ଜୀବନ ମନ୍ତ୍ର: ତୀର୍ଥଶ୍ରେଷ୍ଠ ଅଯୋଧ୍ୟାପୁରୀ

‘ସ୍କନ୍ଦପୁରାଣ’ରେ ବର୍ଣ୍ଣନା ଅଛି- ରାଜୀବଲୋଚନ, ରାବଣାନ୍ତକ, ନୟନାଭିରାମ ରାମଙ୍କର ଜନ୍ମଭୂମି ଥିଲା ପାବନ ଅଯୋଧ୍ୟାପୁରୀ। ପୁରାଣ ଅନୁସାରେ, ବେଦବର୍ଣ୍ଣିତ ପ୍ରାଚୀନ ସାକେତ ପୁରୀ ରାମାୟଣ କାଳରେ ଅଯୋଧ୍ୟା ନାମ ଧାରଣ କରି ଈକ୍ଷାକୁବଂଶୀୟ କୋଶଳର ଚକ୍ରବର୍ତ୍ତୀ ସମ୍ରାଟମାନଙ୍କ ଦ୍ୱାରା ଶାସିତ ହୋଇଥିଲା। ହିନ୍ଦୁଦର୍ଶନ ଅନୁଯାୟୀ, କାଶୀ, କାଞ୍ଚି, ଅବନ୍ତିକା, ମଥୁରା, ବାରାଣସୀ ଆଦି ଯେଉଁ ମହତ୍ ପୁଣ୍ୟଦାୟୀ ତୀର୍ଥ ଅଛନ୍ତି, ସେ ମଧ୍ୟରୁ ଗୋଟିଏ ହେଉଛି ଅଯୋଧ୍ୟାପୁରୀ।

‘ଅଯୋଧ୍ୟା’ ଶବ୍ଦର ଯେଉଁ ଅର୍ଥ ପୁରାଣକାରମାନେ କରିଛନ୍ତି, ତାହା ହେଲା- ‘ଅ’ରେ ବହ୍ମା, ‘ଯ’ରେ ବିଷ୍ଣୁ ଓ ‘ଧ୍ୟ’ରେ ଶିବ। ବ୍ରହ୍ମହତ୍ୟା ସମେତ ଯେକୌଣସି ଉପପାତକ ଏହି ସ୍ଥାନରେ ଯୁଦ୍ଧ କରିବାକୁ ସମର୍ଥ ନୁହନ୍ତି ବୋଲି ଏହାର ନାମ ଅଯୋଧ୍ୟା। ଏହା ଭଗବାନ ବିଷ୍ଣୁଙ୍କର ଆଦିପୁରୀ। ଏହା ମଧ୍ୟ ଶ୍ରୀବିଷ୍ଣୁଙ୍କ ସୁଦର୍ଶନ ଚକ୍ରର ନିତ୍ୟ ନିବାସ ସ୍ଥଳ। ମାନସରୋବରରୁ ବାହାରିଥିବା ପୁଣ୍ୟସଲିଳା ସରଯୂ ନଦୀଙ୍କର ଜନ୍ମ ଭଗବାନ ବିଷ୍ଣୁଙ୍କର ବାମଚରଣରୁ ହୋଇଥିଲା। ସେ ମଧ୍ୟ ଏଠାରେ ପ୍ରବାହିତ। ଏହି ନଦୀ ଦେବତାମାନଙ୍କର ମଧ୍ୟ ପୂଜ୍ୟ। ସରଯୂରେ ସ୍ନାନ କଲେ ବ୍ରହ୍ମହତ୍ୟା ଆଦି ପାପରୁ ମୁକ୍ତି ମିଳେ।

ପୁରାଣବର୍ଣ୍ଣନା ଅନୁସାରେ, ବିଷ୍ଣୁ ଶର୍ମା ନାମକ ଜଣେ ବିଷ୍ଣୁଭକ୍ତଙ୍କର ତପସ୍ୟାରେ ତୁଷ୍ଟ ହୋଇ, ଭଗବାନ ବିଷ୍ଣୁ ଏହି କ୍ଷେତ୍ରରେ ନିତ୍ୟନିବାସ କରିବାକୁ ସ୍ୱୀକୃତି ଦେଇଥିଲେ। ବିଷ୍ଣୁ ଏଠାରେ ନିତ୍ୟ ନିବାସ କରିବାର ଦେଖି, ବ୍ରହ୍ମା ମଧ୍ୟ ଏଠାରେ ନିବାସ କରିବାକୁ ନିଶ୍ଚୟ କରି ବ୍ରହ୍ମକୁଣ୍ଡ ସ୍ଥାପନ କରିଥିଲେ। ସରଯୂ ତୀରରେ ବସି ଲକ୍ଷ୍ମଣ ଦେହତ୍ୟାଗ କରିବାକୁ ସଂକଳ୍ପ ନେଲାବେଳେ, ପାତାଳ ଲୋକରୁ ଶେଷନାଗ ପ୍ରକଟ ହୋଇଥିଲେ। ସେ ଥିଲେ ରୁଦ୍ର ସ୍ୱରୂପ। ଲକ୍ଷ୍ମଣ ହିଁ ରୁଦ୍ର ଓ ଶେଷନାଗ। ଅତଏବ ଏ ସ୍ଥାନ ଏକାଧାରରେ ବ୍ରହ୍ମା, ବିଷ୍ଣୁ ଓ ରୁଦ୍ରଙ୍କର ନିବାସସ୍ଥଳ।

ବୌଦ୍ଧ ଓ ଜୈନମାନେ ମଧ୍ୟ ଏହି ସ୍ଥାନକୁ ସେମାନଙ୍କର ପରମତୀର୍ଥ ଭାବରେ ଗଣନା କରନ୍ତି। ଜୈନଗୁରୁ ଋଷଭନାଥ, ଅଜିତନାଥ, ସୁମତିନାଥ ଓ ଅନନ୍ତନାଥ ଆଦିଙ୍କର ଏହା ଜନ୍ମଭୂମି। ବୌଦ୍ଧଶାସ୍ତ୍ରରେ କୋଶଳ ମହାଜନପଦ ତଥା ସାକେତ ନଗରୀର ବହୁ ବର୍ଣ୍ଣନା ରହିଛି। ‘ଫେନସୂତ୍ର’ ଅନୁସାରେ, ଗୌତମବୁଦ୍ଧ ସେହି ଗ୍ରନ୍ଥକୁ ଏହିଠାରେ ରଚନା କରିଥିଲେ। ଅଶୋକଙ୍କ ରାଜତ୍ୱ କାଳରେ ଏହା ଏକ ପ୍ରସିଦ୍ଧ ବୌଦ୍ଧପୀଠରେ ପରିଣତ ହୋଇଥିଲା।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର