୨ୟ ସେମି-ଫାଇନାଲ୍ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଦୁବାଇ : ଟି-୨୦ ବିଶ୍ବକପର ୨ୟ ସେମି-ଫାଇନାଲ ଆଜି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ବିଶ୍ବକପରେ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ । ସବୁ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରୁଥିବାକୁ ପାକିସ୍ତାନକୁ ବିଶ୍ବକପର ଫେଭରିଟ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଏହି ବିଶ୍ବକପରେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚରେ (ଇଂଲଣ୍ଡଠାରୁ) ପରାଜିତ ହୋଇଛି । ଅଷ୍ଟ୍ରେଲିଆ ଦଳ ଏବେ ଫର୍ମରେ ନଥିଲେ ବି ଯେକୌଣସି ଓଲଟପାଲଟ କରିବାକୁ ଏହି ଦଳ ସକ୍ଷମ । ଦଳର ବୋଲିଂ ଆକ୍ରମଣ ଏବେ ବି ପାକିସ୍ତାନୀ ବ୍ୟାଟିଂକୁ ଧ୍ବଂସ କରିବାକୁ ସକ୍ଷମ । ମାତ୍ର ଅଷ୍ଟ୍ରେଲିଆ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଯୋଡ଼ିକୁ ଆଉଟ କରିବା ।

ଆଜି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେହିପରି ପାକିସ୍ତାନ ମଧ୍ୟ ନିଜ ଦଳରେ କୌଣସି  ପରିବର୍ତ୍ତନ କରିନାହିଁ ।

ଗତ କାଲି ଖେଳାଯାଇଥିବା ପ୍ରଥମ ସେମି-ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ୫ ଓ୍ବିକେଟରେ ପରାଜିତ କରିଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ପ୍ରଥମ ଦଳଭାବେ ଫାଇନାଲରେ ପ୍ରବେଶ କରିଛି । ଆଜି ମ୍ୟାଚର ବିଜେତା ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ।

 

 

ସମ୍ବନ୍ଧିତ ଖବର