ଓଡ଼ିଆରେ ଗୋଟିଏ କଥା ଅଛି- “ଶାଗଖିଆକୁ ପେଜପିଆ ସହିପାରେ ନାହିଁ।” ଏହାର ଅର୍ଥ- ଯିଏ ପେଜ ପିଇ ଜୀବନ ବଞ୍ଚୁଥାଏ, ଅର୍ଥାତ୍ ଅତି ଗରିବ, ସିଏ ଶାଗ-ପଖାଳ ଖାଇ ବଞ୍ଚୁଥିବା ଗରିବ ଲୋକଟିକୁ ଈର୍ଷା କରେ। କିନ୍ତୁ ଏଇ ପେଜ ଓ ପଖାଳ ଏ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ କଥା ଓ ଗାଥା ସହ ଯୋଡ଼ିହୋଇ ଏହାକୁ ଗୌରବ ଦେଇଛି। ଭକ୍ତ ଦାସିଆ ଉପାଖ୍ୟାନ ଏହାର ଏକ ଉଦାହରଣ। ଏ ଉପାଖ୍ୟାନ ରାମ ଦାସ ବିରଚିତ ‘ଦାର୍ଢ଼୍ୟତା ଭକ୍ତି’ରେ ଅଛି। ଶ୍ରୀକ୍ଷେତ୍ର ପୁରୀଠାରୁ ଦୁଇ କୋଶ ଦୂର ବାଲିଗ୍ରାମ ବା ‘ବାଲିଗାଁ’ରେ ଦାସିଆ ବାଉରିର ଘର। ସେ ଜାତିରେ ଖନ୍ଦାଳ। ‘ଖନ୍ଦାଳ’ ବା ‘ଖଦାଳ’ ତନ୍ତୀ ଜାତିବିଶେଷ। ‘ଦାର୍ଢ଼୍ୟତା ଭକ୍ତି’ ଅନୁସାରେ, “ନାମ ତା ଦାସିଆ ବାଉରି / ଶବର ଜାତି ତୁଲ୍ୟେ ସରି।” ସେମାନେ ଥିଲେ ସ୍ୱାମୀ-ସ୍ତ୍ରୀ ଦୁଇ ପ୍ରାଣୀ। ତାଙ୍କର ପିଲାପିଲି ନଥିଲେ। ଦାସିଆ ପାପ-ପୁଣ୍ୟ କ’ଣ ଜାଣି ନ ଥିଲା।
ବାଲିଗାଁର ବ୍ରାହ୍ମଣଙ୍କ ଘରେ ବ୍ରତ ଉତ୍ସବ ଆଦିରେ ନାମ ଗାୟନ ହୁଏ। ତାହା ଦାସିଆକୁ ଭଲ ଲାଗେ। ଏହିପରି ନାମ ଗାୟନ ଶୁଣୁଶୁଣୁ ତା’ ଭିତରେ ଦିବ୍ୟଜ୍ଞାନର ଉଦୟ ହେଲା। ସୁଜନଙ୍କ ପାଖରେ ବସିଲେ ତାର ମନ ଆନନ୍ଦ ହେଲା। କ୍ରମେ ପାପ କ’ଣ, ପୁଣ୍ୟ କ’ଣ ତାହା ବି ସେ ବୁଝିଲା। ଯେଉଁଦିନ ଯାହା ମିଳେ ସେ ସୁଖରେ ଖାଏ। ସୁଖ-ଦୁଃଖକୁ ସମାନ ମଣେ। ସବୁବର୍ଷ ପରି ସେ ବର୍ଷ ଗୁଣ୍ଡିଚାଯାତ୍ରା ଆସିଲା। ଦାସିଆ ପୁରୀ ଯାଇ ରଥରେ ଜଗନ୍ନାଥଙ୍କୁ ଦର୍ଶନ କଲା। ରାମ ଦାସ ତାହାର ବର୍ଣ୍ଣନା କରି କହିଛନ୍ତି, “କଳା ଶ୍ରୀମୁଖକୁ ଅନାଇ, / ବେନି ନୟନୁ ଧାର ବହି। / ରଙ୍ଗ ଅଧର କଳା ଡୋଳା, / ଦେଖି ଭାବରେ ହେଲା ଭୋଳା।”
ଶ୍ରୀଜଗନ୍ନାଥଙ୍କ ଭୋଗସାମଗ୍ରୀ ମଧ୍ୟରେ ଅନ୍ୟୂନ ପାଞ୍ଚ ପ୍ରକାରର ପଖାଳ ଭୋଗ ଶ୍ରୀଜଗନ୍ନାଥଙ୍କ ପଖାଳପ୍ରିୟତାର ନିଦର୍ଶନ ହୋଇଯାଇଛି।
ଦାସିଆ ଘରକୁ ଫେରିଲା। ତା’ ସ୍ତ୍ରୀ ରଙ୍ଗହାଣ୍ଡିରେ ରାନ୍ଧିଥିବା ପେଜମିଶା ଭାତ ବା ଜାଉ ଆଣି ତା’ ଆଗରେ ଥୋଇଦେଲା। ମଝିରେ ଥିଲା ମେଞ୍ଚାଏ ଶାଗଭଜା। ତାହାର ସୁନ୍ଦର ବର୍ଣ୍ଣନା ଅଛି ‘ଦାର୍ଢ଼ତା ଭକ୍ତି’ରେ। ତାହା ଦେଖି ଦାସିଆ ମନରେ ଭାବାନ୍ତର ହେଲା। “ହାଣ୍ଡି ସୁରଙ୍ଗ ପେଜ ଧଳା, / ତା’ ମଧ୍ୟେ ଶାଗ ଦିଶେ କଳା। / ସାକ୍ଷାତେ ପଦ୍ମଡୋଳା ଏହି, / ଗୋଳି କି ରୂପେ ଖାଇବଇଁ।” ପରେ ଦାସିଆ ପଠାଇଥିବା ତା’ ବାରିର ନଡ଼ିଆ କିପରି ଜଗନ୍ନାଥ ନେଲେ, ତାହା ଭକ୍ତ ଓ ଭାବଗ୍ରାହୀଙ୍କ ସଂପର୍କର ଏକ ଅନୁପମ କିଂବଦନ୍ତି ଆମ ଓଡ଼ିଶାରେ ଗଢ଼ିଛି।
ପେଜ ହେଉଛି ରନ୍ଧା ଭାତର ଫେଣ। ଭାତ ରାନ୍ଧିଲେ ଯେଉଁ ଫେଣମୟ ଜଳ ବାହାରେ ତାହା ପେଜ। ପେଜ ମଧ୍ୟ ଅନେକ ଅଞ୍ଚଳରେ ରନ୍ଧାଭାତକୁ ବୁଝାଏ। ସମ୍ବଲପୁର ଓ ଲରିଆ ଭାଷାରେ ‘ପେଜ୍’ର ଅର୍ଥ ପଖାଳ। ତାତ୍ପର୍ଯ୍ୟପୂର୍ଣ୍ଣ ଏହି, ଯେ ଦାସିଆ ବାଉରିର ଏହି ପେଜ ବା ପଖାଳ ମଧ୍ୟ, ତା’ ନଡ଼ିଆ ପରି, ଭକ୍ତ ଓ ଭାବଗ୍ରାହୀଙ୍କ କିଂବଦନ୍ତିର ଅଙ୍ଗ ହୋଇଛି। ଶ୍ରୀଜଗନ୍ନାଥଙ୍କ ଭୋଗସାମଗ୍ରୀ ମଧ୍ୟରେ ଅନ୍ୟୂନ ପାଞ୍ଚ ପ୍ରକାରର ପଖାଳ ଭୋଗ ଶ୍ରୀଜଗନ୍ନାଥଙ୍କ ପଖାଳପ୍ରିୟତାର ନିଦର୍ଶନ ହୋଇଯାଇଛି। ମାର୍ଚ୍ଚ ୨୦, ବିଶ୍ୱ ପଖାଳ ଦିବସ ପାଳନ ଅବସରରେ, ଆମେ ଏହା ସତତ ସ୍ମରଣ କରିବା ଆବଶ୍ୟକ।