ଇ-ବାଇକ୍‌ ବ୍ୟାଟେରି ଯୋଗୁଁ ନ୍ୟୁୟର୍କ ଅଟ୍ଟାଳିକାରେ ଅଗ୍ନିକାଣ୍ଡ; ୨୭ ବର୍ଷିୟ ଭାରତୀୟ ଯୁବକ ମୃତ

ନ୍ୟୁୟର୍କ: ଶୁକ୍ରବାର ଦିନ ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ହାର୍ଲେନ୍‌ରେ ଥିବା ଗ‌ୋଟାଏ ଆପାର୍ଟମେଣ୍ଟ୍‌ ଅଟ୍ଟାଳିକାରେ ଭୟବହ ଅଗ୍ନିକାଣ୍ଡ ଘଟିବାରୁ ଜଣେ ୨୭ ବର୍ଷିୟ ଭାରତୀୟ ଯୁବକଙ୍କର ମୃତ୍ୟୁ ଘଟିଥିବା କଥା ‘ସିବିଏସ୍‌ ନିଉଜ୍‌’ ରିପୋର୍ଟ କରିଛି।

ମୃତ ଯୁବକଙ୍କ ନାଁ ଫଜିଲ୍‌ ଖାଁ ବୋଲି ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ଚିହ୍ନଟ କରିବା ସହିତ କହିଛି ଯେ, ସେମାନେ ତାଙ୍କ ବନ୍ଧୁ ଓ ପରିବାର ସହିତ ଯୋଗାଯୋଗ ରଖିଛନ୍ତି।

ଏହି ଅଘଟଣ ସଂକ୍ରାନ୍ତରେ ଅବଗତ ହେବା ପରେ ନ୍ୟୁୟର୍କସ୍ଥିତ ଭାରତୀୟ କନ୍‌ସୁଲେଟ୍‌ ଜେନେରାଲ୍‌ ‘ଏକ୍ସ୍‌’ ପୋଷ୍ଟ୍‌ରେ ଲେଖିଛନ୍ତି, ନ୍ୟୁୟର୍କ ଅନ୍ତଗର୍ତ ହାର୍ଲେମ୍‌ ଆପାର୍ଟମେଣ୍ଟ୍‌ ଅଟ୍ଟାଳିକାରେ ଦୁଃଖଦ ଅଗ୍ନିକାଣ୍ଡ ‌ଘଟଣାରେ ଫଜିଲ୍‌ ଖାଁ ନାମରେ ଜଣେ ୨୭ ବର୍ଷିୟ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜାଣି ଦୁଃଖିତ। ସ୍ବର୍ଗତ ଫଜିଲ୍‌  ଖାଁଙ୍କ ପରିବାର ‌ଓ ବନ୍ଧୁମାନଙ୍କ ସହିତ ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ଯୋଗାଯୋଗ ରଖିଛନ୍ତି। ତାଙ୍କର ପାର୍ଥିବ ଅବଶେଷ ଭାରତକୁ ପଠାଇବା ଲାଗି ଆମେ ସବୁ ପ୍ରକାରର ସମ୍ଭାବ୍ୟ ସାହାଯ୍ୟ କରିବୁ।

Image Courtesy of India Today

‘ଡେଲି ନିଉଜ୍‌’ ରିପୋର୍ଟ କରିଛି, ଜ୍ବଳନ୍ତ ଅଟ୍ଟାଳିକାରୁ ଉଦ୍ଧାର କରାଯାଇଥିବା କଲମ୍ବିଆ ଜର୍ଣ୍ଣାଲିଜିମ୍‌ ସ୍କୁଲ୍‌ର ସ୍ନାତକ ଖାଁଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ଆଉ ୧୭ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଏହାଛଡ଼ା, ଦଉଡ଼ି ସାହାଯ୍ୟରେ ଆହୁରି ଅନେକ ଲୋକଙ୍କୁ ସେ ଆପାର୍ଟମେଣ୍ଟ୍‌ରୁ ଉଦ୍ଧାର କରାଯାଇଛି।

ସ୍ଥାନୀୟ ଅଗ୍ନିଶମ ବିଭାଗଠାରୁ ତଥ୍ୟ ସଂଗ୍ରହ କରି ‘ଡେଲି ନିଉଜ୍‌’ କହିଛି ଯେ, ଇ-ବାଇକ୍‌ରେ ଲାଗୁଥିବା ‘ଲିଥିୟମ୍‌-ଆୟନ୍‌’ ବ୍ୟାଟେରି ଯୋଗୁଁ ଉକ୍ତ ଆପାର୍ଟମେଣ୍ଟ୍‌ରେ ନିଆଁ ଲାଗିଥିଲା।

ଏହି ଦୁଃଖଦ ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରି ସ୍ଥାନୀୟ ବାସିନ୍ଦା ଏନ୍‌ଗାଇ ରେଚ୍‌ଫୋର୍ଡ କହିଛନ୍ତି, ହୁତୁହୁତୁ ହୋଇ ନିଆଁ ଜଳୁଥିଲା ବେଳେ ଲୋକେ ଝରକା ବାଟେ ବାହାରକୁ ଡେଇଁପଡ଼ିଥିଲେ।

ସମ୍ବନ୍ଧିତ ଖବର