ଯୁବ ଚତୁଃରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାରେ ଭାରତ ବିଜେତା

ଡର୍ବାନ: ବିଶ୍ବକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଯୁବ (୧୯ ବର୍ଷରୁ କମ୍‌) ଚତୁଃରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍‌ ଶୃଙ୍ଖଳାରେ ଭାରତ ବିଜେତା ହୋଇଛି। ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ଭାରତ ଶୁକ୍ରବାର ଫାଇନାଲ୍‌ରେ ୬୯ ରନ୍‌ରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଟସ୍‌ ହାରି ବ୍ୟାଟିଂ ପାଇଥିବା ଭାରତ ଧ୍ରୁବ ‌ଜୁରେଲ (୧୦୧)ଙ୍କ ଶତକ ସାଙ୍ଗକୁ ତିଲକ ବର୍ମା (୭୦)ଙ୍କ ଅର୍ଧଶତକ ଏବଂ ସିଦ୍ଧେଶ ବୀରଙ୍କ ଅପରାଜିତ ୪୮ ରନ୍‌ ବଳରେ ୭ ୱିକେଟ୍‌ ବିନିମୟରେ ୨୫୯ ରନ୍‌ କରିଥିଲା। ଗେରାଲ୍ଡ କଏଟ୍‌ଜି ୩ ୱିକେଟ୍‌ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୪୩.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୯୦ ରନ୍‌ କରିପାରିଥିଲା। ଜ୍ୟାକ୍ ଲି ୫୨ ଓ ଜୋନାଥନ ବାର୍ଡ ୩୯ ରନ୍‌ କରିଥି‌ଲେ। ଭାରତ ପକ୍ଷରୁ ଅଥର୍ବ ଅଙ୍କୋଲକର ୪ ଓ ରବି ବିଷ୍ଣୋଇ ୨ ୱିକେଟ୍‌ ନେଇଥିଲେ। ଏହି ଶୃଙ୍ଖଳାରେ ଭାରତ ବ୍ୟତୀତ ଆୟୋଜକ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନ୍ୟୁଜିଲାଣ୍ଡ ଭାଗ ନେଇଥିଲେ। ଧ୍ରୁବ ଜୁରେଲ ଫାଇନାଲ୍‌ର ଏବଂ ତିଲକ ବର୍ମା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ‌‌ସ୍କୋର୍‌: ଭାରତ ୫୦ ଓଭରରେ ୨୫୯/୭ (ଧ୍ରୁବ ‌ଜୁରେଲ ୧୦୧, ତିଲକ ବର୍ମା ୭୦, ସିଦ୍ଧେଶ ବୀର ୪୮*, ଗେରାଲ୍ଡ କଏଟ୍‌ଜି ୩/୧୯)। ଦକ୍ଷିଣ ଆଫ୍ରିକା ୪୩.୧ ଓଭରରେ ୧୯୦ (ଜୋନାଥନ ବାର୍ଡ ୩୯, ଜ୍ୟାକ୍ ଲି ୫୨, ଅଥର୍ବ ଆଙ୍କୋଲକର ୪/୩୧, ରବି ବିଷ୍ଣୋଇ ୨/୨୯)।

ସମ୍ବନ୍ଧିତ ଖବର