ଭାରତ-ପାକିସ୍ତାନ ଉଦ୍‌ଘାଟନୀ ମୁକାବିଲା

ହକି ଚାମ୍ପିଅନ୍‌ସ ଟ୍ରଫି ଜୁନ୍‌ ୨୩ରୁ

ବ୍ରେଡା (ନେଦରଲାଣ୍ଡ୍‌): ଚଳିତ ବର୍ଷ ଜୁନ୍‌ ୨୩ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରାବୋ ବ୍ୟାଙ୍କ୍‌ ହକି ଚାମ୍ପିଅନ୍‌ସ ଟ୍ରଫି ଆୟୋଜିତ ହେବ। ଏଥି ପାଇଁ ଆନ୍ତର୍ଜାତିକ ହକି ସଂଘ (ଏଫ୍‌ଆଇଏଚ୍‌) ଗୁରୁବାର ଖେଳ ସୂଚୀ ଘୋଷଣା କରିଛି। ୯ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୫ ତାରିଖ ବିଶ୍ରାମ ଦିବସ ରହିଛି। ୬ ଦଳୀୟ ପ୍ରତିଯୋଗିତାରେ ଆୟୋଜକ ତଥା ୟୁରୋପୀୟ ବିଜେତା ନେଦରଲାଣ୍ଡ୍‌ ସହିତ ୨୦୧୬ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନା, ବିଶ୍ୱକପ୍‌, ବିଶ୍ୱ ଲିଗ୍‌ ଏବଂ ଚାମ୍ପିଅନ୍‌ସ ଟ୍ରଫି ବିଜେତା ଅଷ୍ଟ୍ରେଲିଆ, ରିଓ ଅଲିମ୍ପିକ୍‌ ରୌପ୍ୟ ବିଜେତା ବେଲ୍‌ଜିୟମ୍‌, ଏସୀୟ ବିଜେତା ଭାରତ ଓ ତିନିଥର ଚାମ୍ପିଅନ୍‌ସ ଟ୍ରଫି ବିଜେତା ପାକିସ୍ତାନ ଅଂଶଗ୍ରହଣ କରିବେ। ନେଦରଲାଣ୍ଡ୍‌, ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ଏହି ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ହାସଲ କରିଥିଲା ବେଳେ ଅବଶିଷ୍ଟ ୩ ରାଷ୍ଟ୍ର ଏଫ୍‌ଆଇଏଚ୍‌ କାର୍ଯ୍ୟନିର୍ବାହୀ ବୋର୍ଡ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ। ହଲାଣ୍ଡ୍‌ର ରାବୋବ୍ୟାଙ୍କ୍‌ ପ୍ରାୟୋଜକ ରହିଛି। ଜୁନ୍‌ ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ହେବ। ସେହିଦିନ ଅନ୍ୟ ଦୁଇଟି ମ୍ୟାଚ୍‌ ନେଦରଲାଣ୍ଡ୍‌-ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ-ବେଲ୍‌ଜିୟମ୍‌ ମଧ୍ୟରେ ଖେଳାଯିବ। ଭାରତ ତା’ର ପରବର୍ତୀ ମ୍ୟାଚ୍‌ ୨୪ ତାରିଖ ଦିନ ଆର୍ଜେଣ୍ଟିନା ସହ ଖେଳିବା ପରେ ୨୭ ତାରିଖରେ ଅଷ୍ଟ୍ରେଲିଆ, ୨୮ରେ ବେଲ୍‌ଜିୟମ୍‌ ଏବଂ ୩୦ ତାରିଖରେ ନେଦରଲାଣ୍ଡ୍‌କୁ ଭେଟିବ। ଜୁଲାଇ ୧ରେ କ୍ଲାସିଫିକେସନ୍‌ ମ୍ୟାଚ୍‌ ସାଙ୍ଗକୁ ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର