ରିଦ୍ଧିମାନଙ୍କୁ ଧମକ: ବୋରିଆ ମଜୁମଦାରଙ୍କୁ ୨ ବର୍ଷ ବାସନ୍ଦ କଲା ବିସିସିଆଇ

ମୁମ୍ବାଇ: ବେଙ୍ଗଲ ତଥା ଭାରତୀୟ ୱିକେଟ୍ ରକ୍ଷକ ରିଦ୍ଧିମାନ ସାହଙ୍କୁ ମୋବାଇଲ ବାର୍ତ୍ତାରେ ଧମକ ଚମକ ଦେବା ମାମଲାରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ତଥା କ୍ରିକେଟ୍ ଐତିହାସିକ ବୋରିଆ ମଜୁମଦାରଙ୍କ ବିରୋଧରେ ବିସିସିଆଇ କଠୋର କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଦୁଇବର୍ଷ ବାସନ୍ଦ କରିଛି। ଏହି ମାମଲାର ତଦନ୍ତ କରୁଥିବା ବିସିସିଆଇର ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଏବଂ କାଉନସିଲ୍ ସଦସ୍ୟ ପ୍ରଭତେଜ୍ ସିଂହ ଭାଟିଆଙ୍କୁ ନେଇ ଗଠିତ ତିନି ଜଣିଆ କମିଟିର ସୁପାରିସ ଅନୁଯାୟୀ ବିସିସିଆଇର ଆପେକ୍ସ କାଉନସିଲ୍ ଏଭଳି ପଦକ୍ଷେପ ନେବା ସହ ବାସନ୍ଦାଦେଶ ତତ୍‌କ୍ଷଣାତ୍ ଲାଗୁ କରିବାକୁ ସମସ୍ତ ରାଜ୍ୟସଂଘଙ୍କୁ ନିର୍ଦ୍ଦେଶ ଦେଇଛି। ତଦନୁଯାୟୀ ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ବୋରିଆ ଗଣମାଧ୍ୟମ ପ୍ରତିନିଧି ଭାବେ କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ଲାଗି ସ୍ବୀକୃତିପତ୍ର ପାଇବେ ନାହିଁ। ଏହି ଅବଧି ମଧ୍ୟରେ ଭାରତରେ ପଞ୍ଜିକୃତ କୌଣସି ଖେଳାଳିଙ୍କ ସାକ୍ଷାତକାର ନେଇ ପାରିବେନାହିଁ।

ସେହିଭଳି ଆ‌ସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ବିସିସିଆଇ କିମ୍ବା ସଦସ୍ୟ ସଂଘର ମାଲିକାନାରେ ଥିବା କୌଣସି କ୍ରିକେଟ୍ ଭିତ୍ତିଭୂମିର ଉପଯୋଗ କିମ୍ବା ସେଠାକୁ ପ୍ରବେଶ କରିପାରିବେନାହିଁ। ବୋରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରି ବିସିସିଆଇର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେମାଙ୍ଗ ଅମିନ ବିଭିନ୍ନ ରାଜ୍ୟସଂଘଗୁଡ଼ିକୁ ପଠାଇଥିବା ପତ୍ରରେ ଲେଖିଛନ୍ତି ଯେ ତଦନ୍ତ କମିଟି ଉଭୟ ସାହ ଏବଂ ମଜୁମଦାରଙ୍କ ପକ୍ଷ ଶୁଣିବା ପରେ ପ୍ରକୃତରେ ସାହଙ୍କୁ ମଜୁମଦାର ଧମକଭରା ‌ବାର୍ତ୍ତା ପଠାଇଥିଲେ ବୋଲି ଜାଣିବାକୁ ପାଇଛି। ଏଣୁ ମଜୁମଦାରଙ୍କ ବିରୋଧରେ ଉପରଲିଖିତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ କରିଛି। ଯାହାକୁ ବିସିସିଆଇ ଆପେକ୍ସ କାଉନସିଲ୍ ଗ୍ରହଣ କରି ନେଇଛି।

ସମ୍ବନ୍ଧିତ ଖବର