ୟୁରୋପରେ ମୋଦୀଙ୍କ ‘ବିଶ୍ବ କଲ୍ୟାଣ ପାଇଁ ଭାରତ ପ୍ରଥମ’ ଦର୍ଶନର ଅବତାରଣା

ନୂଆଦିଲ୍ଲୀ: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଫାଷ୍ଟ ଫର୍ ଗ୍ଲୋବାଲ ଗୁଡ୍’ (ବିଶ୍ବ କଲ୍ୟାଣ ପାଇଁ ଭାରତ ପ୍ରଥମ) ଦର୍ଶନର ଅବତାରଣା କରିଛନ୍ତି। ସେ କହିଛନ୍ତି ଏହି ଦର୍ଶନ ସଫଳ ହୋଇପାରିବ ଯଦି ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତୀୟ ଘରୋଇ କ୍ଷେତ୍ର ଫ୍ରାନ୍ସ ଓ ଆମେରିକା ପରି ଭାରତର ପ୍ରମୁଖ ପ୍ରତିରକ୍ଷା ସହଯୋଗୀଙ୍କ ସହଯୋଗରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରେ ଏବଂ ବିନା ନିୟନ୍ତ୍ରଣରେ ସେଗୁଡ଼ିକୁ ରପ୍ତାନି କରିପାରେ।

ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଲେ ଯେ, ଭାରତ ହେଉଛି ବିଶ୍ବ ସମସ୍ୟାର ସମାଧାନଦାତା ଏବଂ ଏହା ବିଶ୍ବ କଲ୍ୟାଣର ଶକ୍ତି ଭାବେ କାମ କରେ। ଭାରତ ‘ସର୍ବେ ଭବନ୍ତୁ ସୁଖିନଃ’ ଏବଂ ‘ବସୁଧୈବ କୁଟୁମ୍ବକମ୍’ ନୀତିରେ ବିଶ୍ବାସ କରେ। ତେଣୁ ଇଣ୍ଡିଆ ଫାଷ୍ଟ ବା ଭାରତକୁ ପ୍ରଥମେ ଶକ୍ତିଶାଳୀ ହେବାକୁ ପଡ଼ିବ। ନିର୍ମାଣ କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ, ଯାହାର ମୂଳଦୁଆ ସୁଶାସନ ଉପରେ ପଡ଼ିଛି। ଭାରତ ଆତ୍ମନିର୍ଭର ଓ ଶକ୍ତିଶାଳୀ ହେଲେ ତାହା ସମଗ୍ର ବିଶ୍ବ ପାଇଁ କଲ୍ୟାଣକାରୀ ହେବ। ବର୍ତ୍ତମାନ ଖାଦ୍ୟଶସ୍ୟର ଅଭାବ ପଡ଼ିଲାବେଳେ ଭାରତ ଗହମ ଯୋଗାଇଛି। କୋଭିଡ୍ ମହାମାରୀ ସମୟରେ ଭାରତ ସମଗ୍ର ବିଶ୍ବକୁ ଔଷଧ ଓ ଟିକା ଯୋଗାଇଛି। ଯେତେବେଳେ ପଡ଼ୋଶୀ ଦେଶଗୁଡ଼ିକରେ ମାନବିକ ସାହାଯ୍ୟ ଓ ବିପର୍ଯ୍ୟୟ ପ୍ରତିଶମନର ଆବଶ୍ୟକତା ପଡ଼ିଛି ସେତେବେଳେ ଭାରତ ସାହାଯ୍ୟ କରିବାକୁ ଆଗେଇ ଆସିଛି- ତାହା ସୁନାମି ହେଉ ବା ମହାମାରୀ ହେଉ ବା ଅର୍ଥନୈତିକ ସଂକଟ ହେଉ। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ମଧ୍ୟ ଭାରତ ଲଢ଼େଇ କରୁଛି। ବିଶ୍ବର ଶାନ୍ତି ଓ ସ୍ଥିରତା ନିମନ୍ତେ ଭାରତ ପ୍ରତିଶ୍ରୁତିବଦ୍ଧ। ସମସ୍ତ ପ୍ରତିକୂଳତା ଓ ଚାପ ସତ୍ତ୍ବେ ଭାରତ ସ୍ବାଧୀନ ନୀତି‌ ଅବଲମ୍ବନରେ ସାଲିସ କରିନାହିଁ। ତେଣୁ ବିଶ୍ବ କଲ୍ୟାଣ ପାଇଁ ‘ଇଣ୍ଡିଆ ଫାଷ୍ଟ’ ଦର୍ଶନକୁ ସମସ୍ତେ ଗ୍ରହଣ କରିନେବା ଉଚିତ। ଭାରତ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଯୋଜନାର ସଫଳତା ଉପରେ ଏହା ନିର୍ଭର କରେ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର