ଦୃଷ୍ଟିବାଧିତ ସାହିତ୍ୟ ସ୍ରଷ୍ଟା: ଦେଖିପାରନ୍ତିନି, ଲେଖିପାରନ୍ତି!

ପ୍ରବଳ ଇଚ୍ଛାଶକ୍ତି, ଗଭୀର ଆତ୍ମବିଶ୍ବାସ ଓ ଦୃଢ଼ ମନୋବଳ ଥିଲେ ଲୌକିକ ଭାବେ ଅସମ୍ଭବ ମନେ‌ ହେଉଥିବା କାର୍ଯ୍ୟ ସମ୍ଭବ ହୋଇଉଠେ। ମାନସିକ ଶକ୍ତିବଳରେ ଶାରୀରିକ ଅକ୍ଷମତା ଜନିତ ବାଧାକୁ ବି ଅତିକ୍ରମ କରାଯାଇପାରେ।। ଲକ୍ଷ୍ୟ ସାଧନରେ କୌଣସି ଅକ୍ଷମତା ପ୍ରତିବନ୍ଧକ ସାଜିପାରେ ନାହିଁ। ଆମ ଚଉହଦୀରେ ଦେଖିବାକୁ ମିଳନ୍ତି ଏପରି ଅନେକ ବିରଳ ଉଦାହରଣ, ଯେଉଁମାନେ ତଥାକଥିତ ଦୁଃସ୍ଥିତି ଆଗରେ ମୁଣ୍ଡ ନ ନୁଆଁଇ ନିଜକୁ ସକ୍ଷମ ଏବଂ ଅନ୍ୟମାନଙ୍କ ସମକକ୍ଷ ବୋଲି ପ୍ରମାଣିତ କରିଛନ୍ତି। ଆଉ ଏହି ବ୍ୟକ୍ତିମାନେ ଆମ ସମାଜ ପାଇଁ ଜଣେ ଜଣେ ରତ୍ନ, ସେମାନଙ୍କ ସଂଘର୍ଷ, ସାଧନା ଓ ସଫଳତା ଅନ୍ୟମାନଙ୍କୁ ଅନୁପ୍ରେରିତ କରିବା ସହ ପରବର୍ତ୍ତୀ ପିଢ଼ି ପାଇଁ ଆଲୋକବର୍ତ୍ତିକା ପାଲଟିଥାଏ।

ସାଧାରଣ ଚିନ୍ତନରେ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଟିଏ ସଫଳ ସାହିତ୍ୟ ସ୍ରଷ୍ଟା ହେବା ଏକ ବିରଳ ତଥା ଅସମ୍ଭବ ମନେହେଉଥିବା ଘଟଣା ବୋଲି ବିବେଚନା କରାଯାଏ। ଯଦିଓ ସେମାନଙ୍କ ସଂଖ୍ୟା ହାତଗଣତି, କିନ୍ତୁ, ଏପରି ଅନେକ ଅନନ୍ୟ ସାହିତ୍ୟ ସ୍ରଷ୍ଟା ଆମ ସାମ୍ନାକୁ ଆସନ୍ତି ଯେଉଁମାନେ ଦୃଷ୍ଟିଶକ୍ତି ହରାଇବା ପରେ ହାରି ନ ଯାଇ ନିଜର ସ୍ରଷ୍ଟାମାନସକୁ ସକ୍ରିୟ ରଖିବା ସହ ସଫଳ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ଓ କରୁଛନ୍ତି ମଧ୍ୟ। ଭାରତୀୟ ଭାଷା ସାହିତ୍ୟ ପ୍ରତି ଅବଦାନ ପାଇଁ ଦେଶର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାର ଲାଗି ମନୋନୀତ ହୋଇଥିବା ସଂସ୍କୃତ ପଣ୍ଡିତ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ବାମୀ ରାମଭଦ୍ରାଚାର୍ଯ୍ୟ ଏହି କ୍ରମରେ ଆସନ୍ତି। ମାତ୍ର ଦୁଇମାସର ହୋଇଥିବା ବେଳେ ସେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କିନ୍ତୁ, ଅଦମ୍ୟ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଓ ଅଧ୍ୟୟନ ବଳରେ ନିଜକୁ ଜଣେ ସଂସ୍କୃତ ଭାଷା ସାହିତ୍ୟ ବିଶାରଦରେ ପରିଣତ କରନ୍ତି। ଏହା ହିଁ ପ୍ରତିପାଦିତ କରେ ଯେ, ଜୀବନରେ ବୃହତ୍ତର ଲକ୍ଷ୍ୟ ହାସଲରେ ଶାରୀରିକ ଅକ୍ଷମତା ବାଧକ ହୋଇପାରେନା। ସମ୍ଭବତଃ ସେ ହେଉଛନ୍ତି ‘ଜ୍ଞାନପୀଠ’ ଲାଭ କରିବାକୁ ଯାଉଥିବା ପ୍ରଥମ ଦୃଷ୍ଟିବାଧିକ ସାହିତ୍ୟ ସ୍ରଷ୍ଟା। କେବଳ ସେ ନୁହନ୍ତି, ଆମ ଦେଶର ଆହୁରି ଅନେକ ଦୃଷ୍ଟିବାଧିତ ସାହିତ୍ୟ ସ୍ରଷ୍ଟା ଅଛନ୍ତି, ଯେଉଁମାନେ ଦେଖି ପାରୁ ନ ଥିଲେ ମଧ୍ୟ ଲେଖିବାର ଆଗ୍ରହ ସାକାର କରିଛନ୍ତି।

ଦୃଷ୍ଟି ନ ଥାଇ ସଫଳ ସ୍ରଷ୍ଟା
ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ବାମୀ ରାମଭଦ୍ରାଚାର୍ଯ୍ୟ କେବଳ ସଂସ୍କୃତ ପଣ୍ଡିତ ନୁହନ୍ତି, ଜଣେ ହିନ୍ଦୁ ଧର୍ମଗୁରୁ, ଶିକ୍ଷାବିତ୍‌, ବହୁଭାଷୀ, କବି, ଲେଖକ, ଟୀକାକାର, ଦାର୍ଶନିକ, ସୁରକାର, ଗାୟକ, ନାଟ୍ୟକାର ଓ ପ୍ରବଚକ। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲା ଅନ୍ତର୍ଗତ ସାନ୍ଦିଖୁର୍ଦ ଗାଁରେ ୧୯୫୦ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତିରେ ଜନ୍ମିତ ରାମଭଦ୍ରାଚାର୍ଯ୍ୟଙ୍କ ପ୍ରକୃତ ନାମ ଗିରିଧର। ମାତ୍ର ଦୁଇମାସର ହୋଇଥିବା ବେଳେ ସେ ‘ଟ୍ରାକୋମା’ ବା ଆଖିଫୁଲା ରୋଗରେ ଆକ୍ରାନ୍ତ ହୋଇଥିଲେ। ପାରମ୍ପରିକ ଚିକିତ୍ସା କରୁଥିବା ପାଖ ଗାଁର ଜଣେ ମହିଳାଙ୍କ ପାଖକୁ ଗିରିଧରଙ୍କୁ ନିଆ ଯାଇଥିଲା। ସେ ଗିରିଧରଙ୍କ ଆଖିରେ ଅଁଳାଜାତୀୟ କୋଳି ବାଟି ଲଗାଇ ଦେଲେ। ଫୁଲା ଫାଟିଗଲା କିନ୍ତୁ, ଆଖିରୁ ରକ୍ତ ବୋହିଲା। ଶେଷରେ ଗିରିଧର ଦୃଷ୍ଟିଶକ୍ତି ହରାଇଲେ। ପରିବାର ଲୋକେ ତାଙ୍କୁ ସେ ସମୟର ସମସ୍ତ ଆଧୁନିକ ଚିକିତ୍ସା କରାଇ ନିରାଶ ହେଲେ। ରାମଭଦ୍ରାଚାର୍ଯ୍ୟ ୧୭ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନ ଥିଲେ। କିନ୍ତୁ, ଉଚ୍ଚତର ବ୍ୟାକରଣ ଶିକ୍ଷା ନିମନ୍ତେ ସେ ୧୯୭୧ ମସିହାରେ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ ବ୍ରେଲି କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଶିକ୍ଷା ଗ୍ରହଣ ନ କରି କେବଳ ଶୁଣି ଶୁଣି ବିଦ୍ୟା ଅଧ୍ୟୟନ କରୁଥିଲେ। ୧୯୭୪ରେ ଶାସ୍ତ୍ରୀ (ସ୍ନାତକ), ୧୯୭୬ରେ ଆଚାର୍ଯ୍ୟ (ସ୍ନାତକୋତ୍ତର) ଓ ତା’ପରେ ବିଦ୍ୟାବାରିଧି (ପିଏଚ୍‌ଡି) କଲେ। ସ୍ନାତକୋତ୍ତର ପଢ଼ିବା ‌ସମୟରେ ସେ ଅଖିଳ ଭାରତୀୟ ସଂସ୍କୃତ ସମ୍ମେଳନରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦିଲ୍ଲୀ ଯାଇଥିଲେ। ୮ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେ ବ୍ୟାକରଣ, ସଂଖ୍ୟା, ନ୍ୟାୟ, ବେଦାନ୍ତ ଓ ସଂସ୍କୃତ

ଅନ୍ତାକ୍ଷରୀ ଆଦିରେ ୫ଟି ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ। ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ୫ଟି ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ। ତାଙ୍କ ଗୁଣରେ ମୁଗ୍‌ଧ ହୋଇ ନିଜ ଖର୍ଚ୍ଚରେ ଚକ୍ଷୁ ଚିକିତ୍ସା ପାଇଁ ତାଙ୍କୁ ଆମେରିକା ପଠାଇବାକୁ ଶ୍ରୀମତୀ ଗାନ୍ଧୀ କହିଥିଲେ। କିନ୍ତୁ, ଗିରିଧର ଗୋଟାଏ ସଂସ୍କୃତ ଶ୍ଳୋକ ଆବୃତ୍ତି କରି ତାଙ୍କ ଅନୁଗ୍ରହ ଅଗ୍ରାହ୍ୟ କରିଦେଲେ। ଏହାପରେ ୟୁନିଭର୍ସିଟି ଗ୍ରାଣ୍ଟ କମିସନ୍‌ ତାଙ୍କୁ ଗବେଷଣା ବୃତ୍ତି ଲାଗି ମନୋନୀତ କରିଥିଲେ।
୨୨ଟି ଭାଷାରେ କଥାବାର୍ତ୍ତା କରିପାରୁଥିବା ରାମଭଦ୍ରାଚାର୍ଯ୍ୟଙ୍କର ପ୍ରକାଶିତ ଓ ଅପ୍ରକାଶିତ ପାଣ୍ଡୁଲିପିକୁ ମିଶାଇ ସଂସ୍କୃତ, ହିନ୍ଦୀ ଅୱଧି ଓ ମୈଥିଳୀ ଭାଷାରେ ୨୪୦ ପୁସ୍ତକ ଓ ୫୦ଟି ନିବନ୍ଧ ରହିଛି। ତାଙ୍କର ରଚନାବଳୀ ବା ସଙ୍କଳିତ ପୁସ୍ତକଗୁଡ଼ିକୁ ସେ ଡାକିଛନ୍ତି ଓ ଲେଖାଳିମାନେ ଲେଖିଛନ୍ତି। ସଂସ୍କୃତ ବ୍ୟାକରଣ, ନ୍ୟାୟ ଓ ବେଦାନ୍ତ ଉପ‌ରେ ତାଙ୍କର ରହିଛି ଅଗାଧ ପାଣ୍ଡିତ୍ୟ। ସନ୍ଥ ତୁଳସୀ ଦାସକୃତ ରାମଚରିତ ମାନସ ଓ ହନୁମାନ ଚାଳିଶାକୁ ନେଇ ତାଙ୍କର ହିନ୍ଦୀ ବାଖ୍ୟାନ ସମ୍ବଳିତ ପୁସ୍ତକ ଅତ୍ୟନ୍ତ ଲୋକପ୍ରିୟ। ରାମଚରିତ ମାନସର ସ୍ବତନ୍ତ୍ର ସଂସ୍କୃତ ସଂସ୍କରଣର ସେ ସଂପାଦକ। ଏହି ଉପଲବ୍ଧି ଲାଗି ୨୦୧୫ରେ ତାଙ୍କୁ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ସେ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରାପ୍ତ ହୋଇଥିଲେ। ସେ ଦିବ୍ୟାଙ୍ଗମାନଙ୍କ ଅଧ୍ୟୟନ ଲାଗି ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି।

ବହୁସ୍ରାବୀ ସ୍ରଷ୍ଟା ପଣ୍ଡିତ ସୁଖଲାଲ୍‌
ଦୃଷ୍ଟିଶକ୍ତି ନ ଥାଇ ବି ଅସୀମ ଜ୍ଞାନର ଅଧିକାରୀ ଥିଲେ ପଣ୍ଡିତ ସୁଖଲାଲ୍ ସାଙ୍ଘୱି। ସେ ଏକାଧାରେ ଥିଲେ ଜଣେ ଲେଖକ, ସଂପାଦକ, ଭାଷାବିତ୍ ଓ ଦାର୍ଶନିକ। ଦୃଷ୍ଟିବାଧିତ ହୋଇ ମଧ୍ୟ ଭାରତୀୟ ଦର୍ଶନରେ ଗଭୀର ଜ୍ଞାନ ହେତୁ ସେ ‘ପ୍ରଜ୍ଞାଚକ୍ଷୁଃ’ ଭାବରେ ଖ୍ୟାତ। ୧୮୮୦ ଡିସେମ୍ବର ୮ରେ ଜନ୍ମହୋଇ ୧୯୭୮ ମାର୍ଚ ୨ରେ ଇହଲୀଳା ସମ୍ବରଣ କରିଥିବା ପଣ୍ଡିତ ସୁଖଲାଲ୍‌ ସାଙ୍ଘୱି ଥିଲେ ଜଣେ ଜୈନ ଦର୍ଶନ ବିଶାରଦ ଓ ଦାର୍ଶନିକ। ୧୬ ବର୍ଷ ବୟସରେ ବସନ୍ତ ରୋଗରେ ପୀଡ଼ିତ ହୋଇ ସେ ଦୃଷ୍ଟିଶକ୍ତି ହରାଇଥିଲେ। କିନ୍ତୁ, ନିଜ ପ୍ରଚେଷ୍ଟା ବଳରେ ସେ ଜୈନ ତର୍କରେ ଗଭୀର ଜ୍ଞାନ ହାସଲ କରି ଗୁଜୁରାଟ ବିଦ୍ୟାପୀଠରେ ଭାରତୀୟ ଦର୍ଶନର ପ୍ରଫେସର ହୋଇଥିଲେ। ଏହାପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଜୈନ ଚେୟାରର ପ୍ରଫେସର୍‌ ଥିଲେ। ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ସମୀକ୍ଷକ ପଲ୍‌ ଡୁନ୍‌ଡାସ୍‌ ତାଙ୍କୁ ଜୈନ ଦର୍ଶନର ସର୍ବାଧୁନିକ ବ୍ୟାଖ୍ୟାକାର ବୋଲି କହନ୍ତି। ସେ ଅନେକ ପୁସ୍ତକ ସମ୍ପାଦନା କରିଛନ୍ତି। ସଂସ୍କୃତରୁ ବହୁ ରଚନା ଗୁଜରାଟୀ ଓ ହିନ୍ଦୀ ଭାଷାକୁ ଅନୁବାଦ କରିଛନ୍ତି। ଜୀବଦ୍ଦଶା ମଧ୍ୟରେ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ‘ଦର୍ଶନ ଆନେ ଚିନ୍ତନ’ ଶୀର୍ଷକ ଦାର୍ଶନିକ ପ୍ରବନ୍ଧମାଳା ଲାଗି ୧୯୫୮ରେ ସେ ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୪ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା।

ଦୃଷ୍ଟିବାଧିତ ବାଳକରୁ ଯଶସ୍ବୀ ଲେଖକ
ଭାରତୀୟ ଲେଖକ ବେଦ ମେହେଟ୍ଟା ଆମେରିକାର ଜଣେ ପ୍ରତିଷ୍ଠିତ ସାହିତ୍ୟିକ। ସେ ଇଂରାଜୀରେ ୨୭ଟି ପୁସ୍ତକ ରଚନା କରି ନିଜ ଲାଗି ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଯାଇଛନ୍ତି। ବିଶେଷ କରି ୧୯୭୨ରୁ ୨୦୦୪ ମଧ୍ୟରେ ସେ ୧୨ଟି ଭାଗରେ ଲେଖିଥିବା ନିଜର ଆତ୍ମଜୀବନୀ ‘କଣ୍ଟିନେଣ୍ଟସ୍ ଅଫ୍ ଏକ୍ଜାଇଲ୍’ ପାଇଁ ପାଠକ ମହଲରେ ବେଶ୍ ଜଣାଶୁଣା। ୩ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିବା ବେଦ ମେହେଟ୍ଟା ବିଦ୍ୟା ଅଧ୍ୟୟନ ନିମନ୍ତେ ଆମେରିକା ଯାଇଥିଲେ। ତାଙ୍କର ଧାରଣା ଥିଲା, କୌଣସି ମତେ ଭାରତରୁ ଆମେରିକା ଚାଲିଗଲେ ତାଙ୍କ ପାଠପଢ଼ାରେ ଆଉ ପ୍ରତିବନ୍ଧକ ରହିବ ନାହିଁ। ତେଣୁ, ୧୯୪୯ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ ଆମେରିକା ଯାଇ ଆର୍କେନ୍‌ସାର ଲିଟ୍‌ଲ୍‌ ରକ୍‌ରେ ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲ୍‌ରେ ନାମ ଲେଖାଇଲେ। ପୁଣି ଉଚ୍ଚତର ଶିକ୍ଷା ନିମନ୍ତେ ସେ ହାର୍ଭାର୍ଡ ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପଢ଼ିଲେ। ତା’ପରେ ସେ ନ୍ୟୁୟର୍କରେ ଅବସ୍ଥାନ କରି ୧୯୭୫ରେ ଆମେରିକୀୟ ନାଗରିକ ହୋଇଗଲେ। ୧୯୬୦ରୁ ୧୯୯୩ ପର୍ଯ୍ୟନ୍ତ ସେ ପ୍ରଖ୍ୟାତ ପତ୍ରିକା ‘ନ୍ୟୁ ୟର୍କର୍‌’ର ଷ୍ଟାଫ୍‌ ରାଇଟର୍‌ ଭାବେ କାମ କଲେ। ତା’ ସହିତ ସେ ୟେଲ୍‌ ଓ ନ୍ୟୁୟର୍କରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ବି କଲେ।

କଲେଜରେ ପଢୁଥିବା ବେଳେ ହିଁ ସେ ‘ନ୍ୟୁୟର୍କର୍‌’ ପତ୍ରିକା ପାଇଁ ଲେଖାଲେଖି ଆରମ୍ଭ କରିଥିଲେ। ସେ ଭାବିଥିଲେ, ଲେଖାଲେଖିରୁ ଉପାର୍ଜନ କରିପାରିଲେ କିଛି ପରିମାଣରେ ଅଭାବ ମେଣ୍ଟିବ। ତାହାହିଁ ହେଲା, ୨୦ ବର୍ଷ ବୟସରୁ ‌େସ ଲେଖାକୁ ବୃତ୍ତି କରି ସୁଖରେ ଚଳିଲେ। ୨୩ ବର୍ଷ ବୟସରେ ପ୍ରକାଶ ପାଇଲା ତାଙ୍କର ପ୍ରଥମ ପୁସ୍ତକ, ତାହା ଥିଲା ଆତ୍ମଜୀବନୀ। ୨୦୨୧ ଜାନୁଆରି ୯ରେ ମୃତ୍ୟୁବରଣ କରିଥିବା ମେହେଟ୍ଟାଙ୍କୁ ୪ ବର୍ଷ ଚାଲିଥିବା ବେଳେ ମେନିନ୍‌ଜାଇଟିସ୍‌ରେ ପୀଡ଼ିତ ହୋଇ ଦୃଷ୍ଟିଶକ୍ତି ହରାଇଥିଲେ। ସେ କହୁଥିଲେ, ମୁଁ ଯାହା କରିପାରିବି ନାହିଁ ବୋଲି ଲୋକମାନଙ୍କର ଧାରଣା, ତାହା କରିବାକୁ ସମର୍ଥ ବୋଲି ମତେ ସବୁଦିନ କରି ଦେଖାଇବାକୁ ପଡୁଥିଲା। ସେଥିପାଇଁ ପିଲାଦିନେ ମୁଁ ସାଇକେଲ୍‌ ଓ ଯୁବାବସ୍ଥାରେ କାର୍‌ ଚଳାଉଥିଲି। ଲୋକେ ମୋତେ ସାହାଯ୍ୟ କରିବାକୁ କି ସୁରକ୍ଷା ଦେବାକୁ ଚେଷ୍ଟା କଲେ, ମୋର ମନେହୁଏ ସେମାନେ ମୋ ଆତ୍ମବିଶ୍ବାସ ନଷ୍ଟ କରି ଦେଉଛନ୍ତି ମୋ ଇନ୍ଦ୍ରିୟଗୁଡ଼ିକୁ ଜଡ଼ କରି ଦେଉଛନ୍ତି।

ଅନ୍ତର୍ଦୃଷ୍ଟିସମ୍ପନ୍ନ ଲେଖକ ସୌରଭ ପନ୍ତ
ଆଉ ଜଣେ ଦୃଷ୍ଟିବାଧିତ ଭାରତୀୟ ଲେଖକ ହେଉଛନ୍ତି ସୌରଭ ପନ୍ତ। ୧୯୯୪ ଏପ୍ରିଲ୍‌ ୪ରେ ଉତ୍ତରାଖଣ୍ଡର ନୈନିତାଲ୍‌ରେ ଜନ୍ମିତ ସୌରଭଙ୍କ ସୃଷ୍ଟି ଜନ୍ମମାଟିର ପ୍ରାକୃତିକ ଶୋଭାଦ୍ବାରା ଅନୁପ୍ରେରିତ। ୩ ବର୍ଷ ବୟସରେ ନିମୋନିଆ ଆକ୍ରାନ୍ତ ହେବା ପରେ ୫ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିବା ସୌରଭ ୧୨ ବର୍ଷ ବୟସରେ ବ୍ରେଲି ମାଧ୍ୟମରେ ଶିକ୍ଷା ଗ୍ରହଣ କଲେ। ପ୍ରାଥମିକ ଶିକ୍ଷା ପାଇଁ ସେ ଡେରାଡୁନ୍‌ର ‘ଏନ୍‌ଆଇପିଭିଡି’ରେ ବ୍ରେଲି ସହିତ ସ୍କ୍ରିନ୍‌ ରିଡର୍‌ ଆକ୍‌ସେସ୍‌ ଡିଭାଇସ୍‌ ଯୋଗେ ଶିକ୍ଷା ଲାଭ କଲେ। ବ୍ରେଲି ସ୍ଲେଟ୍‌ରେ ‘ଜିଏସ୍‌’ ନୋଟ୍‌ ଲେଖିବା ବେଳୁ ଲେଖାଲେଖି ପ୍ରତି ମନ ଦେଇଥିବା ସୌରଭ କଲେଜରେ ପଢ଼ିବା ବେଳେ ବିଧିବଦ୍ଧ ଭାବେ ଲେଖିଲେ। ପତ୍ରପତ୍ରିକାରେ ତାଙ୍କର ଛୋଟ ଛୋଟ ଆଲେଖ୍ୟ ବାହାରିଲା, ଲେଖା ପ୍ରତିଯୋଗିତାରେ ଭାଗ ନେଇ ସୁନାମ ଅର୍ଜନ କଲେ। ଶେଷରେ ୨୦୧୪ରେ କୋଲ୍‌କାତାର ‘ପାୱାର୍‌ ପବ୍ଲିଶର୍ସ’ ତାଙ୍କ ରଚିତ ପ୍ରଥମ ପୁସ୍ତକ ପ୍ରକାଶ କଲେ। ଆଜି ସୌରଭ ୧୨୦ଟି ପୁସ୍ତକର ରଚୟିତା ଏବଂ ୯ଟି ଆନ୍ତର୍ଜାତିକ ପୁରସ୍କାର ବିଜୟୀ। ଏବେ ସେ ସାହିତ୍ୟ ସାଧନା ସହିତ ଦୃଷ୍ଟିବାଧିତମାନଙ୍କୁ ସାହାଯ୍ୟ କରୁଛନ୍ତି।

ଆଇଏଏସ୍‌ ରାଜେଶଙ୍କ ପ୍ରେରଣାଦାୟୀ ପୁସ୍ତକ
ଦୃଷ୍ଟିବାଧିତ ସାହିତ୍ୟ ସ୍ରଷ୍ଟାଙ୍କ କ୍ରମରେ ଜଣେ ପ୍ରତିଶ୍ରୁତିସଂପନ୍ନ ସ୍ରଷ୍ଟା ଭାବେ ଉଭା ହୋଇଛନ୍ତି ଦିବ୍ୟାଙ୍ଗ ଆଇଏଏସ୍‌ ଅଧିକାରୀ ରାଜେଶ ସିଂହ। ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଆଇ: ପୁଟିଙ୍ଗ୍‌ ଦି ଆଇ ଇନ୍‌ ଆଇଏଏସ୍‌’ ବେଶ୍ ଚର୍ଚ୍ଚାରେ ରହିଛି। ଏହା ତାଙ୍କ ଜୀବନ ସଂଗ୍ରାମକୁ ପ୍ରତିଫଳିତ କରିଥିଲେ ହେଁ ଆତ୍ମଜୀବନୀ ନୁହେଁ। କିପରି ଦିବ୍ୟାଙ୍ଗ ପିଲାଟିଏ ଜୀବନରେ ଆସିଥିବା ସବୁ ବାଧାବିଘ୍ନର ମୁକାବିଲା କରି ଶେଷରେ ଆଇଏଏସ୍‌ ହୋଇଛି, ତାହା ଏଥିରେ ବର୍ଣ୍ଣିତ ହୋଇଛି।
୨୦୦୬ରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଦୃଷ୍ଟିବାଧିତ ରାଜେଶ ସିଂହ କୋର୍ଟ କଚେରିକୁ ଧାଁଦୌଡ଼ କରି ଶେଷକୁ ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ଫଳରେ ନିଯୁକ୍ତି ପାଇଥିଲେ।। କାରଣ ସରକାରୀ ବ୍ୟବସ୍ଥା ଅନୁଯାୟୀ ଆଖିକୁ ଆଦୌ ଦିଶୁ ନ ଥିବା ଜଣେ ବ୍ୟକ୍ତିଙ୍କୁ ଆଇଏଏସ୍‌ ଅଧିକାରୀ ଭାବେ ନିଯୁକ୍ତି ଦେବାରେ ସରକାର କୁଣ୍ଠିତ ଥିଲେ। ଶେଷକୁ ସୁପ୍ରିମ୍‌କୋର୍ଟ ଦୃଷ୍ଟିଶକ୍ତି ଓ ଅନ୍ତର୍ଦୃଷ୍ଟି ମଧ୍ୟରେ ଥିବା ଫରକ ଦର୍ଶାଇ ରାଜେଶଙ୍କ ସପକ୍ଷରେ ରାୟ ଦେଇଥିଲେ। ରାଜେଶ କହନ୍ତି, ଆଇଏଏସ୍‌ ହେବାକୁ ଦୃଷ୍ଟିଶକ୍ତି ନୁହେଁ, ଅନ୍ତର୍ଦୃଷ୍ଟି ଆବଶ୍ୟକ। ଏହା ପୂର୍ବରୁ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ।

ଦୃଷ୍ଟିବାଧିତଙ୍କ ପାଇଁ ପ୍ରକାଶନ ସଂସ୍ଥା ଖୋଲିଛନ୍ତି ଲେଖକ
ଦୃଷ୍ଟିବାଧିତ ସ୍ରଷ୍ଟା ଡକ୍ଟର ରମେଶ କୁମାର ସରୀନ୍‌ ବୃତ୍ତିରେ ଅଧ୍ୟାପକ। ସେ ହିନ୍ଦୀରେ ବହୁ ପୁସ୍ତକ ରଚନା କରିଥିବା ବେଳେ ତାଙ୍କ ସଦ୍ୟତମ ସୃଷ୍ଟି ହେଉଛି ‘ସମସାମୟିକ ଭାରତ କୀ ବିକାଶ ପ୍ରକ୍ରିୟା ଔର୍‌ ସାମାଜିକ ଆନ୍ଦୋଲନ୍‌’। ‌ନିଜେ ଲେଖିବା ସହ ଦୃଷ୍ଟିଶକ୍ତି ରହିତ ଲେଖକଙ୍କ ଲାଗି ସାହାଯ୍ୟର ହାତ ବଢ଼ାଇଛନ୍ତି ଡକ୍ଟର ସରୀନ୍। ‘ରକ୍ତିମ ପବ୍ଲିକେସନ୍‌ସ୍‌’ ନାଁରେ ନିଜସ୍ବ ଉଦ୍ୟମରେ ପ୍ରକାଶନ ସଂସ୍ଥାଟିଏ ଖୋଲିଛନ୍ତି। ସେ କହନ୍ତି, ଅନେକ ଦୃଷ୍ଟିବାଧିତ ଲେଖାଲେଖି କରିବାକୁ ଆଗ୍ରହୀ ଥିଲେ ବି ପ୍ରକାଶକ ପାଆନ୍ତି ନାହିଁ। ତେଣୁ ପ୍ରକାଶନ ସଂସ୍ଥା ଆରମ୍ଭ କରିବାକୁ ମନସ୍ଥ କଲି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ସତ୍ୟବତୀ କଲେଜରେ ରାଜନୀତିବିଜ୍ଞାନ ଅଧ୍ୟାପନା କରିବାକୁ ସରୀନ୍‌ ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌ସ୍‌ରେ ୧୩ ବର୍ଷ ଧରି କରିଥିବା ଚାକିରିକୁ ୨୦୧୭ରେ ଛାଡ଼ି ଦେଇଥିଲେ। ବ୍ରେଲିରେ ୧୫୮ ଘଣ୍ଟା ହିନ୍ଦୀ ଗଳ୍ପ ଟାଇପ୍‌ କରି ଗିନିଜ୍‌ ରେକର୍ଡ କରିଥିବା ସରୀନ୍‌ କହନ୍ତି, ‘‘ବିମାନ ଚଳାଚଳ ଶିଳ୍ପରେ କରିଥିବା ଚାକିରିରୁ ମୋତେ ଆତ୍ମସନ୍ତୋଷ ମିଳୁ ନ ଥିଲା। ମୁଁ ଅର୍ଥ ଉପାର୍ଜନ କରୁଥିଲି। ବାହା ହୋଇ ପରିବାର କଲି, କିନ୍ତୁ ସମାଜ ପ୍ରତି ମୋର କିଛି ଅବଦାନ ରହିଲା ନାହିଁ। ତେଣୁ ଦୃଷ୍ଟିହୀନ ଶିକ୍ଷାର୍ଥୀଙ୍କୁ ପଢ଼ାଇବା ଲାଗି ମୁଁ ସେ ଚାକିରି ଛାଡ଼ିଦେଲି।’’

ଆମ ଦେଶ‌େର ଅନେକ ଦୃଷ୍ଟିବାଧିତ ସାହିତ୍ୟ ସ୍ରଷ୍ଟା ଅଛନ୍ତି, ଯେଉଁମାନେ ଦେଖି ପାରୁ ନ ଥିଲେ ମଧ୍ୟ ଲେଖିବାର ଆଗ୍ରହ ସାକାର କରିଛନ୍ତି। କିଏ ଶ୍ରୁତଲିଖନର ପନ୍ଥା ଅପଣାଇଛନ୍ତି ତ ଆଉ କିଏ ବ୍ରେଲିକୁ ଆୟୁଧ କରିଛନ୍ତି। ପୁଣି କିଏ ଅତ୍ୟାଧୁନିକ କମ୍ପ୍ୟୁଟର ସଫ୍ଟଓୟାରର ସହାୟତା ନେଇ ନିଜ ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀକୁ ତୋଳି ଧରୁଛନ୍ତି।

ବ୍ୟଙ୍ଗସ୍ରଷ୍ଟା ଫତୁରାନନ୍ଦ
ଛଦ୍ମନାମ ଫତୁରାନନ୍ଦ, ମୂଳନାମ ରାମଚନ୍ଦ୍ର ମିଶ୍ର। ଜଣେ ବ୍ୟଙ୍ଗ କଥାଶିଳ୍ପୀ ଭାବେ ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଫତୁରାନନ୍ଦ ପାଞ୍ଚଶହରୁ ଅଧିକ ହାସ୍ୟଗଳ୍ପ ରଚନା କରିଯାଇଛନ୍ତି। ତାଙ୍କର ଆତ୍ମଜୀବନୀ ‘ମୋ ଫୁଟା ଡଙ୍ଗାର କାହାଣୀ’ ବ୍ୟଙ୍ଗ ସାହିତ୍ୟର ଏକ ଅମୂଲ୍ୟ ସୃଷ୍ଟି। ଏହା ବ୍ୟତୀତ ନାକଟା ଚିତ୍ରକର, ସାହି ମହାଭାରତ, ସାହିତ୍ୟଚାଷ, ଫମାଲୋଚନା, ଅମୃତ ବେହିଆ ଇତ୍ୟାଦି ତାଙ୍କର ଲୋକପ୍ରିୟ ରଚନା। ସେ ମାସିକ ସାହିତ୍ୟ ପତ୍ରିକା ‘ଡଗର’ର ସମ୍ପାଦନା କରିଥିଲେ। ସାହିତ୍ୟ ରଚନା ସହିତ ସେ ଜଣେ ବ୍ୟଙ୍ଗଚିତ୍ରକାର ଭାବରେ ବ୍ୟଙ୍ଗ ଚିତ୍ରମାନ ଅଙ୍କନ କରିଥିଲେ। ତାଙ୍କ ବ୍ୟଙ୍ଗଚିତ୍ର ଜାତୀୟ ସ୍ତରର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ହାସ୍ୟ ସାହିତ୍ୟ, କଳା ଓ ଅଭିନୟର ବିକାଶ ପାଇଁ ‘ସରସ ସାହିତ୍ୟ ସମିତି’ ଓ ‘ହାସ୍ୟ ବିକାଶ କେନ୍ଦ୍ର’ ଆଦି ଅନୁଷ୍ଠାନର ସ୍ଥାପନା କରିଥିଲେ।

ଫତୁରାନନ୍ଦ ୧୯୧୫ ମସିହା ଜୁନ୍‌ ପହିଲାରେ କଟକର ଝାଞ୍ଜିରିମଙ୍ଗଳାଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ସେ ମସିହା ସବୁ ମନେରଖି ପାରୁ ନ ଥିବାରୁ ଶିକ୍ଷକଙ୍କଠାରୁ ସବୁବେଳେ ବେତ ମାଡ଼ ଖାଉଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ବୋଲି ସେ କୌଣସି ପ୍ରକାରେ ମନେରଖି ପାରିଥିଲେ। କାରଣ ତାହାର ବର୍ଷକ ପରେ ୧୯୧୫ ମସିହାରେ ତାଙ୍କର ଜନ୍ମ। ଡାକ୍ତରୀ ପଢୁଥିବା ବେଳେ ସେ ରୋଗର ଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ। ୧୯୩୮ ମସିହାରେ ମେଡିକାଲ୍‌ ସ୍କୁଲ୍‌ରୁ ଏଲ୍.ଏମ୍.ପି ଡିଗ୍ରୀ ହାସଲ କରିଥିଲେ। ଦୃଷ୍ଟିବାଧିତ ହେଲେ ବି ତାହା ତାଙ୍କର ସୃଷ୍ଟିରେ ବାଧକ ସାଜି ନ ଥିଲା। ତାଙ୍କର ସୃଷ୍ଟି ଜାରି ରହିଥିଲା। ସେ ଅବିବାହିତ ରହିଥିଲେ। ୧୯୯୫ ମସିହାରେ ଫତୁରାନନ୍ଦଙ୍କର ଦେହାନ୍ତ ହୋଇଥିଲା।

 

ସମ୍ବନ୍ଧିତ ଖବର