ମୁମ୍ବାଇ ଇଣ୍ତିଆନ୍ସ ପେଣ୍ଟବଲ୍‌ ଟ୍ରିପ୍‌ରେ ଗଲେନି ହିଟ୍‌ମ୍ୟାନ୍‌

ମୁମ୍ବାଇ: ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ପୂର୍ବରୁ ଏକ ସାମୟିକ ବିରତି ନେଇଛନ୍ତି। ଦଳର ସମସ୍ତ ଖେଳାଳି ଓ ପ୍ରଶିକ୍ଷକ ମଣ୍ଡଳି ବୋଟ୍‌ ରାଇଡ୍‌ କରିଥିଲା ବେଳେ ପରେ ଆଲିବାଗ୍‌ ସ୍ଥିତ ପେଣ୍ଟବଲ୍‌ ମ୍ୟାଚ୍‌ ଦେଖିବାକୁ ସମସ୍ତ‌େ ଯାଇଥିଲେ। କିନ୍ତୁ ଏହି ଟ୍ରିପ୍‌ରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ସାମିଲ ହୋଇ ନଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ତାହାର ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଜାରି ହୋଇଥିବା ଭିଡିଓରେ ଟ୍ରିପ୍‌ରେ ବାହାରିଥିବା ସମସ୍ତ ସଦସ୍ୟ ହସିହସି ଯାଉଛନ୍ତି। ପାଣ୍ଡ୍ୟା ଓ ଈଶାନ କିଶନ ବୋଟ୍‌ ଆଗରେ ରହି ପରିବେଶକୁ ଉପଭୋଗ କରୁଥିବା ଦେଖାଯାଇଛି। ବ୍ୟାବସାୟିକ ଅଦଳବଦଳ ଡିଲ୍‌ରେ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସ ଅଣାଯାଇଛି। ପାଣ୍ଡ୍ୟା ଦଳର ନେତୃତ୍ବ ନେବାକୁ ଯାଉଥିବା ଘୋଷଣା ହେବା ପରଠୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନ୍‌ଫଲୋ କରିବା ଆରମ୍ଭ କରିଥିଲେ। ତେଣୁ ଦଳକୁ ଏକାଠି ରଖିବା ଫ୍ରାଞ୍ଚାଇଜ୍‌ ପାଇଁ ଏକ ଆହ୍ବାନ ହୋଇଯାଇଛି। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଆସନ୍ତା ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର