କେନ୍ଦ୍ରାପଡ଼ା ଇସ୍ପାତ ପ୍ରକଳ୍ପ ନେଇ ଉଦ୍ୟମ ଆରମ୍ଭ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ସ୍ଥାପନ କରିବ

ଉତ୍ପାଦନ କ୍ଷମତା ବାର୍ଷିକ ୧୨ ନିୟୁତ ଟନ୍, ୫୫ ହଜାର କୋଟି ଟଙ୍କାର ନିବେଶ ଯୋଜନା

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ପ୍ରଥମ ଇସ୍ପାତ ପ୍ରକଳ୍ପ ଲାଗି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍‌ଏନ୍‌ଏସ୍‌) ତରଫରୁ ଓଡ଼ିଶା ସରକାରଙ୍କ ସହ ମିଶି ଫିଜିବିଲିଟି ଷ୍ଟଡି ଆରମ୍ଭ କରାଯାଇଛି। କଂପାନି ଏଠାରେ ବାର୍ଷିକ ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ବୃହତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ଏ ନେଇ ଚଳିତ ବର୍ଷ ମାର୍ଚ୍ଚରେ କଂପାନି ତରଫରୁ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଥିଲା। କେନ୍ଦ୍ରାପଡ଼ା ପ୍ରକଳ୍ପରେ କଂପାନି ୫୫ ହଜାର କୋଟି ଟଙ୍କା ବିନି‌ଯୋଗ କରିବାର ଯୋଜନା ରଖିଛି। ପ୍ରବାସୀ ଭାରତୀୟ ଉଦ୍ୟୋଗୀ ଲକ୍ଷ୍ମୀ ଏନ୍ ମିତ୍ତଲଙ୍କ କଂପାନି ଆର୍ସେଲର ମିତ୍ତଲ ଓ ଜାପାନର ନିପନ ଷ୍ଟିଲ୍‌ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ହେଉଛି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ। ଏହା ଗୁଜରାଟରୁ ପରିଚାଳିତ ହେଉଛି। ଏହି କଂପାନିରେ ଆର୍ସେଲର ମିତ୍ତଲର ୬୦% ଓ ନିପନ ଷ୍ଟିଲ୍‌ର ୪୦% ଅଂଶଧନ ରହିଛି।

କଂପାନି ତରଫରୁ କୁହାଯାଇଛି ଯେ ବ୍ୟାବସାୟିକ ଅଭିବୃଦ୍ଧି ଲାଗି କଂପାନି ଦୀର୍ଘମିଆଦୀ ସୁଯୋଗ ସନ୍ଧାନ କରୁଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଗ୍ରିନ୍‌ଫିଲ୍ଡ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ରହିଥିବା ସୁଯୋଗର ସନ୍ଧାନ କରିବା ନିମନ୍ତେ ଆମେ ଓଡ଼ିଶା ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛୁ। ଓଡ଼ିଶା ସରକାରଙ୍କ ସହଯୋଗରେ ଆମେ ଫିଜିବିଲିଟି ଷ୍ଟଡି ଆରମ୍ଭ କରିଛୁ। ବିଭିନ୍ନ ପ୍ରକାର ଜରୁରୀ ମଞ୍ଜୁରି ହାସଲ କରିବା, ଜମି ଅଧିଗ୍ରହଣ, ଲଜିଷ୍ଟିକ୍ସ ଭିତ୍ତିଭୂମି ବିକଶିତ କରିବା ଏବଂ ପ୍ରକଳ୍ପ ନିର୍ମାଣ ଲାଗି ରହିଥିବା ଅନ୍ୟାନ୍ୟ ସର୍ତ୍ତଗୁଡ଼ିକୁ କିଭଳି ପାଳନ କରାଯାଇପାରିବ ସେସବୁ ବିଷୟ ଏହି ଷ୍ଟଡିରେ ସାମିଲ ରହିଛି। ଉଭୟ ଇସ୍ପାତ ଉତ୍ପାଦନ ଓ ଲୁହାପଥର ଖଣି କ୍ଷେତ୍ରରେ ଅଭିବୃଦ୍ଧିର ସୁଯୋଗ ସନ୍ଧାନ ପ୍ରକ୍ରିୟା ଜାରି ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ଓଡ଼ିଶାର ଖଣି ନିଲାମ ପ୍ରକ୍ରିୟାରେ ଭାଗ ନେଇ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଠାକୁରାଣୀ ଲୁହାପଥର ଖଣିକୁ ହାସଲ କରିଛି। ଏହା ବର୍ତ୍ତମାନ ବାର୍ଷିକ ୫.୫ ନିୟୁତ ଟନ୍ ପୂର୍ଣ୍ଣ କ୍ଷମତାରେ ପରିଚାଳିତ ହେଉଛି। ଓଡ଼ିଶାରେ କଂପାନିର ଦ୍ବିତୀୟ ପେଲେଟ୍‌ କାରଖାନା ଚଳିତ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୟମାସରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏହି କାରଖାନା ଜରିଆରେ କଂପାନି ପେଲେଟ୍‌ ଉତ୍ପାଦନକୁ ୬ ନିୟୁତ ଟନ୍ ବଢ଼ାଇବ। ଫଳରେ କଂପାନିର ମୋଟ ପେଲେଟ୍‌ ଉତ୍ପାଦନ କ୍ଷମତା ବାର୍ଷିକ ୨୦ ନିୟୁତ ଟନ୍‌ରେ ପହଞ୍ଚିବ।

ସମ୍ବନ୍ଧିତ ଖବର