ଭଡ଼ା କିଏ ନେଉଛି ବିଏମ୍‌ସି ଜାଣିନି

ୟୁନିଟ୍-୧ ହାଟରୁ ୫୯ ଲକ୍ଷ ଆଦାୟ ହେଇନି, ହେଇନି ନା ହେଇ ବାବୁଙ୍କ ପକେଟକୁ ଯାଇଛି?

ଭୁବନେଶ୍ୱର: ବିଭିନ୍ନ ସମୟରେ ବିବାଦରେ ଥିବା ୧ ନମ୍ବର ହାଟରେ ବର୍ଷ ବର୍ଷ ଧରି ସିକ୍ୟୁରିଟି ଜମା ଓ ଭଡ଼ା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉନାହିଁ। ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ଆଦାୟ ହୋଇନଥିବା ଏହି ଅର୍ଥ ୫୯ ଲକ୍ଷରେ ପହଞ୍ଚିଲାଣି। କେଉଁ ପରିସ୍ଥିତିରେ ଏହି ଅର୍ଥ ଆଦାୟ ହୋଇ ନାହିଁ? ଆଦାୟ ହୋଇ ନାହିଁ ନା ବିଭିନ୍ନ ସମୟରେ ଦାୟିତ୍ବରେ ଥିବା ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଆଦାୟକରି ବାଣ୍ଟି ନେଇଛନ୍ତି? ଏଭଳି ଏକାଧିକ ପ୍ରଶ୍ନ ଏଠାରୁ ଅନ୍ୟତ୍ର ବଦଳି ହୋଇଥିବା ଓ ଏବେ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଉପରକୁ ଆଙ୍ଗୁଠି ଉଠାଇଛି। ଗୋଟିଏ ପଟେ ବିଏମ୍‌ସିର ବଜେଟ୍‌ ବର୍ଷକୁ ବର୍ଷ ବଢ଼ି ଯାଉଥିବା ବେଳେ ଅପାରଗ ବା ଅସାଧୁ ଅଧିକାରୀଙ୍କ ପାଇଁ ରାଜସ୍ବ କମି ଯାଉଛି।

୨୦୦୩ ମସିହାରେ ବିଏମ୍‌ସି ୟୁନିଟ୍‌-୧ ହାଟରେ ଭଡ଼ା ବୃଦ୍ଧି କରିଥିଲା। କିନ୍ତୁ ଏହାକୁ ବ୍ୟବସାୟୀ ସଂଘ ବିରୋଧ କରି କୋର୍ଟକୁ ଯିବାରୁ ଭଡ଼ାବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରହିଥିଲା। ଏହାପରେ ମଧ୍ୟ ବିବାଦ ଲାଗି ରହିବାରୁ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ କୋର୍ଟ ଯାଇଥିଲା। କୋର୍ଟଙ୍କ ଆଦେଶ ମୁତାବକ, ଯେହେତୁ ୨୦୦୩ ମସିହାରୁ ଭଡ଼ା ବୃଦ୍ଧି ହୋଇନାହିଁ, ବିଏମ୍‌ସି ହାଟ ବ୍ୟବସାୟୀଙ୍କ ଭଡ଼ା ଧାର୍ଯ୍ୟ କରିବ। କିନ୍ତୁ ଏଥିପାଇଁ ଏକ ରୁଲ୍‌ ପ୍ରସ୍ତୁତ କରିବ। ଏହି ଆଦେଶ ଆଧାରରେ ୨୦୨୧ ମସିହା ଫେବ୍ରୁଆରି ୧୧ ତାରିଖ ଦିନ ବିଏମ୍‌ସି ଏହି ଭଡ଼ାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ରୁଲ୍‌ ପ୍ରସ୍ତୁତ କରିପାରିଲା ନାହିଁ। କର୍ପୋରେସନ ‌‌ବୈଠକରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ନିଷ୍ପତ୍ତି ନେବାକୁ କୁହାଯାଇଥିଲେ ମଧ୍ୟ ଏହାକୁ ମାସିକ ବୈଠକରେ ନପକାଇ କର୍ପୋରେଟରମାନଙ୍କୁ ଅନ୍ଧାରରେ ରଖାଗଲା।

ବିଏମ୍‌ସିର ନିଷ୍ପତ୍ତି ମୁତାବକ, ଖୋଲା ପଡ଼ିଆରେ ବସୁଥିବା ବ୍ୟବସାୟୀଙ୍କ ପାଇଁ ସିକ୍ୟୁରିଟି ଜମା ୩,୦୦୦ ଓ ଭଡ଼ା(ମାସିକ) ୨୫୦, ଖୋଲାପିଣ୍ଡି ପାଇଁ ୨,୫୦୦ ଓ ୨୦୦, ଆବୃତ୍ତ ବାରଣ୍ଡା ପାଇଁ ୫,୦୦୦ ଓ ୪୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏହି ଭଡ଼ା ଓ ସିକ୍ୟୁରିଟି ଜମା ୨୦୨୧ ମସିହା ଏପ୍ରିଲ ୧ ତାରିଖରୁ ଲାଗୁ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାସିକ ଭଡ଼ା ଦେବାରେ ବିଳମ୍ବ କଲେ ୧୨ ପ୍ରତିଶତ ଚକ୍ରବୃଦ୍ଧି ସୁଧ ଆଦାୟ ହେବ। ଏଥିରେ ବି ବିଳମ୍ବ ହେଲେ, ବ୍ୟବସାୟ ସ୍ବୀକୃତି ବାତିଲ୍‌ ହେବ। ଯେଉଁ ବ୍ୟବସାୟୀ ଧାର୍ଯ୍ୟ ଜାଗାଠାରୁ ଅଧିକ ବ୍ୟବହାର କରୁଥିବେ ବା ଜବରଦଖଲ କରିଥିବେ, ପ୍ରଥମ ଥରରେ ୧,୦୦୦ ଓ ଦ୍ବିତୀୟ ପାଇଁ ୨,୦୦୦ ଟଙ୍କା ଜରିମାନା ଦେବେ। ଅନାଦାୟରେ ଲାଇସେନ୍ସ ବାତିଲ ହେବ ଓ ପିଣ୍ଡି ମଞ୍ଜୁରି ବାତିଲ୍‌ ହେବ।

ଏହି ଆଦେଶ ଆଧାରରେ ୪୧୫ଟି ଖୋଲା ପଡ଼ିଆ ସ୍ଥାନ ପାଇଁ ସିକ୍ୟୁରିଟି ଜମା ମୋଟ୍‌ ୧୨ଲକ୍ଷ ୪୫ ହଜାର, ୩୪୪ଟି ଖୋଲାପିଣ୍ଡି ପାଇଁ ମୋଟ୍‌ ୮ ଲକ୍ଷ ୬୦ ହଜାର, ୨୦୪ଟି ଆବୃତ୍ତ ବାରଣ୍ଡା ପାଇଁ ୧୦ ଲକ୍ଷ ୨୦ ହଜାର ଓ ୨୧ଟି ଗୋଲେଇ ମାର୍କେଟ୍‌ ବସିବାସ୍ଥଳ ପାଇଁ ୧୫ ହଜାର ହିସାବରେ ମୋଟ୍‌ ୩ ଲକ୍ଷ ୧୫ ହଜାର ଟଙ୍କା, ଅର୍ଥାତ୍‌ ମୋଟ୍‌ ୩୪ଲକ୍ଷ ୪୦ ହଜାର ଟଙ୍କା ବିଏମ୍‌ସିରେ ଜମା ହେବାକଥା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ, ୨୦୨୧ରୁ ଆଜି ପର୍ଯ୍ୟନ୍ତ ୧୬ ଲକ୍ଷ ୯୩ ହଜାର ଆଦାୟ ‌ହୋଇଛି। ପ୍ରାୟ ୧୮ ଲକ୍ଷ ଆଦାୟ ହୋଇନଥିବା ବିଏମ୍‌ସି ଦର୍ଶାଇଛି। ସେହିଭଳି ଭଡ଼ା ବାବଦକୁ ବର୍ଷକୁ ୮୧ଲକ୍ଷ ୪୫ ହଜାର ୪୦୦ ଟଙ୍କା ଆଦାୟ ହେବା କଥା। ଏଥିରେ ମଧ୍ୟ ବଡ଼ ଘୋଟାଲା ହୋଇଛି ବୋଲି ଚର୍ଚ୍ଚା ହେଉଛି। କାରଣ ବିଏମ୍‌ସି ଏହାର ହିସାବ ମଧ୍ୟ ଦେଇ ପାରୁନାହିଁ। ଏଣେ ଭଡ଼ା ଦେଉନଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଭଡ଼ା ଆଦାୟ ହୋଇଛି କିନ୍ତୁ ଏହାକୁ ବାଣ୍ଟି ନିଆଯାଇଛି। କୋର୍ଟରେ ୫୨୮ ବ୍ୟବସାୟୀ ବୋଲି ହିସାବ ଦିଆ ଯାଇଥିବାବେଳେ ଏବେ ବ୍ୟବସାୟୀଙ୍କ ସଂଖ୍ୟା ୧,୦୦୦ ଅତିକ୍ରମ କଲାଣି। ସବୁକୁ ହିସାବକୁ ନେଲେ ଆଦାୟ ହୋଇ ନଥିବା ବା ଆଦାୟ କରି ପକେଟସ୍ଥ ହୋଇଥିବା ଏହି ଅର୍ଥ ନିଶ୍ଚିତ ଭାବେ ବହୁଗୁଣିତ ହେବ‌।

ସମ୍ବନ୍ଧିତ ଖବର