ଦରମଲା କୁହୁ ଓ କୈଶୋର

ଧନଞ୍ଜୟ ସ୍ୱାଇଁ

ଅବସର ପରେ ଦାପ୍ତରିକ ଜଞ୍ଜାଳରୁ ମୁକ୍ତ ହେବା ପରେ ସୁରଞ୍ଜନ ବାବୁ ତାଙ୍କ ଗାଁ ବୁଲି ଆସିବାକୁ ମନ ବଳେଇଲେ। ତାଙ୍କ ଗାଁ କଟକ ସହରଠାରୁ ମାତ୍ର ପଇଁଚାଳିଶ କିଲୋମିଟର ଦୂର ଦେବୀ କନ୍ଦଳ ଦ୍ବୀପାଞ୍ଚଳରେ ଅବସ୍ଥିତ। ବହୁଦିନ ହେଲା କାର୍ଯ୍ୟଚାପ ଯୋଗୁଁ ସେ ଗାଁକୁ ଯାଇ ନାହାନ୍ତି। ଗାଁକୁ ଆସିଲାବେଳେ ତାଙ୍କର ମନେ ପଡୁଥିଲା ଅଣଓସାରିଆ ଓ ତେଢ଼ାମେଢ଼ା ପାଦ ଚଲା ରାସ୍ତା କଥା, ଯାହା ଦେଇ ବାପାଙ୍କ ସାଇକେଲରେ ଦିପୋଟି ମେଲଣ ବୁଲି ଗଲାବେଳେ କୋଇଲିଖିଆ କଣ୍ଟାରେ ପାଦ ଦୁଇଟି ଚିରି ହୋଇ ଯାଉଥିଲା! ମନେ ପଡୁଥିଲା ତାଙ୍କ ଗାଁ ଦୋସମାଳିରେ ବହି ଯାଉଥିବା କନ୍ଦଳ ନଦୀ ପଠାର ଘଞ୍ଚ ଆମ୍ବତୋଟା, କୋଇଲିର ମିଠା କୁହୁ ସ୍ବନ, ଖଟା କଇଆଁର ଖରାବେଳ, ଖଣ୍ଡିଆ ଭୂତର ଦ୍ବିପହର! ସୁରଂଜନ ବାବୁ ସପ୍ତମ ପାସ କଲା ବେଳକୁ ଗାଁରେ ଉଚ୍ଚ ବିଦ୍ୟାଳୟ ନ ଥିଲା। ବାପା ନାଁ ଲେଖେଇଦେଲେ ଗାଁଠାରୁ ଚାରି କିଲୋମିଟର ଦୂର କସର୍ଦାର ଲକ୍ଷ୍ମୀ ନାରାୟଣ ବିଦ୍ୟାପୀଠରେ। ତାଙ୍କର ସବୁ କିଛି ଗୋଟି ଗୋଟି ହୋଇ ମନେ ପଡ଼ିଯାଉଥିଲା: କାଦୁଅ ପଚପଚ ରାସ୍ତା, ଚିନାବାଦାମର ସୁବିସ୍ତୃତ କ୍ଷେତ, ଗୁଗୁଚିଆ ଭରା କେନାଲ ବନ୍ଧ, କେବେ ଗୋଟିଏ ହାତରେ ଛତା ଓ ଆର ହାତରେ ଚପଲ (କାଦୁଅ ରାସ୍ତା ହେତୁ) ଧରି ଘରକୁ ତରତର ହୋଇ ଫେରିବା, ଜୁଆରିଆ ନଈ, ଡଙ୍ଗା ପାରିର ଆଶଙ୍କା। ମନେ ପଡ଼ି ଯାଉଥିଲା, ସହରରେ ପାଠ ପଢୁଥିବା ବେଳେ ଲମ୍ବା ଛୁଟି ଦେଖି ଗାଁକୁ ଗଲାବେଳେ କେମିତି ସଞ୍ଜ ଗଡ଼ାରୁ ସଙ୍ଖୋଳି ନେଉଥିଲା ଗାଁ। ଏବେ ସେଠି କଳା ଅଜଗରର ପିଠି ପରି ଲମ୍ବି ଯାଇଛି ସୁପ୍ରଶସ୍ତ ପିଚୁ ରାସ୍ତା। ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ଗାଁ ମୁଣ୍ଡ ପୋଖରୀଟି ଲାଗୁଛି ଯେମିତି ଶ୍ବାସରୁଦ୍ଧ! ଶତାୟୁ ବୁଢ଼ା ବର ଗଛଟି କେବେ ଠାରୁ କଟା ସରିଲାଣି! କୁଆଡ଼େ ଗଲେ ତା’ ମୂଳେ ଥିବା ସିନ୍ଦୂରମଖା ଗାଁ ଠାକୁରାଣୀ ଓ ତାଙ୍କ ଅଧାଭଙ୍ଗା ମାଟି ଘୋଡ଼ାମାନେ? ତାଙ୍କର ମନେ ପଡ଼ିଯାଉଥିଲା ଗାଁ ତୋଟାରେ କାଇ କାମୁଡ଼ାର ଖରା ବେଳ କଟିଥିଲା ବା ଯୋଗୀର କେଂଦେରା ଗୀତରେ ବୋଉର ଲୁହ ଡବଡବ ଆଖି ଓ ତା’ର ପାଣ୍ଡୁର ମୁହଁ!
ଚାରି ଶହ ଲୋକଙ୍କ ଗାଁଟିରେ ଏବେ ଗୋଟିଏ ବୋଲି ଛଣ ଛପର ଘର ଆଖିକୁ ଦିଶୁନି। କୁଆଡ଼େ ଗଲେ ହାତୀ ପରି ଦିଶୁଥିବା ଦିହଳ ବଳଦ, ଗୁହାଳ ଗୋବର, ସାତଶେଣିଆ ଖଞ୍ଜା, ମଲ୍ଲୀ ବୁଦା, କୂଅ, ଚାନ୍ଦିନୀ! ଏବେ ଗାଁ ଦାଣ୍ଡରେ ଚକଚକିଆ କଂକ୍ରିଟ ରାସ୍ତା, ପାଇପ ପାଣି, ବତି ଖୁଣ୍ଟ। ଗାଁ ମୁଣ୍ଡର ବଜାର ହାଟରେ ମିଳୁଛି ସବୁ କିଛି; ମଦ ଠାରୁ ମହାପ୍ରସାଦ। ଗାଁରେ ବିକାଶର ଆଖିଝଲସା ଚିତ୍ର। ହେଲେ, ଯେଉଁ ଚାଷୀ ଭୋଦେଇ ବରଷାରେ ହିଡ଼ ଚିରି ପାଣି କାଟୁଥିଲା, ପାଣିରୁ ଧାନ ଛାଣି ଆଣୁଥିଲା, ସେଇ ଚାଷୀ ଏବେ ଗାଁରେ ହାତ ବାନ୍ଧି ବସିଛି। ମୂଲିଆ ମଜୁରି, ସାର, କୀଟନାଶକ ଔଷଧ, ସବୁ କିଛିର ଦର ଏବେ ଆକାଶଛୁଆଁ, ଆଉ ଅସହାୟ ଚାଷୀ ନିକମା ହୋଇ ବସିଛି। କିଏ ଯେମିତି ସେମାନଙ୍କ ମେରୁହାଡ଼ ଭାଙ୍ଗି ଦେଇଛି!
ଏତେ ବର୍ଷ ପରେ ସେ ଗାଁକୁ ଆସିଲେ ଅଥଚ ଗାଁରେ ପହଞ୍ଚିବା ପରେ ସତେ ଯେମିତି ଶୂନ୍ୟତାର ହାହାକାର ତାଙ୍କୁ ଘୋଟିଗଲା। ଗାଁର ଖଳା ବାଡ଼ି, ଉଚ୍ଚା ମାଟି ପିଣ୍ଡା, ଧୂଳିମଖା ଗାଁ ଦାଣ୍ଡ, ଦୁବ ଘାସର ମଥା ଉପରେ ଝଲସୁଥିବା କାକର ଟୋପା- କୁଆଡ଼େ ଗଲା? ସେ ବିବ୍ରତ ହୋଇ ଉଠିଲେ।
ବୈଶାଖର ମୁହଁ ଜଳା ଖରାରେ ସାହିରୁ ସାହି ବୁଲିଲା ବେଳେ ଦେଖିଲେ ଗାଁ ମୁଣ୍ଡରେ ଅଟକିଲା ମିନି ବସ୍‌ଟିଏ, ଯହିଁରୁ ବହି ବସ୍ତାନି ସହିତ ଓହ୍ଲାଇଲେ କୁନିକୁନି ପିଲାମାନେ। ମାତ୍ର ଦୁଇ ବର୍ଷ ତଳେ ଖୋଲିଛି ଘରୋଇ ସ୍କୁଲ୍‌ଟିଏ ଏବଂ ତାହା ଭରପୂର ଚାଲିଛି। ସେ ପଢୁଥିବା ପ୍ରାଥମିକ ବିଦ୍ୟାଳୟ ଏବେ ବନ୍ଦ ହବା ଉପରେ! ଗାଁ ଯୁବକଙ୍କ ହାତରେ ସ୍ମାର୍ଟ ଫୋନ୍‌, ସମସ୍ତେ ଯେମିତି ତା’ ଭିତରେ ବୁଡ଼ି ରହିଛନ୍ତି।
କଟକ ଫେରିବାକୁ ତରତର ହେଲେ ସୁରଞ୍ଜନ ବାବୁ। ଫେରିବା ବାଟରେ ସବୁଜିମା ହରେଇଥିବା ଗାଁଟିର କେଉଁ ତରୁ ଶାଖାରୁ କୋଇଲିର ଦରମଲା କୁହୁ ସ୍ବର ଶୁଭିଯାଇ ତାଙ୍କୁ ବିମର୍ଷ କରି ପକାଇଲା। ଫେରିବା ବାଟରେ ତାଙ୍କର ମନେ ପଡ଼ିଗଲେ ‘ଡେଜର୍ଟେଡ୍‌ ଭିଲେଜ୍‌’ ବା ‘ବିଜନ ପଲ୍ଲୀ’ର କବି ଅଲିଭର ଗୋଲଡ୍‌ସ୍ମିଥ। ଗୋଲଡ୍‌ସ୍ମିଥ ମଧ୍ୟ ତାଙ୍କ ଭଳି ଗାଁର କୁହୁକ ସ୍ପର୍ଶ ପାଇବାରୁ ବଞ୍ଚିତ ହୋଇ ଲେଖିଥିଲେ ସେହି କାଳଜୟୀ କବିତା ‘ବିଜନ ପଲ୍ଲୀ’!
ମୋ: ୯୪୩୭୦୦୦୬୩୬

ସମ୍ବନ୍ଧିତ ଖବର