ପୁରୁଷରୁ ମହିଳା କ୍ରୀଡ଼ାବିତ୍‌ ହବାର୍ଡ, ପ୍ରଥମ କିନ୍ନର ଭାବେ ପାଇଲେ ଅଲିମ୍ପିକ୍ ଯୋଗ୍ୟତା

ହାମିଲଟନ୍: ପୁରୁଷରୁ ମହିଳା ପାଲଟିଥିବା ବିବାଦୀୟ ଲୌ‌ରେଲ୍‌ ହବାର୍ଡ ପ୍ରଥମ କିନ୍ନର ଭାବେ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ୪୩ ବର୍ଷୀୟା ହବାର୍ଡ ମଧ୍ୟ ବୟୋଜ୍ୟେଷ୍ଠା ଭାରୋତ୍ତୋଳିକା ଭାବେ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ ସୁଯୋଗ ପାଇବେ। ହବାର୍ଡଙ୍କ ଅଂଶଗ୍ରହଣ ସ‌ୁଯୋଗ ନେଇ ଏବେଠାରୁ ଅସନ୍ତୋଷ ଦେଖା ଦେଇଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ହେଲେ ସେ ନିଶ୍ଚିତ ଇତିହାସ ରଚିବେ। ହବାର୍ଡଙ୍କ କାହାଣୀ ମଧ୍ୟ ଶନିବାର ପୁଣି ବିଶ୍ବ କ୍ରୀଡ଼ା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଜଣେ ଜନ୍ମିତ ପୁରୁଷ କିଭଳି ଜନ୍ମିତ ମହିଳାଙ୍କ ବିରୋଧରେ ଲଢ଼ିବ ସେ ନେଇ ପ୍ରଶ୍ନ ଉଠିଛି। ୨୦୧୭ ବିଶ୍ବ ପ୍ରତିଯୋଗିତାରେ ୨ ରୌପ୍ୟ ପଦକ ଜିତିବା ପରେ ଆମେରିକା ତତ୍‌କ୍ଷଣାତ ଏହାକୁ ନେଇ ପ୍ରତିବାଦ କରିଥିଲା। ତେବେ କିଛି ପରିବର୍ତ୍ତିତ ନିୟମ କାରଣରୁ ହବାର୍ଡ ଏବେ ଅଲିମ୍ପିଆନ୍‌ ହେବାକୁ ଯାଉଛନ୍ତି।

ହବାର୍ଡଙ୍କ ଅଂଶଗ୍ରହଣକୁ ନେଇ ଲାଗି ରହିଥିବା ବିବାଦକୁ ନେଇ ଅନେକ ଆଲୋଚନା ହୋଇଛି। କିନ୍ତୁ ଜଣଙ୍କୁ ଜନ୍ମ ବେଳର ଲିଙ୍ଗଗତ ପରିଚୟ ନୁହେଁ, ଶରୀର ଟେଷ୍ଟୋଷ୍ଟେରନ୍‌ ସ୍ତରକୁ ନେଇ ପ୍ରତିଯୋଗିତାରେ ଲଢ଼ିବାକୁ ଆଇନ ଅନୁମତି ଦେଉଛି। ନ୍ୟୁଜିଲାଣ୍ଡ୍‌ର ମାନବିକ ଅଧିକାର ଉପଦେଷ୍ଟା ଟାଇନ୍‌ ପଲକିଙ୍ଗହର୍ଣ୍ଣ କହିଛନ୍ତି ‘‘ଟେଷ୍ଟୋଷ୍ଟେରନ୍‌ ସ୍ତର ଯଦି ଜଣଙ୍କୁ ଜନ୍ମବେଳର ମହିଳାଙ୍କ ସ୍ତର ସହ ସମକକ୍ଷ କରାଉଛି ତେବେ ସେ କ୍ରୀଡ଼ାରେ କୌଣସି ଅତିରିକ୍ତ ଫାଇଦା ନେବାର ଯୁକ୍ତି ନାହିଁ’’। ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତିର ନିୟମାବଳୀକୁ ଅନ୍ତର୍ଜାତୀୟ ଭାରୋତ୍ତୋଳନ ସଂଘ ଅନୁସରଣ କରିଛି। ଏଥିରେ ଦର୍ଶାଯାଇଛି ଯଦି ପୁରୁଷରୁ ମହିଳା ହୋଇଥିବା ଜଣେ କ୍ରୀଡ଼ାବିତ୍‌ର ଟେଷ୍ଟୋଷ୍ଟେରନ୍‌ ସ୍ତର ବର୍ଷକ ଯାଏ ଲିଟରପିଛା ୧୦ ନାମୋମୋଲ୍ସ ତଳକୁ ରହୁଛି ତେବେ ତାଙ୍କୁ ମହିଳା ଘୋଷିତ କରିହେବ। ଏହା ମଧ୍ୟ ୪ ବର୍ଷ ଯାଏଁ ବଦଳିବାର ସମ୍ଭାବନା ନଥାଏ। ଏ ‌କ୍ଷେତ୍ରରେ ହବାର୍ଡ ଯୋଗ୍ୟ ରହିଛନ୍ତି। ପୁରୁଷର ମାଂସୁଳା ଶରୀର ଓ ଅସ୍ଥିର ଗଭୀରତାକୁ ବିଚାରକୁ ନିଆଯାଉନଥିବାରୁ ଏଭଳି ମାପକାଠିକୁ ନେଇ ଅନେକ ଅସନ୍ତୁଷ୍ଟ ରହିଛନ୍ତି।

୧୯୭୮ ମସିହାରେ ଜନ୍ମିତ ହବାର୍ଡଙ୍କ ପ୍ରଥମ ନାମ ଥିଲା ଗାଭିନ୍‌। ତାଙ୍କ ବ୍ୟବସାୟୀ ପତି ଡିକ୍ ହବାର୍ଡ ଅକଲାଣ୍ଡ୍‌ର ପୂର୍ବତନ ମେୟର। ୨୦ ବର୍ଷ ବୟସରେ ୧୦୫ କିଲୋଗ୍ରାମ ଓଜନ୍ ବର୍ଗରେ ୩୦୦ କିଲୋଗ୍ରାମ ଉତ୍ତୋଳନ କରି କୀର୍ତ୍ତିମାନ କରିଥିଲେ। କିନ୍ତୁ ପୁରୁଷ ଭାବେ ବଞ୍ଚିବା ତାଙ୍କ ତାଙ୍କ ପାଇଁ ଅସହ୍ୟ ହେବାରୁ ୨୩ ବର୍ଷ ବୟସରେ ଖେଳ ଛାଡ଼ି ଦେଇଥିଲେ। ୩୦ ବର୍ଷ ବୟସ ବେଳକୁ ସେ ମହିଳା ପାଲଟି ଯାଇଥିଲେ। ନିଜକୁ ଗୋପନ ରଖିଥିଲେ ମଧ୍ୟ ୨୦୧୭ କାଲିଫର୍ଣ୍ଣିଆ ବିଶ୍ବ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର