ଗ୍ରହାଣୁପୁଞ୍ଜରେ ଜଳ

ସୌରମଣ୍ଡଳ ସମେତ ଆଖପାଖ ଅନ୍ୟ ନକ୍ଷତ୍ରର ଅନ୍ୟ କେଉଁ ଗ୍ରହ ବା ଉପଗ୍ରହରେ ଜଳ ରହିଛି, ତା’ ଉପରେ ଗବେଷଣା ଜାରି ରହିଛି। ଏହି ଅବସରରେ ବୈଜ୍ଞାନିକମାନେ ଆମ ସୌରମଣ୍ଡଳର ‘ଇରିସ୍‌’ ଓ ‘ମାସାଲିଆ’ ନାମକ ଗ୍ରହାଣୁପୁଞ୍ଜ ପୃଷ୍ଠରେ ପ୍ରଥମ ଥର ପାଇଁ ଜଳର ସନ୍ଧାନ ପାଇଛନ୍ତି। ପୂର୍ବରୁ ଚନ୍ଦ୍ରପୃଷ୍ଠରେ ଏକ ଗର୍ତ୍ତ ଭିତରେ ଜଳର ସନ୍ଧାନ ପାଇଥିବା ମହାକାଶ ନିରୀକ୍ଷଣାଗାର ସୋଫିଆ (ଷ୍ଟ୍ରାଟୋସ୍ଫେରିକ୍‌ ଅବଜର୍ଭେଟୋରି ଫର ଇନ୍‌ଫ୍ରାରେଡ୍‌ ଆଷ୍ଟ୍ରୋନୋମି) ମାଧ୍ୟମରେ ଏହି ଗ୍ରହାଣୁପୁଞ୍ଜ ଜଳର ସନ୍ଧାନ ମିଳିଛି। ସୂଚନାଯୋଗ୍ୟ, ସୂର୍ଯ୍ୟଙ୍କ ଠାରୁ ବିଭିନ୍ନ ଗ୍ରହ ଓ ଉପଗ୍ରହ ସୃଷ୍ଟି ହେବା ପ୍ରକ୍ରିୟାରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିଭିନ୍ନ ଆକାରର ଗ୍ରହାଣୁପୁଞ୍ଜ ବଳକା ରୂପେ ବାହାରି ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରି ଆସୁଛନ୍ତି। ସୁତରାଂ ଗ୍ରହଣୁପୁଞ୍ଜରେ ଜଳର ସନ୍ଧାନ ମିଳିବା ଘଟଣା ଗୁରୁତ୍ବ ବହନ କରୁଛି।

କାରଣ ପୃଥିବୀକୁ କିପରି ଜଳ ସଂଚରିତ ହେଲା, ସେ ବାବଦରେ ଏହି ସନ୍ଧାନ ଆଲୋକପାତ କରିପାରିବ। ସେଥିରୁ ଆମ ସୌରମଣ୍ଡଳରେ ଜଳ ବଣ୍ଟନର ଶୈଳୀ ଠିକ୍‌ରେ ବୁଝାପଡ଼ିଲେ ଅନ୍ୟ ନକ୍ଷତ୍ରରେ ମଧ୍ୟ ଜଳର ସ୍ଥିତି ସମ୍ପର୍କରେ ଜାଣିବା ସହଜ ହେବ, ଯାହା ପୃଥିବୀ ବାହାରେ ଜୀବ ସତ୍ତା ଅନ୍ବେଷଣ ପ୍ରକ୍ରିୟାକୁ ସୁଗମ କରିଦେବ। ଯଥାକ୍ରମେ ୧୨୪ ଓ ୮୪ ମାଇଲ୍‌ ବ୍ୟାସ ଆକାରର ଏହି ଗ୍ରହାଣୁପୁଞ୍ଜ ଦ୍ବୟ ସୂର୍ଯ୍ୟର ଅପେକ୍ଷାକୃତ ନିକଟତର ଇଲାକାରେ ଉତ୍ପନ୍ନ ହୋଇଥିଲେ। ସୂର୍ଯ୍ୟଙ୍କ ତାପ ଯୋଗୁଁ ସେମାନଙ୍କ ପୃଷ୍ଠରୁ ଜଳ ବାଷ୍ପୀଭୂତ ହୋଇସାରିଥିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ମାତ୍ର ଏହି ନୂତନ ଆବିଷ୍କାର ସେମାନଙ୍କ ଶୁଷ୍କ ସିଲିକେଟ୍‌ ପୃଷ୍ଠ ତଳେ ଜଳଅଣୁ ଚାପି ହୋଇ ରହିଯାଇଛି ବୋଲି ସ୍ପଷ୍ଟ ହୋଇଛି। ସୁତରାଂ ଆମେ ଭୋଗ କରୁଥିବା ଜଳ ପୃଥିବୀ ପୃଷ୍ଠରେ ସୃଷ୍ଟି ନହୋଇ କୌଣସି ଗ୍ରହାଣୁପୁଞ୍ଜ ମାଡ଼ ଯୋଗୁଁ ତାହା ପୃଥିବୀକୁ ସଂଚରିତ ହୋଇଛି ବୋଲି କରାଯାଉଥିବା ଅନୁମାନକୁ ମଧ୍ୟ ଏହା ସମର୍ଥନ କରୁଛି।

ସମ୍ବନ୍ଧିତ ଖବର