ନେତାଙ୍କ ନାତି

ପାରିବାରିକ ପରମ୍ପରା କ୍ରମେ ଉତ୍ତର ପିଢ଼ି ସକ୍ରିୟ ରାଜନୀତିକୁ ଓହ୍ଲାଇବାର ଧାରା ଭାରତୀୟ ରାଜନୀତିରେ ନୂଆ ନୁହେଁ। ଯଦିଓ ରାଜନୀତିରେ ପରିବାରବାଦକୁ ବିରୋଧ ଜାରି ରହିଛି, କିନ୍ତୁ ଦେଶ ସ୍ବାଧୀନ ହେବାର ୭୭ ବର୍ଷ ପରେ ବି ଏଭଳି ବହୁ ନେତାଙ୍କୁ ରାଜନୈତିକ ରଙ୍ଗମଞ୍ଚରେ ଦେଖିବାକୁ ମିଳୁଛି, ଯେଉଁମାନେ ତୃତୀୟ ପିଢ଼ିର। କିଏ ନିଜର ଦକ୍ଷତା ଓ ନେତୃତ୍ବର ପରାକାଷ୍ଠାରେ ରାଜନୀତିରେ ସକ୍ରିୟ ରହିଛନ୍ତି ତ ଆଉ କିଏ ପାରିବାରିକ ପତିଆରାରେ ରାଜନୈତିକ ଗୁରୁତ୍ବ ହାସଲ କରିଛନ୍ତି। ବଡ଼ ବଡ଼ ନେତାଙ୍କ ନାତିଙ୍କୁ ନେଇ ବିଶେଷ ଉପସ୍ଥାପନା।

ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହୋଇଗଲାଣି ସଜବାଜ। ଆଉ ଦିନ କେଇଟା ପରେ ନିର୍ବାଚନ ଆୟୋଗ ଘୋଷଣା କରିବେ ନିର୍ବାଚନ ତାରିଖ। ଏଥର କେତେକ ରାଜ୍ୟରେ ଲୋକସଭା ସାଙ୍ଗକୁ ହେବ ବିଧାନସଭା ନିର୍ବାଚନ। ଦେଶର ରାଜନୈତିକ ପାଣିପାଗ କ୍ରମଶଃ ଉଷ୍ମ ହେଉଛି। ଏହି ପରିପ୍ରେକ୍ଷୀରେ ରାଜନୀତିର ରଣାଙ୍ଗନରେ ସକ୍ରିୟ ହୋଇ ଉଠିଛନ୍ତି ବେଶ୍ କେତେ ଜଣ ତୃତୀୟ ପିଢ଼ିର ରାଜନେତା। ନିଜ ଜେଜେବାପା/ ଅଜାଙ୍କ ରାଜନୖତିକ ପତିଆରାକୁ ବଜାୟ ରଖିବା ସହ ନିଜର ରାଜନୈତିକ ଭବିଷ୍ୟତକୁ ଗଢ଼ିବା ଲାଗି ତତ୍ପର ହୋଇଉଠିଛନ୍ତି।

ଇତିହାସକୁ ତର୍ଜମା କଲେ ଆମେ ଦେଖିବା, ବିଭିନ୍ନ ସମୟରେ ଜଣାଶୁଣା ନେତାଙ୍କ ନାତିମାନେ ସକ୍ରିୟ ରାଜନୀତିରେ ସାମିଲ ହୋଇ ବିବାଦ ଓ ବିତର୍କ ଘେରକୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ସଫଳତା ପାଇବା ସହିତ କେତେକ ସଫଳତା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଦେଶର ପୁରାତନ ରାଜନୈତିକ ଖାନ୍ଦାନ ଗାନ୍ଧୀ-ନେହରୁ ବଂଶର ନାତି-ନାତୁଣୀ ଓ ଅଣନାତି ଭାରତୀୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ମୋତିଲାଲ ନେହେରୁଙ୍କ ଠାରୁ ଗଣତି ଆରମ୍ଭ କଲେ ଇନ୍ଦିରା ଗାନ୍ଧୀ ସବୁଠୁ ସଫଳ ତୃତୀୟ ପିଢ଼ିର ନେତ୍ରୀ। ଆଉ ଜବାହରଲାଲ୍ ନେହରୁଙ୍କଠାରୁ ଆରମ୍ଭ କଲେ ତାଙ୍କ ନାତି ରାଜୀବ ଗାନ୍ଧୀ ସବୁଠୁ ସଫଳ। ସେହିପରି ସୋନିଆ, ମାନେକା ଗାନ୍ଧୀଙ୍କ ଭଳି ତାଙ୍କ ନାତୁଣୀବୋହୂମାନେ ମଧ୍ୟ ଭାରତୀୟ ରାଜନୀତିରେ ସ୍ୱତନ୍ତ୍ର ଛାପ ରଖିଛନ୍ତି। ଅନ୍ୟ ପକ୍ଷରେ ଇନ୍ଦିରା ଗାନ୍ଧୀଙ୍କ ନାତି ରାହୁଲ କଂଗ୍ରେସର ମଙ୍ଗ ସମ୍ଭାଳି କ୍ଷମତାକୁ ଆସିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବି.ଆର୍‌. ଆମ୍ବେଦକର, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ନେତା ଚୌଧୁରୀ ଚରଣ ସିଂ, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ହରିଆଣାର ନେତା ଚୌଧୁରୀ ଦେବୀଲାଲ, ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ, ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କର୍ଣ୍ଣାଟକର ନେତା ଏଚ୍‌. ଡି. ଦେବେଗୌଡ଼ା, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ ଅବଦ୍ଦୁଲ୍ଲା ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ନାତି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଯଦି ଆମ ରାଜ୍ୟ ଓଡ଼ିଶା କଥା ଦେଖିବା ତେବେ ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତିଙ୍କୁ ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ପାଇବା। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ, ନୀଳମଣି ରାଉତରାୟ ଓ ନନ୍ଦିନୀ ଶତପଥୀଙ୍କ ନାମ ସାମ୍ନାକୁ ଆସେ।

ଅଜୟ ଓ ଅଭୟ ସିଂ ଚୌତାଲା
ଭାରତର ଉପ-ପ୍ରଧାନମନ୍ତ୍ରୀ ତଥା ହରିଆଣାର ସିଂହ ଭାବେ ପରିଚିତ ଚୌଧୁରୀ ଦେବୀଲାଲଙ୍କ ଦୁଇ ନାତି ଅଜୟ ଓ ଅଭୟ ସିଂହ ଚୌତାଲା ରାଜନୀତିରେ ବେଶ୍ ସଫଳତା ହାସଲ କରିଛନ୍ତି। ୧୯୮୦ରେ ରାଜନୀତିକୁ ଆସି ଅଜୟ ସିଂ ଚୌତାଲା ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହେବା ପରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ରହିଥିଲେ। ପରେ ସେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ଅଭୟ ବିଧାୟକ ଓ ସାଂସଦ ନିର୍ବାଚିତ ହୋଇଥିଲେ। ସେ ହରିୟାଣା ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ଦେବୀଲାଲଙ୍କ ନାତୁଣୀ ସୁନୀତା ଚୌତାଲା ରାଜନୀତିକୁ ଆସିଥିଲେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇନାହାନ୍ତି। କିନ୍ତୁ ଦେବୀଲାଲଙ୍କ ନାତୁଣୀବୋହୂ, ଅର୍ଥାତ୍ ନାତି ଅଜୟ ସିଂହ ଚୌତାଲାଙ୍କ ପତ୍ନୀ ନୈନା ଚୌତାଲା ବିଧାୟିକା ଭାବେ ରାଜନୀତିରେ ସଫଳ ହୋଇଛନ୍ତି। ଏହାସହିତ ଦେବୀଲାଲଙ୍କ ଅଣନାତି ଦୁଷ୍ୟନ୍ତ ସିଂହ ଚୌତାଲା ରାଜନୀତିକୁ ସଫଳତାର ସହ ପ୍ରବେଶ କରିଛନ୍ତି। ଅଜୟଙ୍କ ପୁଅ ଦୁଷ୍ୟନ୍ତ ହରିଆଣାର ଉପ-ମୁଖ୍ୟମନ୍ତ୍ରୀ ପଦବି ଅଳଙ୍କୃତ କରି ରାତାରାତି ରାଜନୀତିରେ ଛକା ମାରିଛନ୍ତି।

ଓମର ଅବଦ୍ଦୁଲ୍ଲା
ଜାମ୍ମୁ ଓ କାଶ୍ମୀର ରାଜନୀତିରେ ଅବଦୁଲ୍ଲା ପରିବାରର ପ୍ରାଧାନ୍ୟ ରହିଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍ ଅବଦ୍ଦୁଲ୍ଲାଙ୍କ ନାତି ତଥା ନ୍ୟାସ୍‌ନା୍‌ଲ କନ୍‌ଫରେନ୍ସର ମୁଖ୍ୟ ଓମର ଅବଦୁଲ୍ଲା ରାଜନୀତିକୁ ଆସି ଯଥେଷ୍ଟ ସଫଳତା ହାସଲ କରିଛନ୍ତି। ୧୯୯୮ରେ ସେ ରାଜନୀତିକୁ ଆସି ପ୍ରଥମେ ଲୋକସଭାର ସଦସ୍ୟ ନିର୍ବାଚିତ ହୋଇଥିଲେ। ପରେ ସେ ୨୦୦୧ରେ କେନ୍ଦ୍ର ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ରହିଥିଲେ। ୨୦୦୯ରେ ଜାମ୍ମୁ କାଶ୍ମୀରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ। ୨୦୧୫ରେ ସେ ବିରୋଧୀ ଦଳ ନେତା ଭାବେ ରାଜନୈତିକ ଭୂମିକା ନିର୍ବାହ କରିଥିଲେ। ବର୍ତ୍ତମାନ ତାଙ୍କ ନେତୃତ୍ବାଧୀନ ନ୍ୟାସ୍‌ନାଲ୍ କନ୍‌ଫରେନ୍ସ ଇଣ୍ଡିଆ ମେଣ୍ଟରେ ରହିଛି।

ପ୍ରଜ୍ଜ୍ବଲ୍, ସୂରଜ ଓ ରାକେଶ
କର୍ଣ୍ଣାଟକ ରାଜନୀତିର ଅନ୍ୟତମ ବିନ୍ଧାଣୀ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ଦୁଇ ନାତି ରାଜନୀତିକୁ ଓହ୍ଲାଇ ଆଦ୍ୟ ସଫଳତା ସାଉଁଟିଛନ୍ତି। ଦେବେଗୌଡ଼ାଙ୍କ ପୁଅ ଏଚ୍‌.ଡି. ରେଭନ୍ନାଙ୍କ ବଡ଼ପୁଅ ପ୍ରଜ୍ଜ୍ବଲ୍ ରେଭନ୍ନା ୨୦୧୯ରେ ଲୋକସଭାକୁ ନିର୍ବାଚିତ ହୋଇ କନିଷ୍ଠତମ ସାଂସଦର ମାନ୍ୟତା ଲାଭ କରିଛନ୍ତି। ବିଦେଶ ପଢୁଆ ପ୍ରଜ୍ଜ୍ବଲ୍ ଆଗକୁ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ସେହିପରି ତ‌ାଙ୍କ ସାନଭାଇ ସୂରଜ ରଭନ୍ନା ବୃତ୍ତିରେ ଜଣେ ଡାକ୍ତର ହୋଇଥିଲେ ହେଁ କର୍ଣ୍ଣାଟକ ବିଧାନ ପରିଷଦର ସଦସ୍ୟ ରହିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ମଧ୍ୟ ତାଙ୍କ ନାତିକୁ ରାଜନୀତିକୁ ଆଣିଛନ୍ତି। ୨୦୨୩ରେ ଏକ ଦଳୀୟ ସମାବେଶରେ ସେ ତାଙ୍କର ନାତି ଧୱନ୍ ରାକେଶଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ। ରାକେଶଙ୍କୁ ଏବେ ବିଭିନ୍ନ ରାଜନୈତିକ ମଞ୍ଚରେ ନିଜ ଜେଜେଙ୍କ ସହ ଦେଖିବାକୁ ମିଳୁଛି। ସେ କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ଯୁବଚେହେରା ହେବେ ବୋଲି ଚର୍ଚ୍ଚା ହେଉଛି।

ଅଜୟ ଅର୍ଜୁନ
ମଧ୍ୟପ୍ରଦେଶର ପୁରୁଖା କଂଗ୍ରେସ ନେତା ରାଓ ଶିବ ବାହାଦୁର ସିଂହ ଜବାହରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିଲେ। ସେ ତତ୍କାଳୀନ ଚୁରହାଟ୍ ନିର୍ବାଚନ ମଣ୍ଡଳୀର ଅପ୍ରତିନ୍ଦ୍ବନ୍ଦ୍ବୀ ନେତା ଭାବେ ପରିଗଣିତ ହେଉଥିଲେ। ସିଂହଙ୍କ ନାତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସିଂହଙ୍କ ପୁଅ ଅଜୟ ଅର୍ଜୁନ ସିଂହ ରାଜନୀତିରେ ଜଣେ ସଫଳ ଚେହେରା । ସେ ଚୁରହାଟ୍‌ରୁ ୫ଥର ବିଧାନସଭାକୁ ନିର୍ବାଚିତ ହେବା ସହ ଦିଗବିଜୟ ସିଂହ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ରହିଛନ୍ତି। ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି। ଶିବ ବାହାଦୁର ସିଂହଙ୍କ ନାତୁଣୀ ବୀଣା ସିଂହ (ଅର୍ଜୁନ ସିଂହଙ୍କ ଝିଅ) କଂଗ୍ରେସର ରାଜନୈତିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ ମଧ୍ୟ ସିଧାସଳଖ ବିଧାୟକ କିମ୍ବା ସାଂସଦ ହେବାକୁ ନିର୍ବାଚନ ଲଢ଼ି ନ ଥିଲେ।

ସମ୍ବନ୍ଧିତ ଖବର