ଇନ୍ସପେକ୍ଟର୍‌ଙ୍କ ନିଜ ନାଁରେ ମାମଲା ରୁଜୁ ଘଟଣା: ଏସିପିଙ୍କ ତଦନ୍ତକୁ ନେଇ ଉଠିଲାଣି ପ୍ରଶ୍ନ

୩ ସପ୍ତାହ ପରେ ମଧ୍ୟ ଆସିପାରୁନାହିଁ ରିପୋର୍ଟ

ଭୁବନେଶ୍ବର: ଥାନାରେ ଜଣେ ଦଳିତ ଯୁବକଙ୍କୁ ଥାର୍ଡ-ଡିଗ୍ରି ଦେବା ମାମଲାରେ ବାଲିପାଟଣା ଥାନା ଇନ୍ସପେକ୍ଟର୍‌ ନିଜ ନାଁରେ ନିଜ ଥାନାରେ ନିଜେ ମାମଲା ରୁଜୁ କରି ତଦନ୍ତ କରିବା ଘଟଣାକୁ ୩ ସପ୍ତାହ ବିତି ଗଲାଣି। କିନ୍ତୁ ଏଯାଏଁ ତଦନ୍ତର ନିଷ୍କର୍ସ ବାହାରକୁ ଆସିପାରିନାହିଁ। ଏହି ଘଟଣାରେ କିଏ ପ୍ରକୃତ ଦୋଷୀ ? ଦୋଷ, ଅଭିଯୋଗକାରୀ ସରୋଜ ଭୋଇଙ୍କର ନା ଇନ୍ସପେକ୍ଟର କୃପାସିନ୍ଧୁ ବରାଡ଼ ଓ ତାଙ୍କ ସହଯୋଗୀ ଏସଆଇଙ୍କର, ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ଜୋନାଲ୍ ଏସିପିଙ୍କ ତଦନ୍ତ କେତେ ବାଟ ଯାଇଛି, ତାହା ବି ଜଣାପଡ଼ୁ ନାହିଁ। ଏ ସଂପର୍କରେ ସରୋଜ ଏକାଧିକବାର ଯୋଗାଯୋଗ କଲେ ମଧ୍ୟ ତାଙ୍କୁ ଠିକ୍‌ ଉତ୍ତର ଦିଆଯାଉନାହିଁ। ନ୍ୟାୟ ପାଇବାରେ ବିଳମ୍ବ ହେଉଥିବାରୁ ପୁଲିସ୍‌ ଉପରୁ ଭରସା ତୁଟାଇ ସାରିଲେଣି ସରୋଜ। ଆଉ ବୋଧେ ମୋତେ ନ୍ୟାୟ ମିଳିବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ, ଏହି ଘଟଣାକୁ ନେଇ ଜାତୀୟ ଦଳିତ ଓ ଆଦିବାସୀ ମହାସଂଘ ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତି କରିଛି। ସରୋଜଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ସଂଗଠନ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି। ବିଧାନସଭା ଅଧିବେଶନ ସମୟରେ ସରକାରଙ୍କୁ ଘେରି କମିସନରେଟ୍‌ ପୁଲିସକୁ ଅକଳରେ ପକାଇବା ପାଇଁ ଯୋଜନା କରୁଛି।

ସୂଚନାଯୋଗ୍ୟ, ଏହି ଘଟଣା ସଂପର୍କରେ ଡିସିପିଙ୍କ ନିକଟରେ ଅଭିଯୋଗ ହେବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଜୋନ୍‌-୪ଏସିପି ଶୁଭନାରାୟଣ ମୁଦୁଲିଙ୍କ ନେତୃତ୍ବରେ ଏକ ଟିମ୍ ବାଲିପାଟଣା ଥାନା ଅଧୀନ ଗିରିଙ୍ଗୋ ଗାଁକୁ ଯାଇ ସରୋଜଙ୍କୁ ପଚରାଉଚରା କରିଥିଲା। ଘଟଣା ଘଟିଥିବା ରାତିଠାରୁ ଅଭିଯୋଗ ହେବା ଦିନ ପର୍ଯ୍ୟନ୍ତ ଯାହା ଯାହା ଘଟିଥିଲା, ପୁଲିସ୍‌ ସବୁ ପଚାରିଛି। ଦୁର୍ଗାଷ୍ଟମୀ ରାତିରେ ମେଲୋଡି ଦେଖିବାକୁ ଯାଇଥିବା ବେଳେ ତାଙ୍କ ସହ କ’ଣ ଘଟିଥିଲା। ସେଠାରେ ସେ କାହା ସହ ଗଣ୍ଡଗୋଳ କରିଥିଲେ। ତାଙ୍କୁ ଥାନାକୁ କିଏ ଆଣିଥିଲା।

ଥାନା ଉପର ମହଲା ଛାତକୁ ତାଙ୍କୁ କିଏ କିଏ ନେଇଥିଲେ ଓ କେଉଁମା‌ନେ ସେଠାରେ ତାଙ୍କୁ ମାଡ଼ ମାରିଥିଲେ। ଏ ସବୁର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ସରୋଜ। ପୁଲିସ୍‌ ତାଙ୍କର ସମସ୍ତ ବୟାନ ମଧ୍ୟ ରେକର୍ଡ କରିଥିଲା।
ସତ୍ୟତା ଜାଣିବା ପାଇଁ ପୁଲିସ ସରୋଜଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠା‌ରେ ତାଙ୍କର ଭଙ୍ଗା ଗୋଡ଼ର ଆଉ ଥରେ ଏକ୍ସ-ରେ’ କରାଇଥିଲା ପୁଲିସ। ସେହିଭଳି ପୁଲିସ ସରୋଜଙ୍କ ପତ୍ନୀ କରିଥିବା ଅଭିଯୋଗର ସତ୍ୟତା ଜାଣିବାକୁ ଝାରପଡ଼ା ଜେଲ ଏବଂ ଓଲଟପୁର ହସ୍ପିଟାଲ ମଧ୍ୟ ଯାଇଥିଲା। ଝାରପଡ଼ା ଜେଲରେ ଥିବା ବେଳେ ସରୋଜ କେମିତି ଥିଲେ ? ଠିକ୍‌ ଭାବେ ଚଲାବୁଲା କରୁଥିଲେ କି ନାହିଁ, ତାହା ମଧ୍ୟ ପୁଲିସ୍‌ ଯାଞ୍ଚ କରିଥିଲା। ପୁଲିସର ଏକ ଟିମ୍ ଓଲଟପୁର ଯାଇ ସରୋଜଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଏତେ ସବୁ ପଚରାଉଚରା ପରେ ମଧ୍ୟ ତଦନ୍ତ ରିପୋର୍ଟ ପ୍ରକାଶ କରାଯାଉନାହିଁ। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା।
ତେବେ ପୁଲିସ୍‌-ପୁଲିସ୍‌ ଭାଇ ନ୍ୟାୟରେ ଜେନାଲ ଏସିପି ଏହି ଘଟଣାକୁ ଚପାଇ ଦେବାକୁ ଚାହୁନାହାନ୍ତି ତ? ନିଜ ବିଭାଗ ଓ ନିଜ ଜୋନ୍‌ର ଇନ୍ସପେକ୍ଟର ବୋଲି ତାଙ୍କ ପ୍ରତି ସହାନୁଭୂତି ଦେଖାଉନାହାନ୍ତି ତ ଏସିପି? ସାଧାରଣରେ ଏବେ ଏଭଳି ଅନେକ ପ୍ରଶ୍ନ ଉଠିଛି। ଫଳରେ ଜୋନାଲ ଏସିପିଙ୍କ ଭୂମିକାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠିଲାଣି।

ଏ ସମ୍ପର୍କରେ ଆଇନଜୀବୀ ଚିତ୍ତରଂଜନ ଦାସ କହିଛନ୍ତି, ଅଭିଯୋଗ ପରେ ପ୍ରଥମେ ସେହି ଦୁଇ ଅଫିସର୍‌ଙ୍କୁ ଜିଲ୍ଲା ପାର୍‌ କିମ୍ବା ରିଜର୍ଭକୁ ବଦଳି କରିବା କଥା। ଘଟଣାର ତଦନ୍ତ ସେହି ଜୋନ୍‌ର ଏସିପିଙ୍କୁ ଦିଆ ନଯାଇ ଡିସିପି କାର୍ଯ୍ୟାଳୟରେ ଥିବା ଆଡିସନାଲ୍ ଡିସିପି ରୢାଙ୍କର ଜଣେ ଅଧିକାରୀ କରିବା କଥା। ନଚେତ ରାଜ୍ୟ ସରକାର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇପାରିଥା’ନ୍ତେ। ସେହିପରି ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ ୩୦୭ ଭଳି ସଙ୍ଗିନ୍‌ ଦଫା ଲଗାଇବା କଥା। କିନ୍ତୁ ପୁଲିସ ଏଠି ସେହି ଦଫାକୁ ଏଡ଼ାଇ ଯାଇଛି। ଏହିଠାରୁ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠୁଛି’ ବୋଲି ଆଇନଜୀବୀ ଶ୍ରୀ ଦାସ କହିଛନ୍ତି।

ସେହିପରି ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ କହିଛନ୍ତି, ଆମେ ୩ ସପ୍ତାହ ଅପେକ୍ଷା କଲୁ। କିନ୍ତୁ କମିସନରେଟ ପୁଲିସ ପକ୍ଷରୁ ସଂପୃକ୍ତ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ତେଣୁ ବାଧ୍ୟ ହୋଇ ଆମେ ଆସନ୍ତା ଶୁକ୍ରବାର ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣା ଦେବୁ। ଏ ସଂପର୍କରେ ସରୋଜଙ୍କ ସହ ଆଲୋଚନା ବେଳେ ସେ କହିଥିଲେ, ତାଙ୍କ ଗୋଡ଼ର ଆଜି ପ୍ଲାଷ୍ଟର୍‌ ଖୋଲାଯାଇଥିଲା। କିନ୍ତୁ ହାଡ଼ ସେଟିଂ ହୋଇ ନଥିବାରୁ ପୁଣି ଥରେ ପ୍ଲାଷ୍ଟର୍‌ ହୋଇଛି। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ତଥା ଏସିପି ଶୁଭ ନାରାୟଣ ମୁଦୁଲିଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଓଲଟପୁରରୁ ସରୋଜଙ୍କ ଗୋଡ଼ ଭଙ୍ଗା ରିପୋର୍ଟ ଆସି ନାହିଁ। ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର