‘ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରେସନ୍‌’ ପାଇଁ ନିଯୁକ୍ତ କମିଟି ଭାଙ୍ଗିଲେ ସୁପ୍ରିମ୍‌ କୋର୍ଟ; ଖୁବ୍‌ ଶୀଘ୍ର ନିର୍ବାଚନ

ନୂଆଦିଲ୍ଲୀ: ‘ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରେସନ୍‌’ର (ଏଆଇଏଫ୍ଏଫ୍‌) କାର୍ଯ୍ୟକଳାପ ତଦାରଖ କରିବା ନିମନ୍ତେ ଚଳିତ ବର୍ଷ ପ୍ରାରମ୍ଭରେ ନିଯୁକ୍ତ କରିଥିବା ‘କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌’କୁ ଆଜି ସୁପ୍ରିମ୍‌ କୋର୍ଟ ଭାଙ୍ଗି ଦେଇଛନ୍ତି।

ଏଥିସହ, ‘ଏଆଇଏଫ୍ଏଫ୍‌’ର ଦୈନନ୍ଦିନ ପରିଚାଳନା ଭାର ଗ୍ରହଣ କରିବା ଲାଗି କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ସୁନନ୍ଦ ଧରଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି।

‘ଏଆଇଏଫ୍ଏଫ୍‌’ ପ୍ରଶାସନ ଦୈନନ୍ଦିନ କାର୍ଯ୍ୟକଳାପ ଭାର ଗ୍ରହଣ କରିବା ଅର୍ଥ ହେଉଛି ବୈଶ୍ବିକ ଫୁଟ୍‌ବଲ ପ୍ରଶାସନ ସଂଗଠନ ‘ଫିଫା’ଦ୍ବାରା ଜାରି ନିଷେଧାଦେଶ ପ୍ରତ୍ୟାହାରର ସୂଚନା। ‘ତୃତୀୟ ପକ୍ଷ’ ହସ୍ତକ୍ଷେପ ଯୋଗୁଁ ଅଗଷ୍ଟ ୧୫ ତାରିଖ ଦିନ ‘ଫିଫା’ ‘ଏଆଇଏଫ୍ଏଫ୍‌’ ଉପରେ ନିଷେଧାଦେଶ ଜାରି କରିଥିଲା। ଏଥିସହ ‘ଫିଫା’ କହିଥିଲା କି, ଯୋଜନାମତେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ବୟସ୍କ ‘ମହିଳାଙ୍କ ବିଶ୍ବ କପ୍‌’ ଏବେ ଆୟୋଜନ କରି ହେବନାହିଁ।

Image Courtesy of India Today

‘ଇଲେକ୍ଟୋରାଲ୍‌ କଲେଜ୍‌’ ପରିବର୍ତ୍ତନ କରିବାରେ ସୁବିଧା ହେବା ପାଇଁ ଅଗଷ୍ଟ ୨୮ ହେବାକୁ ଥିବା ‘ଏଆଇଏଫ୍ଏଫ୍‌’ ନିର୍ବାଚନ ତାରିଖ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ମଧ୍ୟ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

‘ଏଆଇଏଫ୍ଏଫ୍‌’ର ପୂର୍ବରୁ ସଦସ୍ୟତାକୁ ଭିତ୍ତି କରି ନୂଆ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହାର ଅର୍ଥ ହେଉଛି ରାଜ୍ୟ ଆସୋସିଏସନ୍‌ର ପ୍ରତିନିଧିଙ୍କୁ ନେଇ ଭୋଟର୍‌ମାନଙ୍କ ତାଲିକା ପ୍ରସ୍ତୁତ ହେବ, ମନୋନୀତ ହୋଇଥିବା ପ୍ରଖ୍ୟାତ ଖେଳାଳିମାନଙ୍କୁ ନେଇ ନୁହେଁ।

‘ଏଆଇଏଫ୍ଏଫ୍‌’ର ନୂତନ ‘କାର୍ଯ୍ୟନିର୍ବାହୀ କମିଟି’ ୩୬ଜଣ ‘ଇଲେକ୍ଟୋରେଟ୍‌ କଲେଜ’ଙ୍କଦ୍ବାରା ନିର୍ବାଚିତ ୧୭ଜଣ କୋଷାଧ୍ୟକ୍ଷ ଏବଂ ଖ୍ୟାତନାମା ଖେଳାଳିମାନଙ୍କ ମଧ୍ୟରୁ ମନୋନୀତ ହୋଇଥିବା ୬ଜଣ ଖେଳାଳିଙ୍କ ସମେତ ୨୩ଜଣ ସଦସ୍ୟ ରହିବେ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର