପୂର୍ବରୁ ଶୁକ୍ରବାର ଉତ୍ତର ପ୍ରଦେଶରେ ପୌର ନିର୍ବାଚନ  ଫଳାଫଳ ବାହାରିଛି। ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିପରୀକ୍ଷାରେ ପାସ ହୋଇଛନ୍ତି। ଉତ୍ତରପ୍ରଦେଶ ପୌର ନିର୍ବାଚନରେ ଭାଜାପାକୁ ବିପୁଳ ବିଜୟ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ମଧ୍ୟ ଉତ୍ସାହିତ ହୋଇ ପଡ଼ିଛନ୍ତି। ରାଜ୍ୟର ଲୋକଙ୍କୁ ମୋଦି ଧନ୍ୟବାଦ ଜଣାଇଛନ୍ତି। ସେ ସନ୍ଧ୍ୟାରେ ଟୁଇଟରରେ ଲେଖିଛନ୍ତି, ବିକାଶର ଏହି ଦେଶରେ ପୁଣି ଥରେ ବିଜୟ ମିଳିଛି। ଅଧିକାଂଶ ଆସନରେ ବିଜେପିକୁ ବିଜୟ ମିଳିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ପାର୍ଟି କର୍ମୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ଏଥି ସହିତ ମୋଦି କହିଛନ୍ତି, ଏହି ବିଜୟ ଜନମଙ୍ଗଳ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ।

ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନର ଫଳ। ପ୍ରଧାନମନ୍ତ୍ରୀଙ୍କ ନୀତି ଓ ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କ ରଣନୀତି ବଳରେ ବିଜେପିକୁ ବିପୁଳ ବିଜୟ ମିଳିଛି। ଏଥି ସହିତ ଯୋଗୀ ନିଜ ମନ୍ତ୍ରିମଣ୍ଡଳକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଯୋଗୀ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ଭାଜପାକୁ ଶତପ୍ରତିଶତ ବିଜୟ ମିଳିବ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆକ୍ଷେପ କରି ଯୋଗୀ କହିଛନ୍ତି, ଲୋକ ଗୁଜରାଟ ନିର୍ବାଚନ ଉପରେ ବଡ଼ ବଡ଼ କଥା କହୁଥିଲେ। ସେମାନଙ୍କର ଖାତା ଖୋଲି ନାହିଁ। ଭାଜପା ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି, ୨୦୧୨ରେ ଭାଜପା ନଗର ପାଲିକା ଅଧ୍ୟକ୍ଷ ନିର୍ବାଚନରେ ୪୧ଟି ସିଟରେ ବିଜୟୀ ହୋଇଥିବା ବେଳେ, ଚଳିତ ନିର୍ବାଚନରେ ୧୦୦ରୁ ଅଧିକ ସିଟରେ ବିଜୟୀ ହେବ। ସେହିଭଳି ପ୍ରାୟ ୭୦୦୦ ଓ୍ଵାର୍ଡରୁ ୪୦୦୦ରୁ ଅଧିକ ଓ୍ଵାର୍ଡରେ ବିଜୟୀ ହେବ ବୋଲି ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର