ଆଇପିଏଲ୍‌ ଆୟୋଜନ ଆଶା ସଂଚାର, ବନ୍ଦ ଦ୍ବାର ପଛରେ ଖେଳାଯିବା ସମ୍ଭାବନା

ନୂଆଦିଲ୍ଲୀ: କରୋନା ଯୋଗୁଁ କ୍ରୀଡ଼ା ପ୍ରତିଯୋଗିତା ସବୁ ଚଳିତ ବର୍ଷ ମାର୍ଚ ମାସରୁ ବନ୍ଦ ରହିଛି। ହେଲେ ଏବେ ବିଦେଶରେ କିଛି ଫୁଟ୍‌ବଲ୍‌ ଲିଗ୍‌ ଆରମ୍ଭ ହେଲାଣି। ଏହାକୁ ଦେଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ଲାଗି ବିସିସିଆଇ ଓ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଆଗ୍ରହ ଦେଖାଇଛନ୍ତି। ଅକ୍ଟୋବର-ନଭେମ୍ବରରେ ଏହି ଲିଗ୍‌କୁ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଯଦି ସବୁ ଠିକ୍ ଠାକ୍‌ ଚାଲେ ତେବେ କରୋନା ମହାମାରୀ ପରେ ଆୟୋଜିତ ହେବାରେ ଆଇପିଏଲ୍‌ ଭାରତର ପ୍ରଥମ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାର ‌ଗୌରବ ବହନ କରିବ। ଏହାକୁ ବନ୍ଦ ଦ୍ବାର ପଛରେ କରିବାକୁ ବିସିସିଆଇ ଅଧିକାରୀ ଓ ଫ୍ରାଞ୍ଚାଇଜ୍‌ଗୁଡ଼ିକ ୱେବ୍‌ନର ଓ ଭିଡିଓ ବୈଠକରେ ଆଲୋଚନା କରିଥିବା ସୂଚନା ମିଳିଛି।

ଆଇପିଏଲ୍‌ ଆୟୋଜନ କରିବା ଲାଗି ଗୁଡ଼ିଏ ଯୋଜନା କରିବାକୁ ହେବ। କୋଲ୍‌କାତ‌ାର ଇଡେନ୍‌ ଗାର୍ଡେନ୍ସରେ ଆପଣମାନେ ଖେଳ ଦେଖିପାରିବେ। କିନ୍ତୁ କରୋନା ପରିସ୍ଥିତି ଯାହା ରହିଛି ମୁମ୍ବାଇରେ ଏହା ସମ୍ଭବ ହୋଇନପାରେ। ମୁମ୍ବାଇରେ ୪ ଏବଂ ଏହାର ନିକଟବର୍ତୀ ପୁଣେରେ ଗୋଟିଏ ଭଲ ଷ୍ଟାଡିୟମ ରହିଛି। ଏଥିସହ ଏହି ଷ୍ଟାଡିୟମ ନିକଟ‌ରେ ମଧ୍ୟ ‌ଦଳ ରହିଲା ଭଳି ‌ହୋଟେଲ ରହିଛି। ସାମାଜିକ ଦୂରତା ପାଇଁ ଖେଳାଳିମାନଙ୍କୁ ଗୋଟିଏ ଗୋଟିଏ ରୁମ୍ ବ୍ୟବଧାନରେ ରଖିବାକୁ ପଡ଼ିବ। ବ୍ୟକ୍ତିଗତ ଭାବେ ଟାୱେଲ୍‌ ଓ ପାଣି ବୋତଲ ନିଜ ପାଖରେ ରଖିବାକୁ ପଡ଼ିବ। ଯାହା ହେଲେ ବି ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଯେଭଳି ରହିଛି ସେଠାରେ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରିବା ସହଜ ହେବନି ବୋଲି ଦୁଇ ଥରର ଆଇପିଏଲ୍‌ ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସର ସିଇଓ ଭେଙ୍କି ମହୀସୂର କହିଛନ୍ତି।

ଟ୍ବେଣ୍ଟି-୨୦ ବିଶ୍ବକପ୍ ଉପରେ ଆଇସିସିର ନିଷ୍ପତ୍ତି ପରେ ହିଁ ଆଇପିଏଲ୍‌ ଆୟୋଜନ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ। ୪୦ ଦିନ ଧରି ଆଇପିଏଲ୍‌ ଖେଳାଯିବାକୁ ଥିଲା ବେଳେ ଆମେ ସୁରକ୍ଷା ନିର୍ଦେଶାବଳୀ, ଖେଳାଳିଙ୍କ ଗସ୍ତ, ଜୈବ ସୁରକ୍ଷିତ ପରିବେଶରେ ଆୟୋଜନ ଉପରେ ନଜର ଦେବୁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ କହିଛନ୍ତି। ମହୀସୂର ଓ ଧୂମାଲ ଆଇପିଏଲ୍‌ ଆୟୋଜନ କରିବା ଉପରେ ଆଲୋଚନା ବେଳେ ଜୋର ଦେଇଥିଲେ। କିଛି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକ ‌ଭାରତୀୟ ଖେଳାଳିଙ୍କୁ ନେଇ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‌ର ମଜା ରହିବନି ବୋଲି ମହୀସୂର କହିଥିଲେ। ଦୁଇ ସପ୍ତାହ ପୂର୍ବରୁ ଚାଟାର୍ଡ ବିମାନରେ ବିଦେଶୀ ଖେଳାଳିଙ୍କୁ ଆଣି ସେମାନଙ୍କୁ କ୍ବାରାଣ୍ଟାଇନ୍‌ରେ‌ ରଖି ସୁରକ୍ଷିତ ଅଭ୍ୟାସ କରିବାକୁ ସୁଯୋଗ ଦେବା ଉପରେ ପ୍ରସାରଣକାରୀ ଷ୍ଟାର ‌ସ୍ପୋର୍ଟସ ମୁଖ୍ୟ ଉଦୟ ଶଙ୍କର ପରାମର୍ଶ ଦେଇଥିଲେ। ଖେଳାଳିଙ୍କ ଯିବା ଆସିବା, ହୋଟେଲ, କିଟ୍ସ, ‌ଖାଦ୍ୟ, ଜିମ୍‌ ଏସବୁ ସଂଙ୍ଗେ ସଙ୍ଗେ ଯୋଗାଡ଼ କରିହେବ। କିନ୍ତୁ ଆମକୁ ପ୍ରଥମେ ୮ ଦଳର ୧୬୦ ଖେଳାଳି ଓ ୮୦ ସହଯୋଗୀ ଅଧିକାରୀଙ୍କ ପାଇଁ ୨୫୦ କରୋନା ପରୀକ୍ଷା କିଟ୍‌ର ବନ୍ଦୋବସ୍ତ କରିବାକୁ ହେବ ବୋଲି ମହୀସୂର କହିଥିଲେ। କ୍ରିକେଟ୍‌ରେ ସାମାଜିକ ଦୂରତା ସାଧାରଣ ଭାବେ ରହିଥାଏ। ପଡ଼ିଆରେ ୧୩ ଖେଳାଳିଙ୍କ ସହ ଦୁଇ ଅମ୍ପାୟାରଙ୍କ ମଧ୍ୟରେ ଦୂରତା ରହିଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର