ପୁଣି ୩-୦ ମୂଳପୋଛ: ଆୟର୍‌ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

ଧର୍ମଶାଳା: ଲଗାତାର ୧୨ ଟ୍ବେଣ୍ଟି-୨୦ ବିଜୟ ସହିତ ଭାରତୀୟ ଦଳ ଆଉ ଏକ ଶୃଙ୍ଖଳା ମୂଳପୋଛ ସଫଳତା ପାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭଳି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିନେଇଛି। ରବିବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଭାରତ ୬ ୱିକେଟରେ ଆଉ ଏକ ପ୍ରାଧାନ୍ୟଭରା ବିଜୟ ଅର୍ଜନ କରିଥିଲା। ସମସ୍ତ ୩ ମ୍ୟାଚ୍‌ରେ ଆଦୌ ଆଉଟ୍ ନହୋଇ ମୋଟ ୨୦୪* ରନ୍ କରିଥିବା ଆୟର୍‌ ଉଭୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଶ୍ରୀଲଙ୍କା ଟସ୍ ଜିତିଥିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲର କିନ୍ତୁ ଏହି ଭ୍ରମଣକାରୀ ଦଳକୁ ପ୍ରଥମ ଦୁ‌ଇ ଓଭରରେ ଦୁଇ ଝଟକା ଦେବା ସହ ପାୱାର ପ୍ଲେ ଭିତରେ ୧୮/୩ରେ ସଂଘର୍ଷ କରାଇଥିଲେ। ଅଭେସ୍‌ ଖାନ୍‌ ଲଗାତାର ଓଭରରେ ୱିକେଟ୍ ନେବା ପରେ ରବି ବିଷ୍ଣୋଇ ମଧ୍ୟ ପାଳିର ତୃତୀୟ ବୋଲର ଭାବେ ପ୍ରଥମ ଓଭରରେ ୱିକେଟ୍‌ ବାହାର କରିଥିଲେ। ଶ୍ରୀଲଙ୍କା ଏକଦା ୬୦/୫ରେ ପହଞ୍ଚିଯାଇଥିଲା। ତେବେ ପୂର୍ବ ମ୍ୟାଚ୍‌ ଭଳି ଦାସୁନ ଶଣକା ବିସ୍ଫୋରକ ବ୍ୟାଟିଂ କରିବାରୁ ତାଙ୍କ ଦଳ ୧୪୬ ରନ୍‌ର ସମ୍ମାନଜନକ ସ୍କୋର୍‌ ଛିଡ଼ା କରି ନେଇଥିଲା। ମାତ୍ର ୩୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ଶଣକା ୩୮ ବଲରୁ ୭୪* ରନ୍‌ କରିଥିଲେ। ଶଣକା ଏବଂ ଚାମିକା କରୁଣାରତ୍ନେ (୧୨*, ୧୯ ବଲ୍‌) ଅତୁଟ ଷଷ୍ଠ ୱିକେଟ୍ ପାଇଁ ୭.୫ ଓଭରରେ ୮୬ ରନ୍ ଯୋଡ଼ିଥିଲେ। ଶଣକାଙ୍କ ପାଇଁ ଶ୍ରୀଲଙ୍କା ମଧ୍ୟ ଶେଷ ୩ ଓଭରରୁ ୪୩ ରନ୍‌ ଆଦାୟ କରିଥିଲା। ଏପରିକି ଶେଷ ୫ ଓଭରରୁ ତାଙ୍କ ଦଳ ୬୮ ରନ୍ ସଂଗ୍ରହ କରିଥିଲା।

ଜବାବରେ ଭାରତ ପ୍ରଥମରୁ ରୋହିତ ଶର୍ମାଙ୍କ ୱିକେଟ୍ ହରାଇ ଚାପରେ ପଡ଼ିଥିଲା। ଈଶାନ କିଶନଙ୍କ ଅନୁପସ୍ଥିତିରେ ପାଳି ଆରମ୍ଭ କରିଥିବା ସଞ୍ଜୁ ସାମସନ୍‌ ଏହ‌ାର ଫାଇଦା ଉଠାଇ ନପାରି ମାତ୍ର ୧୮ ରନ୍‌ କରିଥିଲେ। ମଧ୍ୟକ୍ରମରେ ଦୀପକ ହୁଦା ଓ ଭେଙ୍କଟେଶ ଆୟର୍‌ ମଧ୍ୟ ବିଫଳ ହୋଇଥିଲେ। କିନ୍ତୁ ଜବରଦସ୍ତ ଫର୍ମରେ ଥିବା ଶ୍ରେୟସ ଆୟରଙ୍କ ହ୍ୟାଟ୍ରିକ୍ ଅର୍ଦ୍ଧଶତକ (୫୭*, ୭୪*, ୭୩*) ଭାରତର ବିଜୟକୁ ସହଜ କରିଦେଇଥିଲେ। ଶନିବାର ରାତିରେ ଏକାଠି ମ୍ୟାଚ୍‌ ଶେଷ କରିଥିବା ରବୀନ୍ଦ୍ର ଜାଦେଜା ଏବଂ ଶ୍ରେୟସ ଆୟର୍‌ ରବିବାର ମଧ୍ୟ ଏହାକୁ ଦୋହରାଇଥିଲେ। ଭାରତ ୧୯ ବଲ୍ ପୂର୍ବରୁ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା। ଭାରତ ୪ଟି ପରବର୍ତନ କରିବା ଏବଂ ମାତ୍ର ୫ ଜଣ ସ୍ପେଶାଲିଷ୍ଟ ବ୍ୟାଟରଙ୍କୁ ନେଇ‌ ଖେଳିବା ସତ୍ତ୍ବେ ସହଜ ବିଜୟ ପାଇଥିଲା। ଆହତ ଈଶାନ କିଶନଙ୍କ ସହିତ ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲଙ୍କୁ ଦଳ ବିଶ୍ରାମ ଦେଇ ମହମ୍ମଦ ସିରାଜ, ଅଭେସ୍ ଖାନ୍‌, କୁଲଦୀପ ଯାଦବ, ରବି ବିଷ୍ଣୋଇଙ୍କୁ ଖେଳାଇଥିଲା।

ଆୟରଙ୍କ କୀର୍ତ୍ତିମାନ
ଗୋଟିଏ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅପରାଜିତ ରହିବାରେ ଆୟର (୨୦୪* ରନ୍‌) ପୂର୍ବ ଅଧିନାୟକ ବିରାଟ କୋହଲି (୧୯୯)ଙ୍କୁ ଅତିକ୍ରମ କରିଥିଲେ। ଆୟରଙ୍କଠାରୁ କେବଳ ଆଗରେ ରହିଛନ୍ତି ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର (୨୧୭* ରନ୍‌ ବନାମ ଶ୍ରୀଲଙ୍କା)।‌ ସେହିଭଳି ଲଗାତାର ୧୨ ଟ୍ବେଣ୍ଟି-୨୦ ବିଜୟ ଅର୍ଜନ କରି ଭାରତୀୟ ଦଳ ଆଫାଗାନିସ୍ତାନ ନାମରେ ଥିବା କୀର୍ତ୍ତିମାନର ସମକକ୍ଷ ହୋଇଛି। ଏବେ ମା‌ର୍ଚ୍ଚ ୪ ତାରିଖରୁ ଭାରତ-ଶ୍ରୀଲଙ୍କା ୨ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ମୋହାଲିରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର