୧୭ ବର୍ଷ ପରେ ଜିମ୍ବାୱେର ପ୍ରଥମ ବିଦେଶ ଟେଷ୍ଟ୍‌ ବିଜୟ

ସିଲ୍‌ହଟ୍‌: ବୋଲରଙ୍କ ଆଧିପତ୍ୟ ମଧ୍ୟରେ ସିଲ୍‌ହଟ୍‌ ଟେଷ୍ଟ ୪ ଦିନ ଭିତରେ ଶେଷ ହୋଇଗଲା। ଭ୍ରମଣକାରୀ ଜିମ୍ବାୱେ ୧୫୧ ରନ୍‌ରେ ଘରୋଇ ବାଂଲାଦେଶକୁ ପରାସ୍ତ କରି ୨ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ହାସଲ କଲା। କେବଳ ସେତିକି ନୁହେଁ ଜିମ୍ବାୱେ ମଧ୍ୟ ୧୭ ବର୍ଷର ବ୍ୟବଧାନ ପରେ ବିଦେଶ ମାଟିରେ ପ୍ରଥମ ଟେଷ୍ଟ ବିଜୟର ‌‌ଗୌରବ ପାଇଲା। ଶେଷ ଥର ପାଇଁ ଜିମ୍ବାୱେ ୨୦୦୧ରେ ବିଦେଶ ମାଟିରେ ଟେଷ୍ଟ ଜିତିଥିଲା। ସଂଯୋଗବଶତଃ ସେ ବିଜୟ ମଧ୍ୟ ସମାନ ପ୍ରତିଦ୍ବନ୍ଦ୍ବୀ ବାଂଲାଦେଶ ବିପକ୍ଷରେ ପାଇଥିଲା। ମୋଟାମୋଟି ଭାବେ ୨୦୧୧ ନଭେମ୍ବର ପରେ ବିଦେଶ ମାଟିରେ ଜିମ୍ବାୱେ ତା’ର ତୃତୀୟ ବିଜୟ ହାସଲ କରିଛି। ପୁଣି ୫ ବର୍ଷ ପରେ ବାଂଲାଦେଶ ବିପକ୍ଷରେ ମଧ୍ୟ ଏହା ଜିମ୍ବାୱେର ପ୍ରଥମ ବିଜୟ। ପ୍ରଥମ ପାଳିରେ ୮୮ ରନ୍‌ ଓ ଗୋଟିଏ ୱିକେଟ୍‌ ସାଙ୍ଗକୁ ଦ୍ବିତୀୟ ପାଳିରେ ୨୦ ରନ୍‌ କରିଥିବା ସିନ୍‌ ୱିଲିୟମ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଜିମ୍ବାୱେ ପ୍ରଥମ ପାଳିରେ ୨୮୨ ରନ୍‌ କରିବା ପରେ ବାଂଲାଦେଶ ପ୍ରଥମ ପା‌ଳିକୁ ୧୪୩ ରନ୍‌ରେ ଶେଷ କରିଥିଲା। ଜିମ୍ବାୱେ ଦ୍ବିତୀୟ ପାଳିରେ ୧୮୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଫଳରେ ଘରୋଇ ବାଂଲାଦେଶ ସମ୍ମୁଖରେ ୩୨୧ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ମାଭୁଟା (୪/୨୧), ସିକନ୍ଦର ରାଜା (୩/୪୧) ଓ ୱେଲିଂଟନ୍‌ ମାସାକାଜା (୨/୩୩) ଚମତ୍କାର ବୋଲିଂ କରି ବାଂଲାଦେଶ ଦ୍ବିତୀୟ ପାଳିକୁ ୧୬୯ ରନ୍‌ରେ ରୋକି ଦେଇଥିଲେ। ଏହି ସ୍ମରଣୀୟ ବିଜୟର ଶ୍ରେୟ କିନ୍ତୁ ଜଣେ ଭାରତୀୟ କ୍ରିକେଟର୍‌ଙ୍କୁ ମିଳିଛି। ପୂର୍ବତନ ଭାରତୀୟ ଆନ୍ତର୍ଜାତିକ କ୍ରିକେଟର୍‌ ତଥା ମୁମ୍ବାଇ ତାରକା ଲାଲଚାନ୍ଦ ରାଜ୍‌ପୁତ ଏବେ ଜିମ୍ବାୱେ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି।

ସମ୍ବନ୍ଧିତ ଖବର