ପୁଣ୍ୟତୋୟା ବୈତରଣୀ

‘ବୈତରଣୀ’ ଶବ୍ଦର ଅର୍ଥ- ଯେ ବହନ କରି ନେଇଯାଇପାରେ। ଏ ନଦୀ ନୁହେଁ, ଏକ ତରଣୀ ବା ନୌକା। ଅର୍ଥାତ୍‌, ଏହି ପୁଣ୍ୟତୋୟା, ନୌକା ସଦୃଶ ହୋଇ ମନୁଷ୍ୟର ସମସ୍ତ ପାପ ବିମୋଚନ କରି ତାକୁ ମୋକ୍ଷ ଦ୍ୱାରରେ ପହଞ୍ଚାଇଥାଏ। ଶାସ୍ତ୍ରାନୁସାରେ ଯମଲୋକକୁ ବେଷ୍ଟନ କରିଥିବା ନଦୀର ନାମ ବୈତରଣୀ। ପାପୀମାନେ ଏହି ନଦୀକୁ ପାରି ହୋଇ ପାରନ୍ତିନାହିଁ। କିନ୍ତୁ ଗୋଦାନ ପରି ପୁଣ୍ୟ କରିଥିବା ବ୍ୟକ୍ତିମାନେ ଗୋମାତାର ପୁଚ୍ଛଧରି ଏହି ନଦୀକୁ ପାରି ହୋଇଥାନ୍ତି।
କିନ୍ତୁ ଓଡ଼ିଶାରେ ପ୍ରବାହିତ ବୈତରଣୀ ଏକ ପୁଣ୍ୟତୋୟା ନଦୀ। ଏହାର ଦୀର୍ଘ ବର୍ଣ୍ଣନା ‘ମହାଭାରତ’ରେ ରହିଛି। ତୀର୍ଥଯାତ୍ରା ପର୍ବର ବର୍ଣ୍ଣନା ଅନୁସାରେ, ଯେତେବେଳେ ଲୋମଶମୁନି ଦ୍ରୌପଦୀଙ୍କ ସହିତ ପାଣ୍ଡବମାନଙ୍କୁ ସଂଗରେ ନେଇ କଳିଙ୍ଗ ଦେଶରେ ପ୍ରବେଶ କଲେ, ସେ ଏହି ଦେଶର ପରିଚୟ ଦେଇ କହିଥିଲେ- ଏ ସେହି ରାଜ୍ୟ, ଯେଉଁଠାରେ ପୁଣ୍ୟତୋୟା ବୈତରଣୀ ନଦୀ ପ୍ରବାହିତ ହେଉଛି। ସ୍ୱୟଂ ଧର୍ମଦେବ ସମସ୍ତ ଦେବତାମାନଙ୍କ ସହିତ ଆସି ଏହି ନଦୀତୀରରେ ଏକ ମହାନ ଯଜ୍ଞ କରିଥିଲେ। ଏହାର ଉତ୍ତର ତଟରେ ବହୁ ମୁନିଋଷି ବାସ କରିଥାନ୍ତି। ଏହି ନଦୀ ସ୍ୱର୍ଗପ୍ରାପ୍ତି ନିମିତ୍ତ ଦେବଯାନ ମାର୍ଗ ସ୍ୱରୂପ। ଏହି ନଦୀରେ ସ୍ନାନ ଓ ତର୍ପଣ କଲେ ପିତୃପୁରୁଷ ମଧ୍ୟ ମୁକ୍ତିଲାଭ କରିଥାଆନ୍ତି। ଲୋମଶଙ୍କ ନିର୍ଦ୍ଦେଶରେ ଯୁଧିଷ୍ଠିର ବୈତରଣୀରେ ସ୍ନାନ କଲା ପରେ ବିଷୟା ବିଷରୁ ମୁକ୍ତ ହେଲା ପରି ଅନୁଭବ କରିଥିଲେ।

ବୈତରଣୀ ସଂପର୍କରେ ପୁରାଣ ଓ ଲୋକକଥାର ବର୍ଣ୍ଣନା ଅନୁସାରେ, ଏକଦା ବ୍ରହ୍ମା ବିରଜାକ୍ଷେତ୍ରର ଦଶାଶ୍ୱମେଧ ଘାଟରେ ଏକ ଯଜ୍ଞ କରିଥିଲେ। ତେଣୁ ସେ ସ୍ଥାନକୁ ଧୌତ କରିବା ନିମିତ୍ତ ଗଙ୍ଗାଙ୍କୁ ନିମନ୍ତ୍ରଣ କଲେ। ଗଙ୍ଗା ମାସିକଧର୍ମ ପାଳନ କରୁଥିବାରୁ, ଯଜ୍ଞକ୍ଷେତ୍ରକୁ ଆସିବା ନିମିତ୍ତ ଅସ୍ୱୀକୃତ ହୋଇ, ବ୍ରହ୍ମାଙ୍କ ସ୍ଥାନ ଧୌତ କରିବା ନିମିତ୍ତ ନିଜର ଭଗ୍ନୀ ବୈତରଣୀଙ୍କୁ ପ୍ରେରଣ କଲେ। ବୈତରଣୀ ଗୋନାସିକା ପର୍ବତରୁ ତଳକୁ ବହିବାକୁ ଆରମ୍ଭ କରିବାରୁ, ପର୍ବତର ନିମ୍ନ ଭାଗ ଜଳପ୍ଳାବିତ ହେଲା। ଏହା ଦେଖି ସେଠାରେ ବାସ କରୁଥିବା ଆଦିମ ଅଧିବାସୀମାନେ ଏକ ଗୋମୁଣ୍ଡ ନେଇ ପାଣି ଝରୁଥିବା ସ୍ଥାନକୁ ରୁଦ୍ଧ କରିଦେଲେ। ନିଜର ଜଳ ଅପବିତ୍ର ହେବା ଦେଖି ବୈତରଣୀ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାରୁ, ବ୍ରହ୍ମା ଶିବଙ୍କୁ ସେଠାରେ ବିରାଜମାନ ହେବାକୁ ଅନୁରୋଧ କଲେ। ଶିବ ସେଠାରେ ବ୍ରହ୍ମେଶ୍ୱର ନାମରେ ବିରାଜମାନ ହେଲେ। ଗୋ-ନାସାପୁଟ ଦେଇ ବୈତରଣୀ ଝରି ଆସି, ବ୍ରହ୍ମକୁଣ୍ଡରେ ପହଞ୍ଚି, ବ୍ରହ୍ମେଶ୍ୱରଙ୍କ ପଦଧୌତ କରି, ବିରଜାର ଦଶାଶ୍ୱମେଧ ଘାଟରେ ପହଞ୍ଚି, ବ୍ରହ୍ମାଙ୍କ ଯଜ୍ଞଶାଳାକୁ ଧୌତ କରି, ପୂର୍ବଦିଗକୁ ପ୍ରବାହିତ ହୋଇ ସାଗରସଂଗମ କଲା। ଏଣୁ ଚୈତ୍ର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଦଶାଶ୍ୱମେଧ ଘାଟରେ ସ୍ନାନକଲେ ମନୁଷ୍ୟ ଶଶିସମ ଉଦ୍‌ଭାସିତ ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର